ବ୍ରିଟେନକୁ ମିଳିଲେ ନୂଆ ରାଜା : ସିଂହାସନ ଆରୋହଣ କଲେ କିଙ୍ଗ୍ ଚାର୍ଲସ ତୃତୀୟ

ବଂକିଙ୍ଗହମ୍ ପ୍ୟାଲେସରେ ମହାପର୍ବ . . . ବ୍ରିଟେନର ନୂଆ ରାଜା କିଙ୍ଗ୍ ଚାର୍ଲସ ତୃତୀୟଙ୍କ ମୁଣ୍ଡରେ ମୁକୁଟ

King Charles III

ବ୍ରିଟେନକୁ ମିଳିଲେ ନୂଆ ରାଜା । କିଙ୍ଗ୍ ଚାର୍ଲସଙ୍କର ରାଜ୍ୟାଭିଷେକ ଆରମ୍ଭ ହୋଇଛି । ଆଜି ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କରିଛନ୍ତି ଚାର୍ଲସ ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ । ଫଳରେ ସେ ବ୍ରିଟେନ ସହିତ ଅନ୍ୟ ୧୪ଟି ଦେଶର ୪୦ତମ ରାଜା ବନିଛନ୍ତି । ଗତ ସେପ୍ଟେମ୍ବରରେ କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କର ଦେହାନ୍ତ ପରେ ଏହି ପଦ କିଙ୍ଗ୍ ଚାର୍ଲସ ସମ୍ଭାଳିଥିଲେ ମଧ୍ୟ ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇନଥିଲା ।

ପ୍ରାୟ ଶହେ ମିଲିୟନ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି କିଙ୍ଗ୍ ଚାର୍ଲସଙ୍କ ରାଜ୍ୟାଭିଷକ ସମାରୋହ ଆୟୋଜନରେ । ୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ହୋଇଛି ଏହି ପର୍ବ । ସବୁଠୁ ବୟସ୍କ ରାଜା ଭାବେ ସିଂହାସନ ଆରୋହଣ କରିଛନ୍ତି ଚାର୍ଲସ୍ । ରାଜ୍ୟାଭିଷେକ ପରେ ସେ ପ୍ରାୟ ୫ଶହ ବର୍ଷ ପୁରୁଣା ୨.୨ କିଲୋଗ୍ରାମ ଓଜନର ସ୍ୱର୍ଣ୍ଣ ନିର୍ମିତ ରାଜମୁକୁଟ ପିନ୍ଧିଛନ୍ତି । ଏହା ହେଉଛି ସେଣ୍ଟ ଏଡୱାର୍ଡଙ୍କ ମୁକୁଟ । 

ଅଧିକ ପଢ଼ନ୍ତୁ: ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଗୁପ୍ତ ଚିଠି; ୬୩ ବର୍ଷ ପର୍ଯ୍ୟନ୍ତ ଖୋଲିବ ନାହିଁ

କିଙ୍ଗ୍ ଚାର୍ଲସ ତୃତୀୟଙ୍କ ସମ୍ପର୍କରେ କିଛି ଜଣାଅଜଣା କଥା

୧୯୪୮ ମସିହା ନଭେମ୍ବର ୧୪ରେ ବଂକିଙ୍ଗହମ ପ୍ୟାଲେସରେ ଜନ୍ମଗ୍ରହଣ କରିଥିଲେ କିଙ୍ଗ୍ ଚାର୍ଲସ ତୃତୀୟ । ମାଆ ଏଲିଜାବେଥ୍ ଦ୍ୱିତୀୟଙ୍କ ରାଜ୍ୟାଭିଷେକ ବେଳକୁ ତାଙ୍କୁ ହୋଇଥିଲା ମାତ୍ର ୪ ବର୍ଷ ବୟସ । ତେବେ କୁଇନ ଏଲିଜାବେଥଙ୍କ ଦେହାନ୍ତ ପରେ ୭୩ ବର୍ଷ ବୟସରେ ରାଜା ବନିଛନ୍ତି ଚାର୍ଲସ । ସେ ପ୍ରଥମ ବ୍ରିଟେନ ରାଜା ଯିଏ କି ସ୍କୁଲ ଯାଇଛନ୍ତି । ତାଙ୍କ ପୂର୍ବରୁ ସମସ୍ତ ରାଜା ଘରେ ରହି ଟ୍ୟୁସନ ପଢ଼ିଥିଲେ ।

ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଯୁବାବସ୍ଥାରେ ସ୍କି, ସର୍ଫିଂ ଓ ସ୍କୁବା ଡାଇଭିଂ ସହିତ ପୋଲୋ ଖେଳିବାକୁ ଭଲ ପାଉଥିଲେ କିଙ୍ଗ୍ ଚାର୍ଲସ । ୪୦ ବର୍ଷ ଧରି ସେ ପୋଲୋ ଖେଳିଛନ୍ତି, ୨୦୦୫ରେ ୫୭ ବର୍ଷ ବୟସରେ ଅବସର ନେବା ପର୍ଯ୍ୟନ୍ତ । ପିଆନୋ ଓ ଟ୍ରମ୍ପେଟ୍ ଆଦି ବଜାଇବା ଶିଖିଛନ୍ତି ସେ । ବୈବାହିକ ଜୀବନ କଥା ଦେଖିଲେ, ପ୍ରଥମେ ଡାଏନା ସ୍ପେନସରଙ୍କୁ ବିବାହ କରିଥିଲେ ଚାର୍ଲସ । ସେମାନଙ୍କର ୨ ପୁଅ- ପ୍ରିନ୍ସ ୱିଲିୟମ ଓ ପ୍ରିନ୍ସ ହ୍ୟାରି ।

ତେବେ ୧୯୯୬ରେ ବିବାହ ବିଚ୍ଛେଦ ପରେ ୧୯୯୭ରେ ଏକ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ପ୍ରିନ୍ସେସ୍ ଡାଏନା । ୨୦୦୫ରେ ସେକେଣ୍ଡ୍ ଇନିଂସ ଆରମ୍ଭ କରିଥିଲେ ସେତେବେଳର ପ୍ରିନ୍ସ ଚାର୍ଲସ । ଦ୍ୱିତୀୟ ବିବାହ କଲେ କାମିଲା ପାର୍କରଙ୍କୁ । ଏହା ପୂର୍ବରୁ କାମିଲାଙ୍କର ମଧ୍ୟ ଥରୁଟିଏ ବିବାହ ବିଚ୍ଛେଦ ହୋଇସାରିଥିଲା । ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନ କରନ୍ତି ନାହିଁ କିଙ୍ଗ୍ ଚାର୍ଲସ । ସେ ଖରାବେଳେ ମହୁ ଓ କ୍ଷୀରରୁ ତିଆରି ଦାର୍ଜିଲିଂ ଚା' ପିଇବାକୁ ପସନ୍ଦ କରନ୍ତି ।...