ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ୪ ବର୍ଷ ପରେ ପୁଣି ଥରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ଫ । କମଳା ହାରିସ୍ଙ୍କୁ ହରାଇ ବିଜୟଲାଭ କରିଛନ୍ତି ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଆଜି ପ୍ରାରମ୍ଭରୁ ହିଁ କମଳା ହାରିସ୍ଙ୍କୁ ପଛରେ ପକାଇ ଆଗୁଆ ରହିଥିଲେ ଟ୍ରମ୍ପ । ଯାହାର ପ୍ରଭାବ ବିଶ୍ୱ ବଜାର ଉପରେ ଦେଖିବାକୁ ମିଳିଥିଲା । କେବଳ ଗ୍ଲୋବାଲ ମାର୍କେଟ ନୁହେଁ ବରଂ ଭାରତୀୟ ଷ୍ଟକ୍ ମାର୍କେଟରେ ମଧ୍ୟ ଆଜି ଉତ୍ସାହ ଦେଖିବାକୁ ମିଳିଛି । ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ।
Also Read
ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ Emkey Global ପୂର୍ବାନୁମାନ କରିଛି ଯେ ଯଦି ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟଲାଭ କରନ୍ତି, ତେବେ କିଛି ଦିନ ଧରି ଭରତୀୟ ଷ୍ଟକ୍ ମାର୍କେଟରେ ଏକ ରାଲି ଦେଖିବାକୁ ମିଳିବ । ଯଦି ଏହା ହୁଏ ତେବେ ଗତ କିଛି ଦିନ ମଧ୍ୟରେ ବଜାର ହ୍ରାସ ହେତୁ କ୍ଷତିଗ୍ରସ୍ତ ହୋଇଥିବା ଭାରତୀୟ ନିବେଶକମାନେ ଉପକୃତ ହୋଇପାରନ୍ତି।
ଅଧିକ ପଢ଼ନ୍ତୁ: US Presidential Elections 2024: ମହାକାଶରୁ ଭୋଟ୍ ଦେଲେ Sunita Williams, ଜାଣନ୍ତୁ କେମିତି ..
Emkey Global ଙ୍କ ରିପୋର୍ଟରେ କୁହାଯାଇଛି ଯେ କମଲା ହାରିସଙ୍କ ବିଜୟର ଅର୍ଥ ହେଉଛି ଜୋ ବାଇଡେନ୍ ପ୍ରଶାସନର ନୀତି ଜାରି ରହିବା । କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସହିତ, ସ୍ୱଳ୍ପ ସମୟ ମଧ୍ୟରେ ଷ୍ଟକ୍ ମାର୍କେଟରେ ସୁଧାର ଦେଖିବାକୁ ମିଳିପାରେ ।
ବ୍ରୋକରେଜ୍ ରିପୋର୍ଟରେ ଦର୍ଶାଯାଇଥିବା ଆକଳନଗୁଡିକର ପ୍ରଭାବ, ଭରତୀୟ ଷ୍ଟକ୍ ମାର୍କେଟରେ ଦେଖିବାକୁ ମିଳିଛି । ବୁଧବାର ଦିନ ଆମେରିକାରେ ନିର୍ବାଚନ ଫଳାଫଳ ମଧ୍ୟରେ ଷ୍ଟକ ମାର୍କେଟରେ ଉତ୍ସାହ ଭରିଛି । ଆଜି BSE ସେନ୍ସେକ୍ସ ୭୯,୭୭୧.୮୨ ରେ ଖୋଲିଛି, ଯାହା ଗତକାଲିଠାରୁ ୨୯୫ ପଏଣ୍ଟ ବୃଦ୍ଧି ପାଇଛି । ଯେଉଁଠାରେ NSE ନିଫ୍ଟି ୨୪,୩୦୮.୭୫ ସ୍ତରରେ ଖୋଲିଛି ।
ଷ୍ଟକ୍ ମାର୍କେଟରେ ଏହି ଗତି ଏବେ ବି ଜାରି ରହିଛି ଏବଂ ଖବର ଲେଖିହେବା ପର୍ଯ୍ୟନ୍ତ, ଅର୍ଥାତ ଦିନ ୧.୩୦ ସୁଦ୍ଧା ସେନସେକ୍ସ ୮୧୦ ପଏଣ୍ଟ ବଢ଼ିବା ସହ ୮୦,୨୮୭ ଟ୍ରେଡ୍ କରୁଛି । ଏହା ବ୍ୟତୀତ ନିଫ୍ଟି ୨୪୫ ପଏଣ୍ଟ ବଢ଼ିବା ସହ ୨୪,୪୫୯ ପଏଣ୍ଟରେ ଟ୍ରେଡ୍ କରୁଛି ।
ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ । ତାଙ୍କୁ ୨୪୬ଟି ଇଲେକ୍ଟୋରାଲ୍ ଭୋଟ୍ ମିଳିଛି । ସେପଟେ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କୁ ୨୧୦ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ଜଣାପଡିଛି ।
ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ତେବେ ଆମେରିକାରେ ଖେଳ ବିଗାଡି ଥିଲେ ୭ ସ୍ୱିଙ୍ଗ ଷ୍ଟେଟ୍ । ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।
ତେବେ ଟ୍ରମ୍ପ ବିଜୟୀ ହେବା ପରେ ଗ୍ଲୋବାଲ୍ ଅର୍ଡର ସମୀକରଣ ବଦଳିବା ସମ୍ଭାବନା ରହିଛି । କାରଣ ଆମେରିକାରେ ଯେତେବେଳେ ଯାହା ନିଷ୍ପତ୍ତି ଆସିଛି ତାର ପ୍ରଭାବ ସାରା ବିଶ୍ୱ ଉପରେ ଦେଖିବାକୁ ମିଳିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅର୍ଥ ବ୍ୟବସ୍ଥା, ଦର ବୃଦ୍ଧି, ନିଯୁକ୍ତି, ପ୍ରବାସୀଙ୍କୁ ଅଧିକାର ଓ ମହିଳାଙ୍କୁ ଗର୍ଭପାତ ଅଧିକାର ମୁଦ୍ଦା ରହିଥିଲା ।
ଏପରି ସ୍ଥଳେ ଟ୍ରମ୍ପଙ୍କ ମୁଦ୍ଦା ରହିଥିଲା, ମେକ୍ ଆମେରିକା ଗ୍ରେଟ୍ ଆମେରିକାର ନାରା । ଦର ବୃଦ୍ଧି, ଅର୍ଥ ବ୍ୟବସ୍ଥା, ନିଯୁକ୍ତି ଭଳି ପ୍ରସଙ୍ଗକୁ ଲଗାତାର ଉଠାଇଥିଲେ ସେ । ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପଙ୍କ ଉପରେ ଲୋକଙ୍କ ଅଧିକ ଭରସା ରହିଛି । ତେବେ ଟ୍ରମ୍ପଙ୍କ ପ୍ରବାସୀ ନୀତି ଯୋଗୁ ପ୍ରବାସୀ ଭାରତୀୟଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ଯୁଦ୍ଧ ରୋକିବା ଓ ଶାନ୍ତି ରକ୍ଷା ନେଇ ପ୍ରତିଶ୍ରୁତି ଦେବା ସହ ଏଥର ନିଜ ଛବି ବଦଳାଇବାକୁ ଭରପୁର ପ୍ରୟାସ କରିଛନ୍ତି ଟ୍ରମ୍ପ ।