• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବର ୬୩ କୁ କନ୍ୟା ୧୨ ବର୍ଷ । ଜଣେ ୬୩ ବର୍ଷୀୟ ପୁରୋହିତ ସହ ଜଣେ ୧୨ ବର୍ଷୀୟ ନାବାଳିକାର ବିବାହ ହେବା ପରେ ବିବାଦ ଦେଖାଦେଇଛି । ଏପରି ଘଟଣା ଘାନାରେ ଘଟିଛି । ଘାନାର ରାଜଧାନୀ ଆକ୍ରାରେ ଥିବା ନଙ୍ଗୁଆ ଅଞ୍ଚଳରେ ଜଣେ ପୁରୋହିତ ନାବାଳିକାକୁ ବିବାହ କରିଥିଲେ ।

ପୁରୋହିତ ଜଣକ ହେଲେ ନୁମୋ ବୋର୍କେଟେ ଲାୱେ ସୁରୁ XXXIII । ଘଟଣାଟି ଗତ ଶନିବାର ଦିନ ଘଟିଥିଲା । ଏକ ସମାରୋହରେ ଉକ୍ତ ଅଞ୍ଚଳର ପୁରୋହିତଜଣକ ସ୍ଥାନୀୟ ଏକ ନାବାଳିକାକୁ ବିବାହ କରିଥିଲେ । ଏହି ବିବାହ ଅନୁଷ୍ଠାନକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି ।

ପୁରୋହିତ ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ପାରମ୍ପରିକ ଧର୍ମଯାଜକ ବା ଆଧ୍ୟାତ୍ମିକ ଗୁରୁ ଅଟନ୍ତି । ନଙ୍ଗୁଆ ଆଦିବାସୀ ସମ୍ପ୍ରଦାୟରେ ସେ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଅଧିକାର ପାଇଛନ୍ତି । ସୂଚନାଯୋଗ୍ୟ ଘାନାରେ ବିବାହ କରିବାର ସର୍ବନିମ୍ନ ବୟସ ୧୮ ବର୍ଷ ଧାର୍ଯ୍ୟ କରାଯାଇଛି । ଏପରି ବିବାହ ଉତ୍ସବ ଜନଅସନ୍ତୋଷ ସୃଷ୍ଟି କରିଛି ।

ଦଶ ହଜାର ଆଦବାସୀଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟକ୍ରମ ହୋଇଥିଲା । ନାବାଳିକା ଜଣକ ଧଳା ପୋଷାକରେ ଆସିଥିଲେ । ସ୍ଥାନୀୟ ଭାଷାରେ ଉପସ୍ଥିତ ଥିବା ମହିଳା ମାନେ ପତ୍ନୀର କର୍ତ୍ତବ୍ୟ କରିବାକୁ କହୁଥିବା ଜଣା ପଡ଼ିଛି । ଏହା ସହ ସ୍ୱାମୀଙ୍କୁ ପସନ୍ଦ ଥିବା ଭଳି ଅତର ବ୍ୟବହାର କରିବାକୁ ମଧ୍ୟ କହୁଥିବା ଜଣା ପଡ଼ିଛି ।

ଘଟଣାଟି ଅନେକ ଘାନାବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ସୃଷ୍ଟି କରିଛି । ଅନେକ ଏହାକୁ ବେଆଇନ ମଧ୍ୟ କହିଛନ୍ତି । ଏଥି ସହ ଉକ୍ତ ପୁରୋହିତକୁ ଗିରଫ କରିବାକୁ ମଧ୍ୟ ସାଧାରଣରେ ଦାବି ହୋଇଛି । ତେବେ ଏପରି ସମାଲୋଚନା ସତ୍ତ୍ୱେ ଅନେକ ପୁରୋହିତଙ୍କ ସପକ୍ଷରେ ବାହାରିଛନ୍ତି ।

ସେମାନେ କହିଛନ୍ତି, ପରମ୍ପରାକୁ ଜଳାଞ୍ଜଳି ଦିଆ ଯାଇପାରିବନାହିଁ । ଲୋକମାନେ ରୀତିନୀତି-ପରମ୍ପରାକୁ ବୁଝନ୍ତି ନାହିଁ । ଏହି ବିବାହ କେବଳ ପରମ୍ପରା ଏବଂ ପ୍ରଥା ଅଟେ । ସ୍ଥାନୀୟ ନେତା ଜଣେ କହିଛନ୍ତି ଯେ, ଝିଅଟି ୬ ବର୍ଷ ବୟସରେ ହିଁ ପୁରୋହିତଙ୍କ ପତ୍ନୀ ହେବା ଆବଶ୍ୟକ ଥିଲା । ଅନ୍ୟପଟେ ଏହି ପ୍ରକ୍ରିୟା କିନ୍ତୁ ଶିକ୍ଷାକୁ ବାଧା ଦିଏ ନାହିଁ ବୋଲି କହିଛନ୍ତି ।

ତେବେ ପୋଲିସ ନାବାଳିକାକୁ ଚିହ୍ନଟ କରିସାରିଛି । ସେ ନିଜ ମାଆଙ୍କ ସହ ପୋଲିସ ସୁରକ୍ଷାରେ ରହିଛନ୍ତି । ତେବେ ଏହି ବିବାଦୀୟ ବିବାହକୁ ନେଇ ଘାନା ସରକାର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । ବିଶ୍ୱ ସ୍ତରୀୟ ଏନଜିଓ ସଂସ୍ଥା ଗାର୍ଲ୍ସ ନଟ୍ ବ୍ରିଡ୍ସର ତଥ୍ୟ ଅନୁସାରେ, ଘାନାର ଝିଅମାନଙ୍କ ମଧ୍ୟରୁ ଏକ ବଡ଼ ପ୍ରତିଶତ ବୟସ ହେବା ପୂର୍ବରୁ ବିବାହ କରନ୍ତି ବୋଲି ଜଣା ପଡ଼ିଛି ।