• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡାକ ଶୁଣିଲେ ଭଗବାନ୍ । ଦୀର୍ଘ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ । ୩୩ ବର୍ଷ ପୂର୍ବେ ପିଲାଦିନେ ଚୀନ ବାସନ୍ଦା ଲି ଜିଙ୍ଗୱେଇ (Li Jingwei) ଙ୍କର ଅପହରଣ ହୋଇଯାଇଥିଲା । ହେଲେ ତିନି ଦଶନ୍ଧି ପରେ ଜିଙ୍ଗୱେଇ ତାଙ୍କ ମାଙ୍କୁ ଫେରି ପାରିଛନ୍ତି । ପିଲାଦିନର ସ୍ମୃତିକୁ ଆଧାର କରି ଗାଁର ଏକ ମାନଚିତ୍ର ତିଆରି କରି ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଆଉ ସେହି ଫଟୋ ସାହାଯ୍ୟରେ ପରିବାରକୁ ପୁଣି ଥରେ ଭେଟିପାରିଛନ୍ତି ।

୧୯୮୯ରେ ଚୀନର ହେନାନ ପ୍ରଦେଶରେ ୪ ବର୍ଷିୟ ଲି ଜିଙ୍ଗୱାଇଙ୍କୁ ଜଣେ ବ୍ୟକ୍ତି ଅପହରଣ କରିନେଇଥିଲେ । ସେ ପ୍ରାୟ ୧୯୦୦ କିଲୋମିଟର ଦୂରରେ ଥିବା ଗୁଆଙ୍ଗଡଙ୍ଗ ପ୍ରଦେଶର ଏକ ଦମ୍ପତିଙ୍କୁ ଜିଙ୍ଗୱାଇଙ୍କୁ ବିକ୍ରି କରିଦେଇଥିଲେ । ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରିଲା ନାହିଁ । ପୁଅକୁ ନପାଇ ଝୁରି ହେଉଥିଲା ମା’ । ଦୀର୍ଘ ବର୍ଷ ହେବା ପରେ ପୁଅକୁ ଭୁଲି ପାରୁନଥିଲେ, ଆଖିର ଲୁହ ଆଖିରେ ହିଁ ଶୁଖୁଥିଲା । କିନ୍ତୁ ଏତେ ଦିନ ପରେ ଅଭାଗିନୀ ମା’ର ଡାକ ଶୁଣିଛନ୍ତି ଭଗବାନ ।

ବର୍ତ୍ତମାନ ୩୩ବର୍ଷ ପରେ ଜିଙ୍ଗୱାଇ ତାଙ୍କ ହାତରେ ତିଆରି ଘରର ମାନଚିତ୍ର ସାହାଯ୍ୟରେ ପରିବାରକୁ ଫେରି ଆସିଛନ୍ତି । ଏତେ ବର୍ଷ ଘରକୁ ଫେରିବା ପରେ ପରିବାର ଲୋକ ଖୁସିରେ ଆତ୍ମହରା ହୋଇଯାଇଥିଲେ । କିନ୍ତୁ ତାଙ୍କ ମା’ ସ୍ଥାଣୁ ପାଲଟି ଯାଇଥିଲେ । ହଜିଲା ଧନକୁ ପାଇ ତାଙ୍କ ପାଟିରୁ କଥା ବାହାରୁ ନଥିଲା । ଆଖିରୁ ତାଙ୍କର ଧାର ଧାର ଲୁହ ଝରି ପଡ଼ିଥିଲା । ଜିଙ୍ଗୱାଇ ବର୍ତ୍ତମାନ ବିବାହିତ ଏବଂ ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି।

ଜିଙ୍ଗୱାଇ ପରିବାର ଠାରୁ ଅଲଗା ହେବା ପରେ ମା’କୁ ସବୁବେଳେ ମନେ ପକାଉଥିଲେ । ଅତି ଛୋଟ ଥିଲେ ସୁଦ୍ଧା ମା’ର ଚେହେରା ସବୁବେଳେ ଜଳ ଜଳ ଦିଶୁଥିଲା । ଗାଁ କୁ ଭୁଲି ପାରୁନଥିଲେ ଜିଙ୍ଗୱାଇ । ଭୁଲିଯିବେ ଚିନ୍ତା କରି ସେ ଦିନକୁ ନିଜ ଗାଁର ଏକ ଫଟୋ ତିଆରି କରୁଥିଲେ । ଯେଉଁ ଦମ୍ପତିଙ୍କ ପାଖରେ ସେ ରହୁଥିଲେ, ତାଙ୍କୁ ଅନେକ ଥର ଅନୁରୋଧ କରିଥିଲେ ମଧ୍ୟ ସେ ଛାଡ଼ିବାକୁ ନାରାଜ ଥିଲେ ।

ହେଲେ ସୌଭାଗ୍ୟବଶତଃ ଜିଙ୍ଗୱାଇ ଯେଉଁ ମାନଚିତ୍ର ଆଙ୍କିଥିଲେ, ତାହା ତାଙ୍କର ଗାଁର ସଂରଞ୍ଚନା ସହ ମେଳ ଖାଉଥିଲା । ଶେଷରେ ଜିଙ୍ଗୱାଇ ସେହି ମାନଚିତ୍ରକୁ ଇଣ୍ଟରନେଟରେ ଅପଲୋଡ୍ କରିଥିଲେ । ଶିଶୁ ଚାଲାଣର ଶିକାର ହେବାର କାହାଣୀ ମଧ୍ୟ ମାନଚିତ୍ର ସହିତ ସଂଲଗ୍ନ କରିଥିଲେ । ଆଉ ତାଙ୍କ କାହାଣୀ ବେଶ୍ ଭାଇରାଲ ହେବାରେ ଲାଗିଲା । ମାମଲା ପୋଲିସ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା ।

ପାହାଡ ଉପରେ ଅବସ୍ଥିତ ଜାଟୋଙ୍ଗ ସହରର ଏକ ଗାଁ ସହିତ ତାଙ୍କ ଦ୍ୱାରା ପ୍ରସ୍ତୁତ ମାନଚିତ୍ର ମେଳ ଖାଉଥିଲା । ପୋଲିସ୍‌ ସହିତ ଜିଙ୍ଗୱାଇ ଗାଁରେ ପହଞ୍ଚିବା ପରେ ଜିଙ୍ଗୱାଇଙ୍କ ମାଙ୍କୁ ଡିଏନ୍ଏ ରିପୋର୍ଟ ଆଧାରରେ ମିଳିଥିଲା । ନୂଆ ବର୍ଷ ଦିନ ଉଭୟ ମା ପୁଅ ୩୩ ବର୍ଷ ପରେ ପରସ୍ପରକୁ ଭେଟିଛନ୍ତି । ସାକ୍ଷାତ ସମୟରେ ଉଭୟେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ ।