ଗର୍ଜିଲା ବନ୍ଧୁକ ! ମାତ୍ର କିଛି ଘଣ୍ଟାରେ ଅନେକ ଜୀବନ କାହାଣୀରେ ପଡ଼ିଲା ପୂର୍ଣ୍ଣଛେଦ...

୨୦୧୫ରେ ପଡ଼ୋଶୀ ଦେଶ ମାଲିରୁ ଉଭୟଙ୍କ ମଧ୍ୟରେ ଏହି ତିକ୍ତତା ବ୍ୟାପିଥିଲା । ଯାହାର ପରିଣାମ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ।

Gun Shots

୬୦୦ ଜଣ ଟଳିପଡ଼ିଲେ । ମାତ୍ର କିଛି ଘଣ୍ଟାରେ । ତାପରେ ଯୁଆଡ଼େ ଦେଖିବ ଖାଲି ଶବ ଆଉ ଶବ । ଏହି ଶବ ସବୁ କାହାର ତାହା କହିବା ମୁସ୍କିଲ । କିଏ କହୁଛି ଅଲକାଏଦା ସଦସ୍ୟଙ୍କର ଆଉ କିଏ କହୁଛି ଜିହାଦିଙ୍କର । କେହି କେହି ସେମାନଙ୍କୁ ସାଧାରଣ ଲୋକ ବି କହୁଛନ୍ତି । ଗତ ଅଗଷ୍ଟରେ ଏମିତି କିଛି ଘଟଣା ଘଟିଥିଲା ବାରସାଲୋଘର ବୁରକିନା ଫାସୋରେ । ଏହି ରିପୋର୍ଟ ଶୁକ୍ରବାର ସାମ୍ନାକୁ ଆସିଛି ।

ବାରସାଲୋଘୋର ବାସିନ୍ଦା ଅଗଷ୍ଟ ୨୪ ତାରିଖରେ ଏହି ଘଟଣାର ସମ୍ମୁଖୀନ ହୋଇଥିଲେ । ଅଖିପିଛୁଳାକେ ଚାଲିଯାଇଥିଲା ଅନେକଙ୍କ ଜୀବନ । ଝଡ଼ ଭଳି ମାଡ଼ି ଆସିଥିଲେ ବନ୍ଧୁକଧାରୀ । ବର୍ଷା କରିଥିଲେ ଧମାଧମ ଗୁଳି । ସେଇଠି ହିଁ ଅନେକ ଜୀବନରେ ପଡ଼ିଥିଲା ପୂର୍ଣ୍ଣଛେଦ ।

ତେବେ ମୃତକଙ୍କ ମଧ୍ୟରେ ଥିଲେ ଅନେକ ମହିଳା ଏବଂ ଶିଶୁ । ଏହା ପଶ୍ଚିମ ଆଫ୍ରିକୀୟ ଦେଶର ଇତିହାସରେ ସବୁଠାରୁ ଭୟଙ୍କର ଘଟଣା ଥିଲା । ପୂର୍ବରୁ ଏମିତି ଘଟଣା କେବେ ବି ସେଠାରେ ଘଟିନଥିଲା । ତେବେ ଏହି ଘଟଣା ପଛର ମୂଳ କାରଣ ହେଲା, ଇସ୍‌ଲାମିକ୍‌ ଷ୍ଟେଟ୍‌ର ଜିହାଦି ଓ ଅଲ-କାଏଦା ମଧ୍ୟରେ ଥିବା ତିକ୍ତତା । ୨୦୧୫ରେ ପଡ଼ୋଶୀ ଦେଶ ମାଲିରୁ ଉଭୟଙ୍କ ମଧ୍ୟରେ ଏହି ତିକ୍ତତା ବ୍ୟାପିଥିଲା । ଯାହାର ପରିଣାମ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ।

ଅଲକାଏଦା ସ୍ୱୀକୃତିପ୍ରାପ୍ତ ସଂସ୍ଥା ଜାମା ନୁସରତ ଅଲ-ଇସ୍‌ଲାମ୍‌ ୱାଲ ମୁସଲିମ୍ (JNIM) ଯାହାକି ମାଲିରେ ରହିଛି । କିନ୍ତୁ ଏହା ବୁରକିନା ଫାସୋରେ ଖୁବ୍‌ ଆକ୍ଟିଭ୍ ଅଛି । ସେମାନେ ବାରସାଲୋଘୋ ସହର ଉପକଣ୍ଠରେ ଦିନେ ବାଇକ୍‌ରେ ଏଣ୍ଟ୍ରି କରୁଥିବା ବେଳେ କିଛି ଗାଁ ଲୋକଙ୍କୁ ଆଖିବୁଜା ଗୁଳିମାରିଥିଲେ । ଯାହାଫଳରେ ଆଖିପିଛୁଳାକେ ଅନେକଙ୍କ ଜୀବନ ଚାଳିଯାଇଥିଲା ।

ତେବେ ଏହି ଘଟଣାରେ ୟୁଏସ୍‌ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଥିଲା । ଯେଉଁଥିରେ ୨୦୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା । କିନ୍ତୁ ଏହି ରିପୋର୍ଟକୁ ଖଣ୍ଡନ କରିଥିଲା JNIM । ସଂସ୍ଥା ପକ୍ଷରୁ କୁହାଯାଇଥିଲା ୨୦୦ ନୁହେଁ ୩୦୦ ଯୋଦ୍ଧାଙ୍କ ଜୀବନ ଯାଇଛି । କିନ୍ତୁ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା CNN ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ପ୍ରାୟ ୬୦୦ ଲୋକଙ୍କ ଜୀବନ ଯାଇଛି ।

ଜଣେ ସାଧାରଣ ବ୍ୟକ୍ତି CNNକୁ କହିଛନ୍ତି, ସକାଳ ପ୍ରାୟ ୧୧ଟାରେ ଏହି ଘଟଣା ଘଟିଥିଲା । ଘଟଣାସ୍ଥଳଠାରୁ ପ୍ରାୟ ୪ କିଲୋମିଟର ଦୂରରେ ସେ ରହିଥିଲେ । ଅଚାନକ ତାଙ୍କୁ ପ୍ରଚୁର ଗୁଳିମାଡ଼ର ଶବ୍ଦ ଶୁଣାଯାଇଥିଲା । କିନ୍ତୁ ସେତିକି ବେଳକୁ ତାଙ୍କୁ ସେନା ପକ୍ଷରୁ ଗାତ ଖୋଳିବା ପାଇଁ ବାଧ୍ୟ କରାଯାଇଥିଲା । ଅନେକ ଲୋକ ଏହି ଗାତ ଖୋଳିବା କାର୍ଯ୍ୟରେ ନିୟୋଜିତ ଥିଲେ ।

ବ୍ୟକ୍ତି ଜଣକ ଆହୁରି କହିଛନ୍ତି ଯେ, କିଛି ସମୟ ପରେ ସେ ଏହି ପରିସ୍ଥିତିରୁ ମୁକୁଳିବାକୁ ଚେଷ୍ଟା କରିଥିଲେ । ଗୁରୁଣ୍ଡି ଗୁରୁଣ୍ଡି ଖାଲ ଭିତରୁ ବାହାରି ଖସିଯିବାକୁ ଉଦ୍ୟମ କରୁଥିଲେ । ହେଲେ ସେତିକି ବେଳକୁ ଆକ୍ରମଣକାରୀମାନେ ଗୁଳି ବର୍ଷା କରି ସେଠାରେ ପହଞ୍ଚି ସାରିଥିଲେ । ତାଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ସେ ବି ରକ୍ତାକ୍ତ ହୋଇଥିଲେ ।

ପୂରା ଅଞ୍ଚଳ ରକ୍ତରଂଜିତ ହୋଇଯାଇଥିଲା । ଯୁଆଡ଼େ ଦେଖିବ ଖାଲି ରକ୍ତ ଭାସୁଥିଲା ବୋଲି ସେ କହିଛନ୍ତି । ତେବେ ଏମିତି ପରିସ୍ଥିତିରେ ସେ ନିଜକୁ ବଞ୍ଚାଇବା ପାଇଁ ମୁହଁ ମାଡ଼ି ମୁର୍ଦ୍ଦାର ଭଳି ତଳେ ପଡ଼ିରହିଥିଲେ। ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାନରେ ସେମିତି ଶୋଇ ରହିଥିଲେ । ବିପଦ ଟଳିବା ପରେ ସେଠାରୁ ସେ ଉଠିଥିଲେ । ମିଳିଥିବା ସୂଚନା ଅନୁସାରେ ଶବଗୁଡ଼ିକୁ ଏକାଠି କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ପ୍ରାୟ ୩ ଦିନ ଲାଗିଥିଲା ।