Advertisment

Cannibalism: ଟ୍ରମ୍ପ ସରକାରଙ୍କ ନରଭକ୍ଷୀ ଥିଓରୀ, କେତେ ସତ କେତେ ମିଛ ?

ଜଣେ ପ୍ରବାସୀ ବିମାନରେ ନିଜକୁ ଖାଇବା ଆରମ୍ଭ କରିଥିଲେ। ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ତାଙ୍କୁ ମଝି ଆକାଶରେ ଫେରାଇ ଆଣିବାକୁ ପଡ଼ିଥିଲା। ସନ୍ଦେହର କାରଣ ହେଲା, ଏତେ ସବୁ ହେବାପରେ ମଧ୍ୟ ଏପରି ଏକ ସମ୍ବେଦନଶୀଳ ଘଟଣାର କୌଣସି ଡାକ୍ତରୀ ରିପୋର୍ଟ ନାହିଁ। କିମ୍ବା କୌଣସି ଏଜେନ୍ସି ଏହାକୁ ନିଶ୍ଚିତ କରିନାହିଁ। କେବଳ ଚାଞ୍ଚଲ୍ୟକର ବୟାନ ଦେଇ ଅବୈଧ ପ୍ରବାସୀମାନଙ୍କୁ ଅସଭ୍ୟ ଏବଂ ବିପଦପୂର୍ଣ୍ଣ ବୋଲି କୁହାଯାଉଛି ।

america

america

Advertisment

ସାରା ବିଶ୍ୱରେ ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କଳେ ବଳେ କୌଶଳେ ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ଚେଷ୍ଟା କରୁଛି ଟ୍ରମ୍ପ ପ୍ରଶାସନ । ଫଳରେ ଆମେରିକା ସରକାରଙ୍କ ପ୍ରବାସୀ ନୀତିକୁ ନେଇ ବିବାଦ ଆରମ୍ଭ ହୋଇଛି ।  ଅବୈଧ ପ୍ରବାସୀଙ୍କୁ ଦେଶାନ୍ତର କରିବାକୁ ଟ୍ରମ୍ପ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆମେରିକା ଇତିହାସରେ ସବୁଠାରୁ ବଡ଼ ନିର୍ବାସନ ଅଭିଯାନ ଆରମ୍ଭ କରି ଅବୈଧ ପ୍ରବାସୀଙ୍କୁ ଦେଶରୁ ବିତାଡ଼ିତ କରାଯିବ ବୋଲି ଆମେରିକାବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଟ୍ରମ୍ପ । ଏଥିପାଇଁ କାମ ମଧ୍ୟ ଆରମ୍ଭ ହୋଇସାରିଛି , ଅବୈଧ ପ୍ରବାସୀମାନଙ୍କୁ ଫେରାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । 

Advertisment

ଅନ୍ୟପକ୍ଷରେ ଅମାନିଆ ପ୍ରବାସୀଙ୍କୁ ଭୟଭୀତ କରାଇବା ପାଇଁ ହେଉ କି ବାଟକୁ ଆଣିବା ପାଇଁ କେତେବେଳେ କୁମ୍ଭୀର ଦ୍ୱାରା ଘେରି ହୋଇଥିବା ସ୍ଥାନରେ ଡିଟେନସନ ସେଣ୍ଟର ନିର୍ମାଣ କଥା କୁହାଯାଉଛି ତ ଆଉ କେତେବେଳେ ପ୍ରବାସୀଙ୍କୁ ଅପରାଧୀ ଏପରିକି ନରଭକ୍ଷୀ ବୋଲି ମଧ୍ୟ ଅଭିଯୋଗ କରାଯାଉଛି । ହେଲେ ପ୍ରବାସୀଙ୍କୁ ନରଭକ୍ଷୀ ସହ ତୁଳନା ନିର୍ବାସନକୁ ଯଥାର୍ଥ କରିବା ପାଇଁ କୁହାଯାଇଛି, ନା ଏଥିରେ କୌଣସି ସତ୍ୟତା ଅଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । 

ନରଭକ୍ଷୀ ଥିଓରୀ ସତ ନା ମିଛ ?

ଅମାନିଆ ପ୍ରବାସୀଙ୍କୁ ଦଣ୍ଡଦେବା ପାଇଁ ଫ୍ଲୋରିଡାରେ ଏକ ନୂତନ ଡିଟେନସନ ସେଣ୍ଟରର ନିର୍ମାଣ ଶେଷ ହୋଇସାରିଛି । କୁମ୍ଭୀର ଓ ସାପଙ୍କ ଦ୍ୱାରା ଘେରି ହୋଇଥିବା ସ୍ଥାନରେ ନିର୍ମାଣ ହୋଇଛି ଏହି ସେଣ୍ଟର । ନିର୍ବାସିତଙ୍କୁ ରୋକିବା ପାଇଁ ଏହା ଏକ ପ୍ରାକୃତିକ ସୁରକ୍ଷାକେନ୍ଦ୍ର ସାଜିବ, ଯେଉଁଠାରୁ ଖସିବା ଅସମ୍ଭବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ ମଧ୍ୟ ଏହି  ସ୍ଥାନ ପରିଦର୍ଶନ କରିସାରିଛନ୍ତି । 
ତେବେ କ୍ରିଷ୍ଟି ନୋଏମ ଦାବି କରିଛନ୍ତି, ଅବୈଧ ପ୍ରବାସୀଙ୍କୁ ଫେରାଇବା ସମୟରେ ଜଣେ ବ୍ୟକ୍ତି ନିଜ ମାଂସ ନିଜେ ଖାଇବା ଆରମ୍ଭ କରିଥିଲେ । ତାଙ୍କ ସ୍ଥିତି ଗୁରୁତର ହୋଇଯିବାରୁ ମଝି ରାସ୍ତାରୁ ବିମାନ ଫେରାଇ ଆଣି  ଚିକିତ୍ସା କରାଇବାକୁ ପଡ଼ିଥିଲା । 

Advertisment

ନୂଆ ନୂହେଁ ଏପରି ଅଭିଯୋଗ

ଅନେକ ହଲିଉଡ ଓ ବଲିଉଡ ସିନେମାରେ କାନିବଲ ଅର୍ଥାତ ନରଭକ୍ଷୀର ଭୂମିକା ଆପଣ ଦେଖିଥିବେ, ଯେଉଁମାନେ ମଣିଷ ମାଂସ ଖାଆନ୍ତି । ଗତ ବର୍ଷ ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀମାନଙ୍କୁ ମାନସିକ ଭାବରେ ଅସ୍ଥିର ଓ ନରଭକ୍ଷୀ ଭାବରେ ବର୍ଣ୍ଣନା କରିଥିଲେ। ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ହେଇତି ସମ୍ପ୍ରଦାୟ ଉପରେ ପୋଷା କୁକୁର ଏବଂ ବିଲେଇ ଚୋରି କରି ଖାଇବାର ଅଭିଯୋଗ ଆଣିଥିଲେ । 

କୁହାଯାଉଛି, ନରଭକ୍ଷୀ ପ୍ରସଙ୍ଗ ଆଳରେ ଆମେରିକାରୁ ତୁରନ୍ତ ପ୍ରବାସୀଙ୍କୁ ତଡ଼ିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଟ୍ରମ୍ପ ପ୍ରଶାସନ । ଏଥିପାଇଁ ବିଗ୍ ବିୟୁଟିଫୁଟ ବିଲରେ ବିପୁଳ ବ୍ୟୟବରାଦ ହୋଇଛି, ଯାହା ଲୋକଙ୍କୁ ଫେରାଇବା ପାଇଁ ବ୍ୟବହାର କରାଯିବ । ତେବେ ଟ୍ରମ୍ପ ସରକାରଙ୍କ ନରଭକ୍ଷୀ ଅଭିଯୋଗ କେବଳ ଉଦ୍ଦେଶ୍ୟ ପୂରଣ ପାଇଁ ନା ଏଥିରେ କୌଣସି ସତ୍ୟତା ଅଛି? ବିଶ୍ୱରେ ଏବେ ବି ଏପରି ସମ୍ପ୍ରଦାୟ ଅଛନ୍ତି କି, ଯେଉଁମାନେ ମଣିଷମାଂସ ଖାଉଛନ୍ତି । 

Advertisment

ଟ୍ରମ୍ପ ଓ ତାଙ୍କ ସାଥୀଙ୍କ ଅଭିଯୋଗ କ’ଣ ?

ଆମେରିକାବାସୀଙ୍କ ସହଯୋଗ ପାଇବା ଓ ସରକାରଙ୍କ ଆଡ଼କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ସମୟେ ସମୟେ ଏପରି କିଛି ବୟାନ ଦେଇଥାଆନ୍ତି ରାଜନେତା । ଏପରି କିଛି କହିବା ଦ୍ୱାରା ବାହାରୁ ଆସୁଥିବା ଲୋକଙ୍କୁ ଆମେରିକୀୟମାନେ ଏକଘରିଆ କରିଦେବେ ଓ ପ୍ରବାସୀଙ୍କର ଆମେରିକା ରହଣୀ କଷ୍ଟକର ହୋଇପଡ଼ିବ । ଏଥିପାଇଁ ଜାଣିଶୁଣି ଏପରି ପ୍ରଚାର କରାଯାଉଥିବା କେହି କେହି କହୁଛନ୍ତି । ବିନା କୌଣସି ପ୍ରମାଣରେ ନୋଏମ ଓ ଅନ୍ୟ ରାଜନେତାଙ୍କ ବୟାନକୁ ନେଇ ଅନେକ ପ୍ରଶ୍ନ ଉଠୁଛି । 

ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ନୋଏମ କହିଥିଲେ, ଜଣେ ପ୍ରବାସୀ ବିମାନରେ ନିଜକୁ ଖାଇବା ଆରମ୍ଭ କରିଥିଲେ। ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ତାଙ୍କୁ ମଝି ଆକାଶରେ ଫେରାଇ ଆଣିବାକୁ ପଡ଼ିଥିଲା। ସନ୍ଦେହର କାରଣ ହେଲା, ଏତେ ସବୁ ହେବାପରେ ମଧ୍ୟ ଏପରି ଏକ ସମ୍ବେଦନଶୀଳ ଘଟଣାର କୌଣସି ଡାକ୍ତରୀ ରିପୋର୍ଟ ନାହିଁ। କିମ୍ବା କୌଣସି ଏଜେନ୍ସି ଏହାକୁ ନିଶ୍ଚିତ କରିନାହିଁ। କେବଳ ଚାଞ୍ଚଲ୍ୟକର ବୟାନ ଦେଇ ଅବୈଧ ପ୍ରବାସୀମାନଙ୍କୁ ଅସଭ୍ୟ ଏବଂ ବିପଦପୂର୍ଣ୍ଣ ବୋଲି କୁହାଯାଉଛି ।
ପ୍ରବାସୀଙ୍କୁ ଏପରି କହିବା ନୂଆ କଥା ନୁହେଁ । ଟ୍ରମ୍ପ ପୂର୍ବରୁ ଅନେକ ଥର ପ୍ରବାସୀମାନଙ୍କୁ  ଦୁଷ୍କର୍ମକାରୀ, ଗୁଣ୍ଡା ଏବଂ ଏବେ ନରଭକ୍ଷୀ ବୋଲି କହିସାରିଛନ୍ତି। ଏହା ଏକ ରାଜନୈତିକ ଅସ୍ତ୍ର।  ଜାଣିଶୁଣି ପ୍ରହେଳିକା ସୃ୍ଷ୍ଟି କରାଯାଉଥିବା ଅଭିଯୋଗ ହେଉଛି ।  ଲୋକଙ୍କ ମନରେ ଭୟ ସଂଚାର କରାଇ ଅସୁରକ୍ଷିତ ଅନୁଭବ କରାଯାଉଛି । 

ସତରେ ଅଛନ୍ତି କି ନରଭକ୍ଷୀ ?

ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ବି ଦୁନିଆରେ ଅଛନ୍ତି କି ନରଭକ୍ଷୀ ? ହୁଏତ ଏହାର କୌଣସି ପ୍ରକାର ପ୍ରମାଣ ନଥିବ କିମ୍ବା ସିଧାସଳଖ ଜବାବ ନାହିଁ । କୁହାଯାଏ ଏବେ ବି କିଛି ସଂମ୍ପ୍ରଦାୟର ଲୋକେ ସମୟ ସମୟରେ ମଣିଷ ମାଂସ ଖାଆନ୍ତି । ଐତିହାସିକ ତଥ୍ୟ ଅନୁସାରେ ପୂର୍ବରୁ ରୀତିନୀତି ପାଳନ ଉଦ୍ଦେଶ୍ୟରେ କିଛି ସମ୍ପଦ୍ରାୟ ମଣିଷ ମାଂସ ଖାଉଥିଲେ । 
କଙ୍ଗୋ ଏବଂ ଉଗାଣ୍ଡାର କିଛି ଲଢ଼ୁଆ ସମ୍ପଦାୟ ବିରୋଧରେ ଏବେ ବି ଏପରି ଅଭିଯୋଗ ଆସେ । ବିଶେଷକରି ଲର୍ଡସ୍ ରେଜିଷ୍ଟାନ୍ସ ଆର୍ମି ଏବଂ କଙ୍ଗୋର କିଛି ମିଲିସିଆ ଗୋଷ୍ଠୀଙ୍କୁ ନରଭକ୍ଷୀ କୁହାଯାଏ । ଲର୍ଡସ ରେଜିଷ୍ଟାନ୍ସ ଆର୍ମିର ନେତା ଜୋସେଫ କୋନି ଶତ୍ରୁମାନଙ୍କୁ ହତ୍ୟା କରି ଖାଇଯାଉଥିଲା ଏବଂ ସୈନିକମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପ୍ରବର୍ତ୍ତାଉ ଥିଲା । ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ଅଭିଯୋଗ ଗୁଡ଼ିକ ବିଷୟରେ  ଉଲ୍ଲେଖ କରାଯାଇଥିଲା । ଏପରିକି ଯୁବ  ମିଲିଟାଣ୍ଟ ମାନଙ୍କୁ ମଧ୍ୟ ନରଭକ୍ଷୀ କୁହାଯାଇଥିଲା, ଯଦ୍ୱାରା ସେମାନେ ଗୋଷ୍ଠୀ ଛାଡି ପଳାୟନ କରିପାରୁନଥିଲେ । 

ତେବେ ଏପରି ଅଭିଯୋଗର ସତ୍ୟତା ନିଶ୍ଚିତ କରିବା କଷ୍ଟକର । କିନ୍ତୁ ଏହା ଉପରେ ଅନେକ ଅନ୍ତର୍ଜାତୀୟ ରିପୋର୍ଟ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ପ୍ରମାଣ ରହିଛି । ନିକୋଲାସ୍ କ୍ଲକ୍ସ ନାମକ ଜଣେ ଫରାସୀ ବ୍ୟକ୍ତି ଦାବି କରିଥିଲେ, ସେ ମଣିଷ ମାଂସ ଖାଆନ୍ତି। ଏକ ଶବଗୃହରେ କାମ କରୁଥିବା ନିକୋଲାସ୍ ସବୁବେଳେ ମୃତ ଶରୀର ସଂସ୍ପର୍ଶରେ ଆସୁଥିଲେ । ନବେ ଦଶକରେ ସେ ମୃତ ଶରୀର ପ୍ରତି ନିଷ୍ଠୁର ବ୍ୟବହାର କରିବା ଆରମ୍ଭ କରିଥିଲେ। ଏକଥା ଜଣାପଡ଼ିବା ପରେ ତାଙ୍କୁ ଜେଲଦଣ୍ଡ ହୋଇଥିଲା । କିନ୍ତୁ ମୁକ୍ତ ହେବା ପରେ ମଧ୍ୟ ସେ ଏହି ବିଷୟରେ  ଖୋଲାଖୋଲି ଆଲୋଚନା କରୁଥିଲେ । 

ବିଜ୍ଞାନ କ’ଣ କହେ ?

ଅପରାଧିକ ପ୍ରବୃତ୍ତିର ଲୋକେ ମଧ୍ୟ ସହଜରେ ନରଭକ୍ଷୀ ହୁଅନ୍ତି ନାହିଁ । ଏହାର କାରଣ ଭୋକ କିମ୍ବା କ୍ରୋଧ ନୁହେଁ, ବରଂ ଅନେକ ନ୍ୟୁରୋକେମିକାଲ୍ ପରିବର୍ତ୍ତନ। ଉଦାହରଣ ସ୍ୱରୂପ, ସେରୋଟୋନିନ୍ ସ୍ତର ବହୁତ କମ୍ ହୋଇଗଲେ କିମ୍ବା କୋର୍ଟିସୋଲ୍ ଭଳି ଚାପ ହରମୋନର ସ୍ତର ବହୁତ ଅଧିକ ହୋଇଗଲେ ମଣିଷ ନରଭକ୍ଷୀ ହେବାର ସମ୍ଭାବନା ଥାଏ। କେତେକ ସମୟରେ ମାନସିକ  ବିକାରଗ୍ରସ୍ତ ବ୍ୟକ୍ତି ଠାରେ ଏପରି ପ୍ରବୃତ୍ତି ଦେଖା ଦେଇପାରେ । କିନ୍ତୁ ଏହା କେବଳ ବିରଳରୁ ବିରଳ ମାମଲାରେ ଘଟିବାର ସମ୍ଭାବନା ଥାଏ ।

ଅଧିକ ପଢ଼ନ୍ତୁ: ଜଳ ପ୍ରଳୟରେ ଆମେରିକାରେ ହାହାକାର; ଭୀଷଣ ବନ୍ୟାରେ ଏଯାଏଁ ୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ...

Donald Trump USA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ