• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ନିଜ ଧର୍ମ ପାଳନ କରିବାର ଅଧିକାର ସମସ୍ତଙ୍କର ରହିଛି । ଏ ଅଧିକାର ପ୍ରତ୍ୟେକ ଦେଶ ତାର ନାଗରିକଙ୍କୁ ଦେଇଥାଏ । ସମସ୍ତେ ନିଜ ନିଜ ଧର୍ମପୀଠ ତିଆରି କରି ପାରିବେ, ସେଠାରେ ଆରାଧନା କରିପାରିବେ । ସେଥିପାଇଁ ଅଧିକାଂଶ ଦେଶରେ ପ୍ରତ୍ୟେକ ଧର୍ମର ପୂଜାସ୍ଥଳ ଦେଖିବାକୁ ମିଳିଥାଏ । ହେଲେ ଜାଣନ୍ତି, ଏମିତି ଏକ ଦେଶ ଅଛି, ଯେଉଁଠାରେ ମାତ୍ରାଧିକ ଲୋକ ମୁସଲମାନ ସଂପ୍ରଦାୟର, ହେଲେ ଗୋଟିଏ ହେଲେ ବି ମସଜିଦ ନାହିଁ !

ମସଜିଦ ନ ଥିବା ଏହି ଦେଶ ହେଉଛି ଭୁଟାନ । ଭୁଟାନ ଏମିତି ଏକ ଦେଶ ଯେଉଁଠି ବିକାଶ ଜାତୀୟ ଖୁସି ଅର୍ଥାତ ଜିଏନଏଚରେ ମପା ଯାଇଥାଏ । ଏହି ଦେଶକୁ ଥଣ୍ଡର ଡ୍ରାଗନର ଭୂମି ବୋଲି ମଧ୍ୟ କୁହାଯାଇଥାଏ । ଭୁଟାନରେ ମୁଖ୍ୟ ଧର୍ମ ହେଉଛି ବୌଦ୍ଧ । ସାଂସ୍କୃତିକ ଏବଂ ଧାର୍ମିକ ଅଧିକାର ସୂତ୍ରରେ ଭୁଟାନକୁ ଏହି ଧର୍ମ ମିଳିଛି । ଏହି ଦେଶର ଏକଚତୁର୍ଥାଂଶ ଜନସଂଖ୍ୟା ହିନ୍ଦୁ, ଖ୍ରୀଷ୍ଟିୟାନ ତଥା ମୁସଲିମ ଅଟନ୍ତି ।

ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭୁଟାନ ଏକ ଛୋଟ ରାଜ୍ୟ । ଏହାର ମୋଟ ଜନସଂଖ୍ୟା ୭.୫ ଲକ୍ଷ । ଅଧିକାଂଶ ଲୋକ ଏଠାରେ ବୌଦ୍ଧାଧର୍ମାବଲମ୍ବୀ । କହିବାକୁ ଗଲେ ୭୫% ଲୋକ ବୌଦ୍ଧ । ୨୨.୬ ପ୍ରତିଶତ ହିନ୍ଦୁ ଅଟନ୍ତି । ଏଠାରେ ହିନ୍ଦୁଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଭୁଟାନରେ ବୌଦ୍ଧ ମନ୍ଦିର ଏବଂ ମଠ ସହ ହିନ୍ଦୁ ମନ୍ଦିର ବି ରହିଛି ।

ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ବିଖ୍ୟାତ ଭୁଟାନରେ ମୁସଲିମ ସଂପ୍ରଦାୟ ଲୋକଙ୍କ ସଂଖ୍ୟା ମାତ୍ର ୭ ହଜାର ପାଖାପାଖି । ଭୁଟାନ ବିଶ୍ୱର ତୃତୀୟ ଦେଶ ଅଟେ ଯେଉଁଠି କୌଣସି ମସଜିଦ ନାହିଁ । ଭୁଟାନ ବ୍ୟତୀତ ମୋନାକୋ ଏବଂ ସ୍ଲୋଭାକିଆରେ ମଧ୍ୟ ଗୋଟିଏ ବି ମସଜିଦ ନାହିଁ । ଭୁଟାନରେ ଅଧିକାଂଶ ମୁସଲିମ ନିଜ ନିଜ ଘରେ ନମାଜ ପଢିଥାନ୍ତି । ସେଥିପାଇଁ ଭୁଟାନର ମୁସଲିମ ସଂପ୍ରଦାୟ ୨୦୦୮ରେ ଭାରତ ସୀମାରେ ଥିବା ଜୟଗାଁରେ ଏକ ମସଜିଦ ନିର୍ମାଣ କରିଥିଲେ । ଭୁଟାନରେ ଏକ ପ୍ରତିଶତ ଜନସଂଖ୍ୟା ରୋମାନ କ୍ୟାଥଲିକ ଅଟନ୍ତି । ଏମାନେ ପ୍ରାୟ ଦେଶର ଦକ୍ଷିଣ ଇଲାକାରେ ରୁହନ୍ତି । ୧୬୨୭ରେ ଭୁଟାନରେ ଖ୍ରୀଷ୍ଟ ଧର୍ମ ପ୍ରବେଶ କରିଥିଲା ଯେତେବେଳେ ଦୁଇ ପର୍ତ୍ତୃଗୀଜ ତିବ୍ବତରେ ଯୀଶୁଙ୍କ ମିଶନ ସମ୍ପର୍କରେ ଜାଣିବା ପାଇଁ ଆସି ଏଠାରେ ପହଞ୍ଚି ଯାଇଥିଲେ ।

ଭୁଟାନ ସମ୍ବିଧାନ ଅନୁସାରେ, ପ୍ରତ୍ୟେକ ନାଗରିକକୁ ସମ୍ପୂର୍ଣ୍ଣ ଧାର୍ମିକ ସ୍ୱାଧୀନତା ଦିଆଯାଇଛି । ହେଲେ ଧର୍ମ ପରବର୍ତ୍ତନ ପାଇଁ କଡା କଟକଣା ରହିଛି । ଏଠାରେ କ୍ୟାଥେଲିକମାନଙ୍କୁ ମଧ୍ୟ ଖୋଲାଖୋଲି ଧର୍ମ ପରିବର୍ତ୍ତନ ଉପରେ ବାରଣ କରାଯାଇଛି । ଏପରିକି ଏଠାରେ ଭୁଟାନବାସୀ ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧାର୍ମିକ ଭବନ ନିର୍ମାଣ କରିପାରିବେ ନାହିଁ କିମ୍ବା ଅନ୍ୟ ଧର୍ମର ଉତ୍ସବ ପାଳିବେ ନାହିଁ । ଏ ନେଇ ସରକାରୀ ସ୍ତରରେ କଟକଣା ଜାରି କରାଯାଇଛି । ଭୁଟାନରେ ବୌଦ୍ଧ ଧର୍ମ ପରେ ହିନ୍ଦୁ ଧର୍ମ ଦ୍ୱିତୀୟ ସବୁଠାରୁ ଅଧିକ ପ୍ରଚଳିତ ଧର୍ମ ଅଟେ । ସେଥିପାଇଁ ଦକ୍ଷିଣ ଭୁଟାନରେ ଅନେକ ହିନ୍ଦୁ ମନ୍ଦିର ରହିଛି । ହିନ୍ଦୁ ବୈଦିକ ବିଦ୍ୟାଳୟ ଦେଶର ବିଭିନ୍ନ ଭାଗରେ ରହିଛି ଯେଉଁଠି ହିନ୍ଦୁ ସଂସ୍କୃତି ଓ ପରମ୍ପରା ଉପରେ ଶିକ୍ଷା ଦିଆଯାଏ । ଭୁଟାନର ହିନ୍ଦୁ ମଧ୍ୟ ଦଶହରା ପରି ଅନେକ ଗୁଡିଏ ପର୍ବପର୍ବାଣୀ ମନାଇଥାନ୍ତି । ଏହି ଦିନମାନଙ୍କରେ ଭୁଟାନରେ ସାର୍ବଜନୀନ ଛୁଟି ରହିଥାଏ ।

ଭୁଟାନବାସୀ ବଜ୍ରଯାନ ଅର୍ଥାତ ବୌଦ୍ଧ ଧର୍ମର ମହାଯାନ ଶାଖାର ନୀତିନିୟମକୁ ପାଳନ କରିଥାନ୍ତି । ତିବ୍ବତ ପ୍ରବାସୀ ତଥା ସେମାନଙ୍କ ବଂଶଧର ନାଗାଲୋପ ବୌଦ୍ଧଙ୍କ ଜନସଂଖ୍ୟା ଏଠାରେ ସର୍ବାଧିକ । ଏମାନେ ଭୁଟାନର ମଧ୍ୟ-ପଶ୍ଚିମ କ୍ଷେତ୍ରରେ ରୁହନ୍ତି । ଭୁଟାନର ମୂଳ ନିବାସୀ ହେଉଛନ୍ତି ଶାରଚପ୍ସ । ସେମାନେ ପୂର୍ବର ଭୁଟାନରେ ରୁହନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now