/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748693020.jpg)
Gender Imbalance
ତିରିଶ ବର୍ଷ ଧରି ଚୀନରେ 'ଏକକ ସନ୍ତାନ ନୀତି'ର ପାର୍ଶ୍ୱ ପ୍ରତିକ୍ରିୟା ବା ସାଇଡ୍ ଇଫେକ୍ଟ କଣ ହୋଇପାରେ ତାହା ସାରା ଦୁନିଆ ଦେଖୁଛି । ଯାହାର ପ୍ରଭାବ ଚୀନ ଯୁବକଙ୍କ ଉପରେ ପଡ଼ିଛି । ଚୀନ ଏବେ 'ବାଡୁଅ ଯୁବକଙ୍କ ଦେଶ' ଭାବେ ପରିଗଣିତ ହୋଇଛି । ଏହା ସହ କିଣା ପତ୍ନୀ, ମହିଳା ଚାଲାଣ ମାମଲା ବଢିବା ପରେ ଚିନ୍ତାରେ ପଡ଼ିଛି ଜିନପିଙ୍ଗ ସରକାର । ଯେହେତୁ ଦେଶରେ ପୁରୁଷ-ମହିଳାଙ୍କ ଅନୁପାତରେ ଫରକ ପଡ଼ିଛି ତେଣୁ ଏଠାକାର ଅବିବାହିତ ଯୁବକମାନେ ବାଧ୍ୟ ହୋଇ ବାହାର ଦେଶ ବିଶେଷ କରି ପାକିସ୍ତାନ ଓ ବାଂଲାଦେଶରୁ ନିଜ ପାଇଁ ପତ୍ନୀ କିଣି ଆଣୁଛନ୍ତି । କିନ୍ତୁ କଥା ଏତିକିରେ ସରି ଯାଉନି, କିଛି ଦଲାଲ ଉଭୟ ପାକିସ୍ତାନ ଓ ବାଂଲାଦେଶରେ ଏଜେନ୍ସି ଖୋଲି କନ୍ୟା ବିକ୍ରି ରାକେଟରେ ସାମିଲ ଅଛନ୍ତି । ଅନେକ ଅସହାୟ ମହିଳା ଅର୍ଥ ଲୋଭ, ବିଦେଶରେ ରହିବାର ସୁଯୋଗ ଆଶାରେ ଏହି ଏଜେନ୍ସିଙ୍କ ଜରିଆରେ ବିଦେଶୀ ପୁଅଙ୍କୁ ପାର୍ଟନର ଭାବେ ଗ୍ରହଣ କରୁଛନ୍ତି । ଚୀନର ଯୁବକମାନେ ମଧ୍ୟ ଏହି ଟ୍ରେଣ୍ଡରେ ପଡ଼ି ନିଜ ପାଇଁ ପାର୍ଟନର ବାଛି ନେଉଛନ୍ତି । ଏବେ କିନ୍ତୁ ଏଥିରେ ବ୍ରେକ୍ ଲାଗିଛି ।
ବାଂଲାଦେଶ ରାଜଧାନୀ ଢାକା ସ୍ଥିତ ଚୀନ ଦୂତାବାସ ପକ୍ଷରୁ ଜାରି ହୋଇଥିବା ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ. କୌଣସି ଚୀନ୍ ଯୁବକ ବାଂଲାଦେଶୀ କିମ୍ବା ପାକିସ୍ତାନୀ ଯୁବତୀଙ୍କୁ ବିବାହ କରନ୍ତୁ ନାହିଁ । ଏଥିରୁ କ୍ଷାନ୍ତ ରୁହନ୍ତୁ ନଚେତ ପରିମାଣ ଖୁବ୍ ଭୟାବହ ହେବ । ଏହା ସହ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମର ବିଜ୍ଞାପନରେ ପ୍ରଲୋଭିତ ହୋଇ କନ୍ୟା କିଣିବାକୁ ଆଗ୍ରହୀ ନ ହେବାକୁ ପରାମର୍ଶ ବି ଦିଆଯାଇଛି । ଇଣ୍ଟରନ୍ୟାସନାଲ ମ୍ୟାଚମେକିଙ୍ଗ୍ ସର୍ଭିସ ଏଜେନ୍ସିଗୁଡ଼ିକୁ ଚୀନରେ ଅନୁମତି ନାହିଁ । ଫଳରେ ଅନେକ ଏଜେନ୍ସି ପାକିସ୍ତାନ ଓ ବାଂଲାଦେଶରେ ନିଜର କାରବାର ଚଳାଇଥିବା ଅଭିଯୋଗ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଢାକା ସ୍ଥିତ ଚୀନ୍ ଦୂତାବାସ ।
ଦୂତାବାସ ପକ୍ଷରୁ ଚୀନ ନାଗରିକଙ୍କୁ ସୀମା ପାର୍ ବିବାହକୁ ଏଡାଇବା ସହ ଅନଲାଇନ୍ ରୋମାନ୍ସ ସ୍କାମରୁ ଦୂରେଇ ରହିବାକୁ କୁହାଯାଇଛି । ଏହା ଦ୍ବାରା ଆର୍ଥିକ ଓ ମାନସିକ ନିର୍ଯ୍ୟାତନା ଆଶଙ୍କା ଥିବାରୁ ଏଥିରୁ ଦୂରେଇ ରହିବାକୁ କୁହାଯାଇଛି ।
ଏବେ ଆସନ୍ତୁ ଜାଣିବା ଚୀନରେ କାହିଁକି କନ୍ୟା ମରୁଡ଼ି ?
ପୂର୍ବରୁ ବି ଏ ବିଷୟରେ ସମ୍ୟକ ସୂଚନା ଦିଆଯାଇଛି ଯେ, ଚୀନର ଏକକ ସନ୍ତାନ ନୀତିର ଏହା ହେଉଛି ଫଳ । ଏଠାରେ କହି ରଖିବାକୁ ଚାହୁଁ ଯେ, ୧୯୭୯ରୁ ୨୦୧୫ ମସିହା ଯାଏ ଚୀନର ବର୍ଦ୍ଧିତ ଜନସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏକକ ସନ୍ତାନ ନୀତି କଠୋର ଭାବେ କାର୍ଯ୍ୟକାରୀ ହୋଇଥିଲା । ଏଥିରେ ସରକାର ସଫଳତା ପାଇଲେ ସତ କିନ୍ତୁ ଅଭିଭାବକ ଅଧିକରୁ ଅଧିକ ଶିଶୁ ପୁତ୍ର ପ୍ରତି ମନବଳାଇଲେ । ଅନେକ ଦମ୍ପତି ଗର୍ଭ ପରୀକ୍ଷାରେ କନ୍ୟା ସନ୍ତାନ ଜାଣି ତାହାକୁ ନଷ୍ଟ କରିବାକୁ ପଛାଇଲେ ନାହିଁ । ଯାହା ଫଳରେ ଚୀନରେ ମହିଳାଙ୍କ ତୁଳନାରେ ପୁରଷଙ୍କ ସଂଖ୍ୟା ୩୫ ପ୍ରତିଶତରୁ ଅଧିକ ରହିଲା । ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ସ୍ତରରେ ମଧ୍ୟ ଏହାର ପ୍ରଭାବ ପଡ଼ିଲା ।
ବର୍ତ୍ତମାନ ଚୀନରେ ୩କୋଟି ୫୦ ଲକ୍ଷରୁ ଅଧିକ ଯୁବକ ନିଜ ପାଇଁ ଜୀବନ ସାଥୀ ଖୋଜି ପାଉନାହାନ୍ତି । ୨୦୨୪ର ଏକ ରିପୋର୍ଟ କହୁଛି ଗତ ବର୍ଷ ମାତ୍ର ଦଶ ଲକ୍ଷ ବା ଏକ ମିଲିୟନ ବିବାହ ହୋଇପାରିଛି । ଅନେକ ଚୀନ ଯୁବତୀ ବିବାହ ପରିବର୍ତ୍ତେ ନିଜ କ୍ୟାରିଅରକୁ ଗୁରୁତ୍ୱ ଦେଉଥିବାରୁ ସ୍ଥିତି ଅଧିକ ଗମ୍ଭୀର ହୋଇଛି । ଏହି କାରଣରୁ ବଳକା ଥିବା ବାଡୁଅମାନେ ଅନ୍ୟ ଦେଶ ଋଷିଆ, ପାକିସ୍ତାନ ଏବଂ ବାଂଲାଦେଶରୁ କନ୍ୟା ଆଣିବାକୁ ବାଧ୍ୟ ହେଉଛନ୍ତି । ଚୀନରେ ବିଦେଶୀ କନ୍ୟାଙ୍କ ଚାହିଦା ବଢିବାରୁ ଅନେକ ଅସାମାଜିକ ବ୍ୟକ୍ତି ଏହାକୁ ଏକ ମଉକା ଭାବି ବେପାର ଆରମ୍ଭ କରିବା ସହ ମାନବ ଚାଲାଣରେ ଲାଗି ପଡ଼ିଲେ । ଅନେକ ଯୁବତୀଙ୍କୁ ଲୋଭ ଲାଲସା ଓ ଜୋର ଜବରଦସ୍ତ ଚୀନ୍ ଆଣି ବିକ୍ରି କରାଗଲା । ଅନେକଙ୍କୁ ଅପରାଧ ଓ ବେଶ୍ୟାବୃତ୍ତିରେ ମଧ୍ୟ ନିୟୋଜିତ କରାଗଲା ଯାହାକୁ ନେଇ ଏବେ ଚିନ୍ତାରେ ଚୀନ୍ । ବାଂଲାଦେଶ ଭଳି ପାକିସ୍ତାନରେ ଏହି ରାକେଟ ସକ୍ରିୟ ରହିଛି ।
ଦୁଇ ଇସଲାମ ରାଷ୍ଟ୍ରରେ ମାତିଛନ୍ତି ଦଲାଲ
ପାକିସ୍ତାନ ଏବଂ ବାଂଲାଦେଶରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଯୁବତୀକୁ ଟାର୍ଗେଟ କରୁଛନ୍ତି ଦଲାଲ । ସେମାନଙ୍କୁ ନାନା ପ୍ରକାର ଲୋଭ ଦେଖାଇ ସୀମା ପାର୍ ବିବାହ ପାଇଁ ରାଜି କରାଯାଇଥାଏ । କିନ୍ତୁ ଅନେକଙ୍କୁ ବେଶ୍ୟାବୃତ୍ତିରେ ଲଗାଇ ଦିଅନ୍ତି ଦଲାଲ । ସେମାନଙ୍କୁ ଯୌନ ଶୋଷଣ ସହ ଦୁର୍ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ବି ଆସିଛି । ତେବେ ନିକଟରେ ୟୁକେ ହୋମ୍ସର ଫେବ୍ରୁଆରୀ ମାସର ତଥ୍ୟ କହୁଛି, ଭିଏତନାମରୁ ନିଖୋଜ ଥିବା ୭୫ ପ୍ରତିଶତ ମହିଳା ଚୀନରେ ଅଛନ୍ତି । ସେମାନଙ୍କୁ ଚୀନ ଯୁବକଙ୍କ ସହ ବିବାହ କରିବା ପାଇଁ ଏଠାକୁ ଉଠାଇ ଅଣାଯାଇଛି ।
ଅଧିକ ପଢ଼ନ୍ତୁ: ଆଲ୍ପସ ପର୍ବତମାଳାର ବରଫ ତଳେ ନିଶ୍ଚିହ୍ନ ହୋଇଗଲା ପୂରା ଗାଁ, ଦେଖନ୍ତୁ ଭାଇରାଲ ଭିଡିଓ
ଏ ସବୁ ପରେ ଚୀନ୍ ପ୍ରଶାସନ ବିବାହ ନିୟମରେ ସାମାନ୍ୟ ସୁଧାର ଆଣିଛନ୍ତି । ଚୀନର ସରକାରୀ ଖବର ସରବରାହ ସଂସ୍ଥା ଗ୍ଲୋବାଲ ଟାଇମ୍ସର ମେ ୧୧ ତାରିଖର ରିପୋର୍ଟ କହୁଛି, ଚୀନ୍ରେ ନୂଆ ବିବାହ ପଞ୍ଜୀକରଣ ନିୟମ ଶନିବାର ଠାରୁ ଲାଗୁ ହୋଇଛି, ଯାହା ବିବାହ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିଛି ଏବଂ ଦମ୍ପତିମାନଙ୍କୁ ଦେଶର ଯେକୌଣସି ସ୍ଥାନରେ ବିବାହ ପଞ୍ଜୀକରଣ କରିବାକୁ ଅନୁମତି ଦେଇଛି । ଦକ୍ଷିଣ-ପଶ୍ଚିମ ଚୀନ୍ର ସିଚୁଆନ ପ୍ରଦେଶର ଏକ ବିବାହ ପଞ୍ଜୀକରଣ ଅଫିସରେ ଜଣେ ରେଜିଷ୍ଟ୍ରାର କହିଛନ୍ତି ଯେ, ସହରରେ ପଞ୍ଜୀକରଣ କରୁଥିବା ଦମ୍ପତିଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି । ତଥାପି ଏ ସମସ୍ୟା ଯେ ଏତେ ସହଜରେ ସୁଧୁରିବ ଆଶା କରି ହେଉନି । ତଥାପି ପୁରୁଷ-ମହିଳା ଅନୁପାତକୁ ସମାନ କରିବା ପାଇଁ କିଛି କିଛି ପଦକ୍ଷେପ ଗ୍ରହଣ କରୁଛି ସି ଜିନପିଙ୍ଗ୍ ସରକାର । ଯେମିତିକି....
୧. ଏକ-ସନ୍ତାନ ନୀତିର ଅବସାନ (୨୦୧୫)
କାର୍ଯ୍ୟକ୍ରମ: ଚୀନ୍ ସରକାର ୨୦୧୫ ମସିହାରେ ଏକ-ସନ୍ତାନ ନୀତିକୁ ଶେଷ କରି ଦୁଇ-ସନ୍ତାନ ନୀତି ଆରମ୍ଭ କରିଥିଲେ ଏବଂ ୨୦୨୧ ମସିହାରେ ଏହାକୁ ତିନି-ସନ୍ତାନ ନୀତିରେ ପରିବର୍ତ୍ତନ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଜନସଂଖ୍ୟା ବୃଦ୍ଧି ଏବଂ ଲିଙ୍ଗ ଅନୁପାତ ସନ୍ତୁଳନ କରିବା।
ପ୍ରଭାବ: ଏହି ନୀତି ଦ୍ୱାରା ଅଧିକ ସନ୍ତାନ ଜନ୍ମକୁ ଉତ୍ସାହିତ କରାଯାଉଛି, ଯାହା ଦୀର୍ଘମିଆଦୀରେ ମହିଳା ଜନସଂଖ୍ୟା ବୃଦ୍ଧି କରି ଅସନ୍ତୁଳନ ହ୍ରାସ କରିପାରେ। ତଥାପି ପୁତ୍ର ପସନ୍ଦ ମନୋଭାବ ଏବଂ ଆର୍ଥିକ ଚାପ ଯୋଗୁଁ ଏହାର ପ୍ରଭାବ ସୀମିତ ରହିଛି।
୨. ଲିଙ୍ଗଭିତ୍ତିକ ଗର୍ଭପାତ ଉପରେ କଡ଼ା ନିୟମ
କାର୍ଯ୍ୟକ୍ରମ: ଚୀନ୍ ସରକାର ଲିଙ୍ଗ ନିରୂପଣ ଗର୍ଭପାତକୁ ବେଆଇନ ଘୋଷଣା କରିଛନ୍ତି ଏବଂ ଏହାକୁ ରୋକିବା ପାଇଁ କଡ଼ା ନିୟମ ଲାଗୁ କରିଛନ୍ତି। ଅଲଟ୍ରାସାଉଣ୍ଡ ମେସିନ୍ ମାଧ୍ୟମରେ ଗର୍ଭସ୍ଥ ଶିଶୁର ଲିଙ୍ଗ ଚିହ୍ନଟ କରିବା ଉପରେ କଟକଣା ଲଗାଯାଇଛି।
ପ୍ରଭାବ: ଏହି ନିୟମ ମହିଳା ଶିଶୁ ଜନ୍ମ ହାର ବୃଦ୍ଧି କରିବାରେ କିଛି ସଫଳତା ହାସଲ କରିଛି, କିନ୍ତୁ ଗ୍ରାମାଞ୍ଚଳରେ ଏହାର ପାଳନ ଏକ ଚ୍ୟାଲେଞ୍ଜ ହୋଇ ରହିଛି।
୩. ମହିଳା ଶିକ୍ଷା ଓ କର୍ମନିଯୁକ୍ତି ପ୍ରୋତ୍ସାହନ
କାର୍ଯ୍ୟକ୍ରମ: ଚୀନ୍ ସରକାର ମହିଳାଙ୍କ ଶିକ୍ଷା ଓ କର୍ମନିଯୁକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ନୀତି ଗ୍ରହଣ କରିଛନ୍ତି। ୨୦୧୯ ମସିହାରେ ମହିଳାଙ୍କ ବିରୁଦ୍ଧରେ କର୍ମକ୍ଷେତ୍ରରେ ଲିଙ୍ଗ ଭେଦଭାବକୁ ରୋକିବା ପାଇଁ ନୂଆ ନିୟମ ଜାରି କରାଯାଇଥିଲା, ଯେଉଁଥିରେ ନିଯୁକ୍ତି ସମୟରେ ବିବାହ ବା ସନ୍ତାନ ସମ୍ପର୍କୀୟ ପ୍ରଶ୍ନ ପଚାରିବା ଉପରେ କଟକଣା ଲଗାଯାଇଛି।
ପ୍ରଭାବ: ମହିଳାଙ୍କ ଶିକ୍ଷା ହାର ବୃଦ୍ଧି ପାଇଛି (୨୦୨୦ ମସିହାରେ ୫୮.୭% ମହିଳା ୨୫ ବର୍ଷ ବା ତଦୂର୍ଦ୍ଧ୍ୱରେ ମାଧ୍ୟମିକ ଶିକ୍ଷା ସମ୍ପୂର୍ଣ୍ଣ କରିଛନ୍ତି) ଏବଂ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ୬୩.୯% ରହିଛି। ଏହା ମହିଳାଙ୍କୁ ସାମାଜିକ ଓ ଆର୍ଥିକ ଭାବେ ସଶକ୍ତ କରିଛି, ଯାହା ଲିଙ୍ଗ ସମାନତାକୁ ପ୍ରୋତ୍ସାହନ ଦେଇପାରେ।
ପୁରୁଷ-ମହିଳା ଅସନ୍ତୁଳନକୁ ସମାନ କରିବା ପାଇଁ ଚୀନ୍ ସରକାର ଏବଂ ସମାଜ ଗ୍ରହଣ କରୁଥିବା ଏହି ସବୁ ପଦକ୍ଷେପ ଏବଂ କାର୍ଯ୍ୟକ୍ରମ କି ଫଳ ଆଣୁଛି ତାହା ଦେଖିବାର କଥା । ଯଦିଓ ଏହା ଏକ ଦୀର୍ଘକାଳୀନ ଚ୍ୟାଲେଞ୍ଜ ଭାବେ ଚୀନ ସରକାର ସମ୍ମୁଖରେ ଛିଡ଼ା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)