ଅପରେସନ ସିନ୍ଦୂର ଓ ସିଜଫାୟାର ପରେ ପାଣି ପାଇଁ ଛଟପଟ ହେଉଥିବା ପାକିସ୍ତାନ ପୁଣି ଥରେ ସହ ସିନ୍ଧୂ ଜଳ ଚୁକ୍ତି ଆରମ୍ଭ କରିବା ପାଇଁ ବାରମ୍ବାର ଭାରତକୁ ଅନୁରୋଧ କରୁଛି । ହେଲେ ପଡ଼ୋଶୀ ଦେଶର ଦୋମୁହାଁ ନୀତିରେ ଅତିଷ୍ଠ ଭାରତ ସରକାର କୌଣସି ପ୍ରକାର ବିକଳ୍ପ ଦେବାକୁ ରାଜି ନୁହଁନ୍ତି । ଏପଟେ ମୋଦି ସରକାରଙ୍କ ବୈଦେଶିକ ନୀତି ବାଣରେ ଘାଇଲା ହେଉଛି ପାକିସ୍ତାନ । ଅନ୍ୟ ଉପାୟ ନପାଇ ଶେହବାଜ ସରକାର ପୁରୁଣା ବନ୍ଧୁ ଚୀନର ସାହାରା ନେଇ ଭାରତକୁ ଧମକେଇବା ପାଇଁ ବୃଥା ପ୍ରୟାସ କରୁଛନ୍ତି । ଭାରତ ସିନ୍ଧୁର ପାଣି ରୋକିଲେ, ଚୀନ ମଧ୍ୟ ଭାରତକୁ ବ୍ରହ୍ମପୁତ୍ର ପାଣି ଛାଡ଼ିବ ନାହିଁ ବୋଲି କହିଛି ପାକିସ୍ତାନ । ଅନ୍ୟପକ୍ଷରେ ପାକ୍ ସହ ବନ୍ଧୁତା ନିଭାଇବାକୁ ଯାଇ ଯଦି ଚୀନ ବ୍ରହ୍ମପୁତ୍ର ପାଣିରେ ରୋକ ଲଗାଏ, ଦେଶର କୌଣସି କ୍ଷତି ହେବ ନାହିଁ ବରଂ ଲାଭ ହେବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଚୀନ ପକ୍ଷରୁ ଯଦି ବ୍ରହ୍ମପୁତ୍ରର ଜଳପ୍ରବାହ କମ କରିଦିଆଯାଏ, ତେବେ ପ୍ରତିବର୍ଷ ଆସୁଥିବା ବନ୍ୟା ଯୋଗୁଁ ହେଉଥିବା କ୍ଷୟକ୍ଷତିରୁ ତ୍ରାହି ମିଳିବ ।
Also Read
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ମୁଦ୍ଦା ସମ୍ପର୍କରେ ଏକ୍ସରେ ଏକ ପୋଷ୍ଟ କରିଥିଲେ । ପ୍ରତିବର୍ଷ ବନ୍ୟା ଯୋଗୁଁ ଆସାମରେ ବନ୍ୟା ଆସିବା ସହ ୧୦ ଲକ୍ଷ ଲୋକ ବାସହୀନ ହୋଇଯାଆନ୍ତି । ପାକିସ୍ତାନକୁ ସମର୍ଥନ କରିବାକୁ ଯାଇ ଚୀନ ଭାରତ ବିରୋଧୀ ପଦକ୍ଷେପ ନେଲେ, ଏହା ଭାରତ ସପକ୍ଷରେ ହିଁ ଯିବ । ଏହି ବିପଦ ଦେଶ ପାଇଁ ଆଦୌ ଗମ୍ଭୀର ନୁହେଁ ବୋଲି ସେ ମତପ୍ରକାଶ କରିଛନ୍ତି ।
ବ୍ରହ୍ମପୁତ୍ର ନଦୀର ପୌରାଣିକ ପୃଷ୍ଠଭୂମି
ହିମାଳୟ ଦେଇ ପ୍ରବାହିତ ପ୍ରତ୍ୟେକ ନଦୀ ପରି ବ୍ରହ୍ମପୁତ୍ର ନଦୀର ନିଜସ୍ୱ ଇତିହାସ ଏବଂ ପୌରାଣିକ କାହାଣୀ ରହିଛି । କିନ୍ତୁ ଦେବୀ ଭାବରେ ପୂଜା ପାଉଥିବା ଭାରତର ଅନ୍ୟ ନଦୀ ଏବଂ ବ୍ରହ୍ମପୁତ୍ର ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ରହିଛ । ଏହି ନଦୀ ଭାରତର କିଛି ପ୍ରମୁଖ ନଦୀ ମଧ୍ୟରୁ ଗୋଟିଏ, ଯାହାର ନାମ ପୁରୁଷବାଚକ । ଭଗବାନ ବ୍ରହ୍ମାଙ୍କ ସହିତ ପୌରାଣିକ ସମ୍ପର୍କରୁ ଏହି ନଦୀର ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ ।
ବ୍ରହ୍ମାଙ୍କ ସହ ବ୍ରହ୍ମପୁତ୍ରର ସମନ୍ଧ କ’ଣ ?
ଲୋକକଥା ଅନୁସାରେ ହିମାଳୟର ଲୋହିତ ହ୍ରଦ ନିକଟରେ ରହୁଥିଲେ ଋଷି ଶାନ୍ତନୁ ଏବଂ ତାଙ୍କ ପତ୍ନୀ ଅମୋଘା । ଋଷି ପତ୍ନୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଅମୋଘା ଏକା ଥିବାବେଳେ ସୃଷ୍ଟିକର୍ତ୍ତା ବ୍ରହ୍ମା ଋଷି କୁଟୀରରେ ଉପସ୍ଥିତ ହୋଇଥିଲେ । ହେଲେ ଅମୋଘା ବ୍ରହ୍ମାଙ୍କୁ ଦେଖି ନିଜକୁ କୁଟୀର ଭିତରେ ବନ୍ଦ କରିଦେଇଥିଲେ ଏବଂ ବାହାରକୁ ଆସିନଥିଲେ । ଋଷି ପତ୍ନୀଙ୍କ ଅଭିଶାପ ଭୟରେ ବ୍ରହ୍ମା ତାଙ୍କର ବୀଜ ତ୍ୟାଗ କରି ଲଜ୍ଜାରେ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ । ଋଷି ଏସମ୍ପର୍କରେ ଜାଣିବା ପରେ ସେହି ବୀଜ ଗ୍ରହଣ କରିବା ପାଇଁ ପତ୍ନୀଙ୍କୁ କହିଥିଲେ । ପରେ ଅମୋଘାଙ୍କୁ ନାସିକାରୁ ବ୍ରହ୍ମାଙ୍କ ପୁତ୍ରର ପ୍ରବାହ ଆରମ୍ଭ ହୋଇଥିଲା, ଏଥିପାଇଁ ଏ ନଦୀକୁ ବ୍ରହ୍ମପୁତ୍ର କୁହାଯାଏ ।
ଅନ୍ୟପକ୍ଷରେ ତିବ୍ବତୀୟ ଲୋକକଥା ଅନୁସାରେ, ଏହି ନଦୀ ତିସେ ପର୍ବତ (ଭଗବାନ ଶିବଙ୍କ ବାସସ୍ଥାନ କୈଳାସ ପର୍ବତ)ରୁ ଏକ ଛୋଟ ଝରଣା ଭାବରେ ଉତ୍ପନ୍ନ ହୋଇ ପ୍ରବାହିତ ହେଉଛି । ଜନ୍ମସ୍ଥାନରେ ଏହି ନଦୀକୁ ସିଂହ, ହାତୀ, ଘୋଡା ଏବଂ ମୟୂର ରକ୍ଷା ପ୍ରଦାନ କରନ୍ତି । ଆସାମ ଏବଂ ଅରୁଣାଚଳ ପ୍ରଦେଶର ସ୍ୱଦେଶୀ ସମ୍ପ୍ରଦାୟ, ଯେପରିକି ମିସିଂ, ବୋଡୋ ଆଦି ଲୋକଙ୍କ ପାଇଁ ବ୍ରହ୍ମପୁତ୍ର ନଦୀ ଜୀବନ୍ତ ଦେବତା ସଦୃଶ । ଦ ଟ୍ରାଇବ ଅଫ ଆସାମ ଅନୁସାରେ , ମିସିଂ ଲୋକମାନେ ନଦୀକୁ ସେମାନଙ୍କର ପୈତୃକ ଦେବତା ଆବୋ ତାନିଙ୍କ ଅବତାର ଭାବରେ ପୂଜା କରନ୍ତି । ଆସାମରେ ବିହୁ ଭଳି ପର୍ବପର୍ବାଣୀ ପାଳନ ସମୟରେ ବ୍ରହ୍ମପୁତ୍ର ନଦୀକୁ ପ୍ରମୁଖ ଦେବତା ଭାବରେ ଆବାହନ କରାଯାଏ।
ନଦୀର ଉତ୍ପତ୍ତି ସ୍ଥଳ କେଉଁଠି ?
ବ୍ରହ୍ମପୁତ୍ର ନଦୀର ବିଭିନ୍ନ ନାମ ରହିଛି । ତିବ୍ଦତରେ ୟାରଲୁଙ୍ଗ ସାଙ୍ଗପୋ, ଅରୁଣାଚଳ ପ୍ରଦେଶରେ ସିଆଙ୍ଗ କିମ୍ବା ଦିହାଙ୍ଗ ଏବଂ ବାଂଲାଦେଶରେ ଯମୁନା ନାମରେ ଜଣାଶୁଣା ବ୍ରହ୍ମପୁତ୍ର ନଦୀର ଭିନ୍ନ ଭିନ୍ନ ନାମ ରହିଛି। ୧୮ଶହ ଓ ୧୯ଶହ ଶତାଦ୍ଦୀ ସମୟରେ ରାଜନୈତିକ ବାଧା ଯୋଗୁଁ ବ୍ରିଟିଶ ଶାସକଙ୍କୁ ତିଦ୍ଦଦରେ ପ୍ରବେଶ କରିବାର ଅନୁମତି ନଥିଲା । ସେଥିପାଇଁ ବ୍ରହ୍ମପୁତ୍ରର ଗତିପଥ ଖୋଜିବା ପାଇଁ ଭିକ୍ଷୁକ ବେଶରେ ଭାରତୀୟ ଅଭିଜ୍ଞମାନଙ୍କୁ ପଠାଇଥିଲେ ଇଂରେଜ। ହେଲେ ଏହି ଘଟଣାର ଅନେକ ବର୍ଷ ପରେ ପଶ୍ଚିମ ତିବ୍ଦତର କୁବିକାଙ୍ଗ୍ରି ପର୍ବତମାଳାର ଚେମାୟୁଙ୍ଗଡୁଙ୍ଗ ଗ୍ଲେସିୟରରୁ ବ୍ରହ୍ମପୁତ୍ରର ଉତ୍ସ ଚିହ୍ନଟ କରାଯାଇଥିଲା, ଯାହା ହିମାଳୟ ପାଖରେ ଥିବା ୫୨୦୦ ମିଟର ଉପରେ ଅବସ୍ଥିତ । ଏହି ଗ୍ଲେସିୟର ୟାରଲୁଙ୍ଗ ସାଙ୍ଗପୋର ପ୍ରାଥମିକ ଉତ୍ସ, ଯାହା ତଳକୁ ଯାଇ ବ୍ରହ୍ମପୁତ୍ର ନାମରେ ପ୍ରବାହିତ ହେଉଛି ।
କେଉଁ ରାସ୍ତା ଦେଇ ବହୁଛି ବ୍ରହ୍ମପୁତ୍ର ?
ଚେମାୟୁଙ୍ଗଡୁଙ୍ଗ ଗ୍ଲେସିୟରରୁ ଉତ୍ପତ୍ତି ହୋଇଥିବା ଏହି ନଦୀ ତିନୋଟି ଦେଶ, ଚୀନ୍, ଭାରତ ଏବଂ ବାଂଲାଦେଶ ଦେଇ ପ୍ରବାହିତ ହୁଏ ଏବଂ ତା’ପରେ ବାଂଲାଦେଶରେ ପଦ୍ମା ନଦୀ (ଗଙ୍ଗାର ମୁଖ୍ୟ ଶାଖା) ସହିତ ମିଶିଯାଏ। ମେଘନା ନଦୀ ସହିତ ମିଶି ଏହା ବିଶ୍ୱର ସବୁଠାରୁ ବଡ଼ ନଦୀ ସଂଗମସ୍ଥଳ ମଧ୍ୟରୁ ଗୋଟିଏ ସୃଷ୍ଟି କରେ । ଉତ୍ପତ୍ତି ସ୍ଥଳରୁ ସମୁଦ୍ର ପର୍ଯ୍ୟନ୍ତ ଏହାର ମୋଟ ଯାତ୍ରା ପ୍ରାୟ ୨,୯୦୦ କିଲୋମିଟର।
ଏହି ନଦୀକୁ ରୋକିପାରିବ କି ଚୀନ ?
ବ୍ରହ୍ମପୁତ୍ରକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରିବା ଏକପ୍ରକାର ଅସମ୍ଭବ । କାରଣ ଏହି ନଦୀ ଭାରତରେ ପ୍ରବାହିତ ହେଉଥିବା ସହ ଏହାର ପ୍ରାୟ ୪୦ ପ୍ରତିଶତ ଜଳ ସଂଗ୍ରହ କରେ । ଏହି ବିଶାଳ ଅବବାହିକାକୁ ପରିବର୍ତ୍ତନ କରାନଗଲେ ଭାରତ ଏବଂ ବାଂଲାଦେଶରେ ସବୁଦିନ ପ୍ରବାହିତ ହେଉଥିବ ବ୍ରହ୍ମପୁତ୍ର ।
ଭାରତ ପାଇଁ ଚିନ୍ତାର ବିଷୟ କି ନୁହେଁ ?
ତିବ୍ଦତ ମାଳଭୂମି ଉପରେ ଚୀନର ନିୟନ୍ତ୍ରଣ ଏହାକୁ ଏସିଆର ଜଳ ସମ୍ପଦ ଉପରେ ଅଭୂତପୂର୍ବ ପ୍ରାଧାନ୍ୟ ପ୍ରଦାନ କରେ । ଚୀନର ଉପରମୁଣ୍ଡ ବନ୍ଧଗୁଡ଼ିକ ଏବେ ବି ଜଳ ପ୍ରବାହକୁ ନିୟନ୍ତ୍ରଣ କରିପାରିବ, ଯାହା କୃତ୍ରିମ ବନ୍ୟା କିମ୍ବା ମରୁଡ଼ିର ବିପଦ ସୃଷ୍ଟି କରିପାରେ । ଚୀନ ଏହାର ଉପରମୁଣ୍ଡକୁ ଏକପାଖିଆ ଭାବରେ ନିୟନ୍ତ୍ରଣ କରିପାରିବ, ଯଦ୍ୱାରା ଭାତରେ କୁତ୍ରିମ ବନ୍ୟା କିମ୍ବା ମରୁଡ଼ି ସୃଷ୍ଟି ହୋଇପାରେ । ଏହା ବ୍ୟତୀତ ଗ୍ରେଟ୍ ବେଣ୍ଡ୍ ନିକଟରେ ବ୍ରହ୍ମପୁତ୍ର ଉପରେ ଚୀନର ବିଶାଳ ନଦୀବନ୍ଧ ପ୍ରକଳ୍ପ ଭାରତ ପାଇଁ ଭୂକମ୍ପୀୟ ଏବଂ ରଣନୈତିକ ବିପଦ ସୃଷ୍ଟି କରୁଛି।
କ’ଣ ରହିଛି ଚୀନର ଯୋଜନା ?
ନାମଚେ ବରୱା ତଳେ ଥିବା ବିସ୍ତୃତ ଉପତ୍ୟକାରେ ଏକ ବିଶାଳ ତଥା ମହଙ୍ଗା ବନ୍ଧ ନିର୍ମାଣ କରିବାକୁ ଯୋଜନା କରୁଛି ଚୀନ । ନଦୀର ୫୦ କିଲୋମିଟରରୁ ଅଧିକ ଅଂଶରେ ୯,୦୦୦ ଫୁଟ ଉଚ୍ଚତାରୁ ପାଣି ପକାଇବା ପାଇଁ ଚୀନକୁ ଅନେକ ବନ୍ଧର ଆବଶ୍ୟକତା ପଡ଼ିବ । ଜିନପିଙ୍ଗ ସରକାର ଏବେ ସେମାନଙ୍କର ସ୍ୱପ୍ନକୁ ସାକାର କରିବାକୁ ଯୋଜନା କରିଛନ୍ତି । ବନ୍ଧ ନିର୍ମାଣ ପରେ ନଦୀ ଭାରତରେ ପ୍ରବେଶ କରିବା ପୂର୍ବରୁ ଏଥିରୁ ଉତ୍ପର୍ଣ୍ଣ ବିଦ୍ୟୁତ ଚୀନ୍କୁ ଯିବ। ଚୀନର ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ମିଳିତ ଭାବରେ ବିଶ୍ୱର ସର୍ବବୃହତ ପ୍ରକଳ୍ପ ହୋଇପାରେ, ଯାହା ହୁଏତ ୬୦,୦୦୦ ମେଗାୱାଟ୍ ଶକ୍ତି ଉତ୍ପାଦନ କରିବ ବୋଲି କୁହାଯାଉଛି ।
ତେବେ ଚୀନ୍ ଏହାର ପ୍ରସ୍ତାବିତ ଜଳବିଦ୍ୟୁତ୍ ନଦୀବନ୍ଧ ପ୍ରକଳ୍ପକୁ ନେଇ ପୂର୍ବରୁ ଅନେକ ଥର ସଫେଇ ଦେଇଛି । ଏହି ପ୍ରକଳ୍ପ ନଦୀର ପ୍ରବାହକୁ ବିଶେଷ ଭାବରେ ପ୍ରଭାବିତ କରିବ ନାହିଁ କିମ୍ବା ତଳମୁଣ୍ଡ ଦେଶ ଗୁଡ଼ିକର ଅଧିକାରକୁ ପ୍ରଭାବିତ କରିବ ନାହିଁ ବୋଲି କହିଛି। ଏହି ପ୍ରକଳ୍ପ ତଳମୁଣ୍ଡ ଅଞ୍ଚଳ, ଅର୍ଥାତ୍ ଭାରତ ଏବଂ ବାଂଲାଦେଶ ଉପରେ ନକାରାତ୍ମକ ପ୍ରଭାବ ପକାଇବ ନାହିଁ। ଏହା ଶକ୍ତି ବିକାଶକୁ ତ୍ୱରାନ୍ୱିତ କରିବା ସହ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଡିଜାଇନ୍ କରାଯାଇଛି । ହେଲେ ବିଶେଷଜ୍ଞ ଏବଂ ତଳମୁଣ୍ଡ ଦେଶଗୁଡ଼ିକ ଚୀନର ପ୍ରତିଶ୍ରୁତି ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।
କାମ ଦେବନି ଚୀନର ଚାଲ
ତିବ୍ଦତର ସାଙ୍ଗପୋ ନଦୀରେ ଜଳ ପ୍ରବାହ ଖୁବ କମ୍। କିନ୍ତୁ ନାମଚା ବାରୱା ଏବଂ ତୁତିଂ ମଧ୍ୟରେ ବର୍ଷା ଯୋଗୁଁ ବ୍ରହ୍ମପୁତ୍ରର ଜଳସ୍ତର ବୃଦ୍ଧି ପାଏ। ତୁତିଂ ହେଉଛି ସେହି ସ୍ଥାନ, ଯେଉଁଠାରୁ ଏହି ନଦୀ ଭାରତରେ ପ୍ରବେଶ କରେ। ତୁତିଂରେ ଜଳ ପ୍ରବାହ କେବଳ ୨,୦୦୦-୩,୦୦୦ କ୍ୟୁସେକ୍। ବର୍ଷା ସମୟରେ ସମତଳ ଅଞ୍ଚଳରେ ବ୍ରହ୍ମପୁତ୍ରର ଜଳ ୧୫,୦୦୦ ରୁ ୨୦,୦୦୦ କ୍ୟୁସେକ୍ ପର୍ଯ୍ୟନ୍ତ ବୃଦ୍ଧି ପାଏ। ବ୍ରହ୍ମପୁତ୍ର ନଦୀର ପ୍ରାୟ ୬୫-୭୦ ପ୍ରତିଶତ ଜଳ ଭାରତରେ ବର୍ଷାରୁ ହିଁ ଆସିଥାଏ। ସେଥିପାଇଁ ଚୀନରୁ ଆସୁଥିବା ଜଳ ଉପରେ ଅପେକ୍ଷାକୃତ କମ ନିର୍ଭରଶୀଳ ଭାରତ।
ବନ୍ଧ ନିର୍ମାଣ କରୁଛି ଭାରତ
ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀଗୁଡ଼ିକରେ ବଡ଼ ବଡ଼ ବନ୍ଧ ନିର୍ମାଣ କରୁଛି ଭାରତ । ଏହି ବନ୍ଧଗୁଡ଼ିକ ଜଳସେଚନ ଏବଂ ବିଦ୍ୟୁତ୍ ପାଇଁ ପ୍ରଚୁର ପାଣି ସଂରକ୍ଷଣ କରିପାରିବ। ଚୀନ ଷଡ଼ଯନ୍ତ୍ର ରଚି ଭାରତରେ ଜଳ ପ୍ରବାହ ହ୍ରାସ କରିବାକୁ ଚେଷ୍ଟା କଲେ, ଭାରତର ଜଳଭଣ୍ଡାର ଗୁଡ଼ିକ ସଠିକ ସମୟରେ କାମରେ ଆସିବ । ଆଉ ଚୀନର ସମସ୍ତ ଚାଲ ପଣ୍ଡ ହୋଇଯିବ । କିନ୍ତୁ ଏଥିପାଇଁ ବନ୍ଧଗୁଡ଼ିକ ଦ୍ରୁତ ଗତିରେ ନିର୍ମାଣ କରିବାକୁ ପଡିବ, ଯାହା ସ୍ଥାନୀୟ ବିରୋଧ ଯୋଗୁଁ ବିଳମ୍ବ ହେଉଛି।