• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲରୁ ଫେରାର ମାରିବାକୁ ଡ୍ରଗ୍‌ ମାଫିଆର ଫୁଲପ୍ରୁଫ୍‌ ପ୍ଲାନ୍‌ । ମହିଳା ବେଶରେ ଜେଲରୁ ବାହାରିଗଲା କୁଖାତ ଅପରାଧୀ । ପୋଲିସ୍‌ ଆଖି ସାମ୍ନାରେ ସେ ଜେଲରୁ ବାହାରିଗଲା ପରେ ମଧ୍ୟ ସେମାନେ ଜାଣିପାରିଲେନି । କାରଣ ଡ୍ରଗ୍‌ ମାଫିଆର ଗେଟ୍‌ଅପ୍‌ ଦେଖି ପୋଲିସକୁ ଆଦୌ ସନ୍ଦେହ ହୋଇନଥିଲା । ତେବେ ଏତେ କଷ୍ଟକଲା ପରେ ମଧ୍ୟ ବେଶୀ ଦୂର ଯାଇପାରିନଥିଲା ସେ, ଅଧା ରାସ୍ତାରେ ପୁଣି ଧରାପଡ଼ିଗଲା । ପାରାଗୁଏରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।

କୁଖ୍ୟାତ ଅପରାଧୀଙ୍କ ସିଜର୍‌ ଅର୍ଟିଜ୍ । ତାକୁ Gordito Lindo କିମ୍ବା Cute Chubby ମଧ୍ୟ କୁହାଯାଏ । ପାରାଗୁଏର ରାଜଧାନୀ ଆସୁନିଅନରେ ଥିବା ଜେଲରୁ ସିଜର୍‌ ଫେରାର ମାରିବାକୁ ଚେଷ୍ଟା କରିଥିଲା । ଘଟଣାଦିନ ଜଣେ ମହିଳା ତାଙ୍କୁ ଭେଟିବାକୁ ଆସିଥିଲେ । ସିଜର୍‌ ତାଙ୍କ ସହିତ କିଛି ସମୟ ପାଇଁ ଏକ ବ୍ୟକ୍ତିଗତ କୋଠରୀକୁ ଯାଇଥିଲେ ।

କିଛି ସମୟ ପରେ ସେ ଏକ ଅଲିଭ୍ ରଙ୍ଗର ବ୍ଲାଉଜ୍ ଏବଂ ନୀଳ ସ୍କର୍ଟ ପିନ୍ଧି ବାହାରି ଆସିଥିଲେ । ସେ ନଖରେ ଧଳା ନେଲପଲିସ୍, ନକଲି ଆଖିପତା, ମୁହଁରେ ମେକଅପ୍ ଲଗାଇ ଏକ ୱିଗ୍ ପିନ୍ଧି ବାହାରି ଥିଲେ । ଫଳରେ ସେ ସିଜର ବୋଲି ପୋଲିସ୍‌ ଜାଣି ପାରିନଥିଲା ।

ତେବେ ମହିଳା ଗେଟଅପରେ ଥିବାରୁ ଚେକ୍ ପଏଣ୍ଟରେ ସିଜରଙ୍କ ଉପରେ କେହି ଧ୍ୟାନ ଦେଇ ଦେଇନଥିଲେ । ଶେଷରେ କୁଖ୍ୟାତ ଅପରାଧୀ ପାଇଁ ଖୋଲିଗଲା ପ୍ରସ୍ଥାନ କବାଟ । ହେଲେ ଜେଲ ଠାରୁ କିଛି ଦୂର ଯିବାପରେ ସିଜରକୁ ପୁଣି ଧରି ପକାଇଲା ପୋଲିସ୍‌ । ତେବେ ଏହି ମାମଲାରେ ସହଯୋଗ କରିଥିବାରୁ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି । ସମସ୍ତେ ସିଜରକୁ ଜେଲରୁ ଖସିଯିବା ପାଇଁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ସିଜରକୁ ଅନ୍ୟ ଜେଲକୁ ପଠାଇ ଦିଆଯାଇଛି । ତେବେ ଏନେଇ ତାଙ୍କ ସ୍ତ୍ରୀ ଜେସିକା ସେଲେନିଆ ଆପତ୍ତି ଉଠାଇଛନ୍ତି । ସ୍ୱାମୀଙ୍କୁ ପୁଣି ପୁରୁଣା ଜେଲକୁ ଫେରାଇ ଆଣିବାକୁ ଦାବି କରିଛନ୍ତି । ଅନ୍ୟପଟେ ଏହି ମାମଲାରେ ଯାଂଚ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ସିଜର୍‌ , ଲାଟିନ୍‌ ଆମରିକା ଡ୍ରଗ୍‌ ଡିଲଂ ଗ୍ୟାଙ୍ଗର ଦ୍ୱିତୀୟ କୁଖ୍ୟାତ ଅପରାଧୀ ।