• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ଓ ମାଳଦ୍ୱୀପ ପାରମ୍ପରିକ ବନ୍ଧୁରାଷ୍ଟ୍ର ହୋଇଥିବା ବେଳେ ଭାରତ-ମାଳଦ୍ୱୀପକୁ ନିଜ ଘରପଛ ଅଗଣା ଭାବେ ବିବେଚନା କରେ । ବର୍ଷ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଆର୍ଥିକ ଓ ସାଂସ୍କୃତିକ ସମ୍ବନ୍ଧ ରହିଆସିଛି । ତେବେ ଚୀନ୍ ଚଞ୍ଚକତା କରି ଦକ୍ଷିଣ ଏସିଆରେ ନିଜ ଆଧିପତ୍ୟ ବଢାଇବାକୁ ଉଦ୍ୟମ କରୁଛି । ଆର୍ଥିକ ସହାୟତା ଆଳରେ ଗୋଟିଏ ପରେ ଗୋଟିଏ ଦେଶଙ୍କୁ ଋଣଯନ୍ତାରେ ପକାଇ ସେମାନଙ୍କ ସମ୍ବଳ ଉପରେ କବଜା କରୁଛି । ଶ୍ରୀଲଙ୍କା ଓ ପାକିସ୍ତାନ ପାନେ ପାଇସାରିଥିବା ବେଳେ ମାଳଦ୍ୱୀପର ବିରୋଧୀ ଦଳ ମଧ୍ୟ ସେଇ ରାସ୍ତାରେ ଚାଲୁଛନ୍ତି । ଅନ୍ୟପକ୍ଷରେ ମାଳଦ୍ୱୀପ ସୁରକ୍ଷା ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଭାରତ ପୁରା ଘଟଣାକ୍ରମ ଉପରେ ନଜର ରଖିଛି । ନୂଆଦିଲ୍ଲୀ କୌଣସି ପରିସ୍ଥିତିରେ ବି ଚୀନର ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବନି ବୋଲି କୁହାଯାଉଛି ।

ଶ୍ରୀଲଙ୍କା ଓ ନେପାଳ ଭଳି ମାଳଦ୍ୱୀପରେ ବି ଚୀନର ଭାରତ ବିରୋଧୀ ଷଡ଼ଯନ୍ତ୍ର । ପୂର୍ବତନ ରାଷ୍ଟ୍ରପତି ଅବଦ୍ଦୁଲା ୟମିନଙ୍କୁ ହାତ ବାରିସି କରି ଭାରତ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିବାକୁ ଚେଷ୍ଟା କରୁଛି ଚୀନ୍ । ଖାସ୍ କରି ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ୟମିନ୍ ମୁକ୍ତ ହେବା ପରେ ଇଣ୍ଡିଆ ଆଉଟ୍ କ୍ୟାମ୍ପେନକୁ ଜୋରଦାର କରିଛନ୍ତି। ୟମିନଙ୍କ ପ୍ରୋଗ୍ରେସିଭ୍ ପାର୍ଟି ଓ ମାଲଡିଭସ ଭାରତ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିବା ବେଳେ ନିଜେ ୟମିନ୍ ସହରରୁ ସହରକୁ ବୁଲି ଲୋକଙ୍କୁ ଭାରତ ବିରୁଦ୍ଧରେ ମତାଉଛନ୍ତି । ବିଭିନ୍ନ ସ୍ଥାନେର ରାଲି ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।

ସେହିପରି ଅନ୍ୟପକ୍ଷରେ ମାଳଦ୍ୱୀପ ଜଳ ସୀମା ଉପରେ ନଜର ରଖିବା ଲାଗି ଭାରତ ଏକ ଡ୍ରୋନିୟର ସର୍ଭେଲାନ୍ସ ବିମାନ ପ୍ରଦାନ କରିଥିବାରୁ ୟାମିନ୍ ତାକୁ ମଧ୍ୟ ବିରୋଧ କରିବା ସହ ଭୁଲ ତଥ୍ୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି । ତେବେ ୨୦୧୮ ନିର୍ବାଚନରେ ୟମିନଙ୍କ ଦଳ ଲଜ୍ଜାଜନକ ପରାଜୟର ସାମ୍ନା କରିଥିଲା । ଦୁର୍ନୀତି ଓ ଚୀନ୍ ପ୍ରତି ଅହେତୁକ ଆସକ୍ତିକୁ ନେଇ ତାଙ୍କୁ ମାଲଦ୍ୱୀପବାସୀ ପାନେ ଚଖାଇଥିଲେ । ଏମିତିକି ଏହି ପରାଜୟ ସହ ୟମିନଙ୍କ ରାଜନୈତିକ କ୍ୟାରିୟରର ମୃତ୍ୟୁ ଘଟିଥିବା କୁହାଯାଉଛି । ତେଣୁ ନିଜ ଉପସ୍ଥିତି ଜାହିର ଲାଗି ସେ ଭାରତ ବିରୋଧୀ ଆଭିମୁଖ୍ୟକୁ ସ ଅସ୍ତ୍ର କରିଥିବା ଚର୍ଚ୍ଚା ହେଉଛି।

ମାଲେରେ ଥିବା ଚୀନ୍ ଦୂତାବାସ ଆଗରେ ଇଣ୍ଡିଆ-ଆଉଟ୍ ସମର୍ଥକଙ୍କ ଉପସ୍ଥିତି ବେଜିଂର ଷଡ଼ଯନ୍ତ୍ର ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ଇଣ୍ଡିଆ-ଆଉଟ୍ ଟି-ସାର୍ଟ ପିନ୍ଧିଥିବା ଆନ୍ଦୋଳନକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସଫେଇ ଦେଇଛି ବେଜିଂ । ଚୀନ କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରେନାହିଁ ବୋଲି କୁହାଯାଇଛି ।

ମାଳଦ୍ୱୀପରେ ଶାସନ କ୍ଷମତାରେ ଥିବା ମାଲଡିଭିଆନ ଡେମୋକ୍ରାଟିକ୍ ପାର୍ଟି ଓ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ସଂପୂର୍ଣ୍ଣ ଭାବେ ଭାରତ ସପକ୍ଷବାଦୀ । ତେଣୁ ଚୀନ୍, ଭାରତର ଆଧିପତ୍ୟ କ୍ଷୂର୍ଣ୍ଣ ଲାଗି ଯେତେ ମସୁଧା କଲେ ମଧ୍ୟ ସଫଳ ହେବନି । ଅନ୍ୟପକ୍ଷରେ ଚୀନ ସମର୍ଥକଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ରାଷ୍ଟ୍ରପତି ଇବ୍ରାହିମ୍ ସୋଲିଙ୍କ ସରକାର ।

ଦେଶର ବୈଦେଶିକ ନୀତିକୁ ଚ୍ୟାଲେଞ୍ଜ କରି କୌଣସି ଆନ୍ଦୋଳନ ହେଲେ ତାକୁ ଦମନ ଲାଗି ନୂଆ ବିଲ୍ ଆଣିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ଏଭଳି ଆନ୍ଦୋଳନକୁ ଅପରାଧ ଆଖ୍ୟା ଦିଆଯିବା ସହ ଦୋଷୀଙ୍କ ବିରୁଦ୍ଧରେ ଜେଲଦଣ୍ଡ ସମେତ ଗୃହବନ୍ଦୀ ବ୍ୟବସ୍ଥା କରାଯାଇଛି । ବର୍ଷ ବର୍ଷ ଧରି ମାଳଦ୍ୱୀପକୁ ସହଯୋଗ କରିଆସିଥିବା ପଡୋଶୀ ରାଷ୍ଟ୍ରଙ୍କ ସହ ସଂପର୍କ ଖରାପ ହେବାକୁ ଦିଆଯିବନି ବୋଲି ଶାସକ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଭାରତ ମହାସାଗରରେ ଅବସ୍ଥିତି ମାଳଦ୍ୱୀପ ସୁରକ୍ଷା ଦୃଷ୍ଟିରୁ ଭାରତ ପାଇଁ ଅତି ମହତ୍ୱପୂର୍ଣ୍ଣ । କାରଣ ଭାରତ ମହାସାଗରରେ ନିୟନ୍ତ୍ରଣ ରଖିବା ଓ ଚୀନର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବାକୁ ହେଲେ ମାଳଦ୍ୱୀପର ସହାୟତା ନିହାତି ଜରୁରୀ । ଚୀନ, ଜାପାନ ଓ ଭାରତକୁ ଜାହାଜ ଚଳାଚଳର ବି ଏହା ପ୍ରମୁଖ ରାସ୍ତା । ତେଣୁ ଆର୍ଥିକ ଓ ପ୍ରତିରକ୍ଷା ଉଭୟ ଦୃଷ୍ଟିରୁ ମାଳଦ୍ୱୀପ ଅତି ଗୁରୁତ୍ୱପୂର୍ଣ୍ଣ । ପୂର୍ବତନ ରାଷ୍ଟ୍ରପତି ୟାମିନଙ୍କ ଚୀନ୍ ପ୍ରୀତି ଓ ଭାରତ ବିରୋଧୀ ଆଭିମୁଖ୍ୟ ନୂଆଦିଲ୍ଲୀ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ମାତ୍ର ୨୦୨୦ରେ ମାଳଦ୍ୱୀପ-ଆମେରିକା ସହ ସୁରକ୍ଷା ଚୁକ୍ତି କରିବା ପରେ କ୍ୱାଡ୍ ଜରିଆରେ ଭାରତ ଏଠାରେ ଚୀନର ପ୍ରଭାବକୁ ପରାହତ କରିପାରିବା ଆଶା ବଢିଛି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଇବ୍ରାହିମ୍ ସୋଲି ଭାରତ ସହ ସଂପର୍କ ନିବିଡ କରିବାକୁ ଉଦ୍ୟମ କରୁଥିବାରୁ ଏଠାରେ ଚୀନକୁ ମାତ୍ ଦେଇ ପୁଣି ନିଜ ଆଧିପତ୍ୟ କାଏମ୍ ଲାଗି ନୂଆଦିଲ୍ଲୀ ଲାଗି ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି ।