• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ ତାରିଖରେ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜନ୍ମସିଦ୍ଧ ନାଗରିକତା ଆଇନକୁ ରଦ୍ଦ କରିବା ପାଇ: ଆଦେଶ ଦେଇଛନ୍ତି । ଅର୍ଥାତ ଏହି ନିୟମ କାର୍ଯ୍ୟକାରୀ ହେଲେ ବିଦେଶୀ ପାସପୋର୍ଟ ଧାରକଙ୍କ ପିଲାମାନଙ୍କୁ ଆମେରିକାର ନାଗରିକ ଭାବେ ଗ୍ରହଣ କରାଯିବ ନାହିଁ । ଏହାକୁ ନେଇ ଅନ୍ୟମାନଙ୍କ ସହ ଭାରତୀୟମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି । ଅବଶ୍ୟ ଆମେରିକା କୋର୍ଟ ଏହି ଆଦେଶ ଉପରେ ଷ୍ଟେ ଲଗାଇଛନ୍ତି ।

ଆମେରିକାର ନୂଆ ଜନଗଣନା ଅନୁସାରେ, ଆମେରିକାରେ ୫୪ ଲକ୍ଷରୁ ଅଧିକ ଭାରତୀୟ ରହୁଛନ୍ତି । ଏହି ସଂଖ୍ୟା ଆମେରିକା ଜନସଂଖ୍ୟାର ପାଖାପାଖି ୧.୪୭ ପ୍ରତିଶତ । ଏଥିରୁ ତିନିଭାଗରୁ ୨ ଭାଗ ପ୍ରବାସୀ ଅଟନ୍ତି । ୩୪ ପ୍ରତିଶତ ଆମେରିକାରେ ଜନ୍ମ ନେଇଛନ୍ତି । ଯଦି ଟ୍ରମ୍ପଙ୍କର ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୁଏ ତେବେ ଅସ୍ଥାୟୀ ୱର୍କ ଭିସା ବା ଟୁରିଷ୍ଟ ଭିସା ଉପରେ ଆମେରିକାରେ ରହୁଥିବା ଭାରତୀୟ ନାଗରିକଙ୍କ ପିଲାମାନଙ୍କୁ ସ୍ୱତଃସ୍ପୃତ ନାଗରିକତା ମିଳିବ ନାହିଁ ।

ଆମେରିକା ରାଜନୀତିଠାରୁ ଆରମ୍ଭ କରି ଆମେରିକା ପ୍ରଶାସନ ପର୍ଯ୍ୟନ୍ତ ସବୁଠି ଭାରତୀୟମାନଙ୍କ ସ୍ଥିତି ମଜବୁତ ରହିଛି । ସିଲିକନ ଭାଲିରେ ଅଧିକାଂଶ ଲୋକ ଭାରତୀୟ । ଆମେରିକାର ଅଧିକାଂଶ ବଡ ବଡ କମ୍ପାନୀର ଶୀର୍ଷ ପଦରେ ଭାରତୀୟ ମୂଳ ନାଗରିକ ଅଛନ୍ତି । କହିବାକୁ ଗଲେ ଭାରତୀୟମାନଙ୍କର ଡ୍ରିମ କଣ୍ଟ୍ରି ହେଉଛି ଆମେରିକା ଏବଂ ଆମେରିକାର ରାଜନୀତିଠାରୁ ପ୍ରଶାସନ ଏବଂ ବ୍ୟାବସାୟିକ କ୍ଷେତ୍ରରେ ଭାରତୀୟଙ୍କ ଯୋଗଦାନ ଯଥେଷ୍ଟ ରହିଛି ।

ଏକ ରିପୋର୍ଟ ଅନୁସାରେ, ୨୦୨୨ରେ ୬୫ ହଜାରରୁ ଅଧିକ ଭାରତୀୟଙ୍କୁ ଆମେରିକୀୟ ନାଗରିକତା ପ୍ରଦାନ କରାଯାଇଛି । ତେବେ ଆମେରିକାରେ ନାଗରିକତା ହାସଲ କରିବା ସବୁବେଳେ ଏତେ ସହଜ କଥା ନ ଥିଲା । କାରଣର ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏଠାରେ ଯେତେବେଳେ ପ୍ରବଳ ଜାତିଭେଦ ମନୋଭାବ ଥିଲା ସେ ସମୟରେ ଆମେରିକାର ନାଗରିକତା ପାଇଁ ବହୁ ସଂଘର୍ଷ କରିବାକୁ ପଡୁଥିଲା ।

ତେବେ ଜାଣନ୍ତି, ଭାରତୀୟମାନେ ଆମେରିକା ନାଗରିକତ୍ୱ ପାଇବା ପରମ୍ପରା କେବେଠାରୁ ଆରମ୍ଭ ହେଲା ଏବଂ କିଏ ସେହି ବ୍ୟକ୍ତି ଯିଏ ପ୍ରଥମ ଆମେରିକୀ ନାଗରିକତ୍ୱ ପାଇ ପାରିଥିଲେ ?

ଗୋରା ଲୋକଙ୍କୁ ମିଳୁଥିଲା ନାଗରିକତା

ଭିକାଜୀ ବାଲସାରା ମୁମ୍ବାଇରେ ( ସେ ସମୟର ବମ୍ବେଇ) ଜଣେ କପଡ଼ା ବ୍ୟବସାୟୀ ଥିଲେ । ସେ ଥିଲେ ପ୍ରଥମ ଭାରତୀୟ ଯାହାଙ୍କୁ ଆମେରିକାର ନାଗରିକତ୍ୱ ପାଇବା ପାଇଁ  ଦୀର୍ଘ ଦିନ ଧରି ଆଇନଗତ ଲଢେଇ କରିବାକୁ ପଡିଥିଲା  । ଶେଷରେ ଅବଶ୍ୟ ସେ ସଫଳତା ପାଇଥିଲେ । ଆମେରିକାରେ ୧୯୦୦ ମସିହାର ପ୍ରାରମ୍ଭରେ କେବଳ ସ୍ୱାଧୀନ ଗୋରା ଲୋକମାନଙ୍କୁ ହିଁ ଆମେରିକାର ନାଗରିକତା  ଦିଆଯାଉଥିଲା ।  ୧୭୯୦ ନାଚୁରାଲାଇଜେସନ ଆକ୍ଟ ଅନୁସାରେ ଏହି ନାଗରିକତା ମିଳୁଥିଲା । ଆମେରିକାର ନାଗରିକତା ପାଇବା ପାଇଁ ଲୋକଙ୍କୁ ପ୍ରମାଣ ଦେବାକୁ ପଡୁଥିଲା ଯେ ସେମାନେ ଗୋରା ଏବଂ ସ୍ୱାଧୀନ  ।

୧୯୦୬ରେ କୋର୍ଟର ଦ୍ୱାରସ୍ଥ ହେଲେ

୧୭୯୦ର ନାଚୁରାଲାଇଜେସନ ଆକ୍ଟ ବିରୋଧରେ ଭିକାଜୀ ବଲସାରା ପ୍ରଥମ ଆଇନ ଲଢେଇ ୧୯୦୬ରେ ଆରମ୍ଭ କରିଥିଲେ । ନ୍ୟୁୟର୍କର ସର୍କିଟ କୋର୍ଟରେ ଏହି ଲଢେଇ ଚାଲିଥିଲା । ଏଥିରେ ବଲସାରା ଯୁକ୍ତି ଦର୍ଶାଇଥିଲେ ଯେ, ଆର୍ଯ୍ୟମାନେ ବି ଶ୍ୱେତ ଥିଲେ ଯେଉଁମାନଙ୍କ ମଧ୍ୟରେ କକେସିଆନ ଏବଂ ଇଣ୍ଡୋ-ୟୁରୋପିଆନ ବି ସାମିଲ ଥିଲେ ।  ଏହି ଯୁକ୍ତି ଉପରେ କୋର୍ଟ କହିଥିଲେ, ଯଦି ଏହି ଆଧାରରେ ବଲସାରାଙ୍କୁ ଆମେରକା ନାଗରିକତା ଦିଆଯାଏ ତେବେ ଏଥିରେ ଆରବ, ହିନ୍ଦୁ ଏବଂ ଆଫଗାନ ପାଇଁ ମଧ୍ୟ ନାଚୁରାଲାଇଜେସନର ରାସ୍ତା ଫିଟିଯିବ । ତେଣୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ତେବେ ବଲସାରା ଉଚ୍ଚ ଅଦାଲତରେ ଅପିଲ କରି ପାରିବେ ବୋଲି କୋର୍ଟ କହିଥିଲେ ।

କେମିତି ମିଳିଲା ନାଗରିକତା

ଭିକାଜୀ ବଲସାରା ଭାରତୀୟ ହେଲେ ବି  ପ୍ୟାରିସ ବଂଶୋଦ୍ଭବ ହୋଇଥିବାରୁ ଫରାସୀ ସଂପ୍ରଦାୟର ସଦସ୍ୟ ଭାବେ ତାଙ୍କୁ ଗଣାଯାଉଥିଲା । ଏଥିପାଇଁ ତାଙ୍କୁ ସ୍ୱତନ୍ତ୍ର ଗୋରା ବ୍ୟକ୍ତି ବୋଲି ମଧ୍ୟ ବିବେଚନା କରାଯାଉଥିଲା । ୧୯୧୦ରେ ତାଙ୍କର ମାମଲା ସାଉଥ ଡିଷ୍ଟ୍ରିକ୍ଟ କୋର୍ଟରୁ ସର୍କିଟ କୋର୍ଟ ଅଫ ଅପିଲ୍ସକୁ ଗଲା । ସେଠାରେ କୋର୍ଟ ପ୍ୟାରିସୀୟଙ୍କୁ ଶ୍ୱେତ ଭାବେ ବର୍ଗୀକୃତ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ଏହି ନିଷ୍ପତ୍ତି ଆଧାରରେ ପରେ ଅନ୍ୟ ଏକ ସଂଘୀୟ କୋର୍ଟ ଏ.କେ. ମଜୁମଦାରଙ୍କୁ ଆମେରିକା ନାଗରିକତା ପ୍ରଦାନ କରିଥିଲା ।

୧୯୧୭ରେ ଆମେରିକା ଆଣିଲା ପ୍ରବାସୀ ଅଧିନିୟମ

ଭିକାଜୀ ବଲସାରାଙ୍କ ସପକ୍ଷରେ ଆସିଥିବା ଏହି ନିଷ୍ପତ୍ତି ଆମେରିକା ଆଟର୍ଣ୍ଣି ଜେନେରାଲ ଚାର୍ଲସ ଜେ.ବୋନାପାର୍ଟଙ୍କ ୧୯୦୭ ଘୋଷଣାର ବିପରୀତ ଥିଲା । ଏଥିରେ କୁହାଯାଇଥିଲା ଯେ, କୌଣସି ଆଇନ ଅନୁସାରେ ବ୍ରିଟିଶ ଭାରତର ମୂଳ ନିବାସୀଙ୍କୁ ଶ୍ୱେତ କୁହାଯାଇ ପାରିବ ନାହିଁ । ୧୯୧୭ ପ୍ରବାସୀ ଅଧିନିୟମ ଆସିବା ପରେ ଆମେରିକାରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ହ୍ରାସ ପାଇଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରକା ଭାରତୀୟ ପ୍ରବାସୀଙ୍କ ପାଇଁ ତାର ଦ୍ୱାର ଖୋଲିଦେଲା । ୧୯୪୬ରେ ଲୁସ-ସେଲର ଅଧିନିୟମ ଅନୁସାରେ ପ୍ରତି ବର୍ଷ ୧୦୦ ଜଣ ଭାରତୀୟଙ୍କୁ ଆମେରିକାରେ ନାଗରିକତା ପ୍ରଦାନ ପାଇଁ ଅନୁମତି ମିଳିଥିଲା । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା । ୧୯୯୫ରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଶେଷରେ ୨୦୦୦ ମସିହାରେ ସର୍ବାଧିକ ସ୍ତରରେ ପହଞ୍ଚିଥିଲା । ଏହି ସମୟରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ପାଖାପାଖି ୯୦ ହଜାର ଛୁଇଁଥିଲା । 

ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ଆମେରିକାରେ ପ୍ରବାସୀଙ୍କ ଭୂମିକାରେ ବଡ ପରିବର୍ତ୍ତନ ଆସିଥିଲା । ବେଙ୍ଗାଲୁର, ଚେନ୍ନାଇ, ପୁଣେ ଏବଂ ହାଇଦ୍ରାବାଦରେ ଆଇଟି ସେଣ୍ଟର ବିକାଶ ହୋଇଥିଲା । ଏହାପରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୁଜୁରାଟ ଓ ତାମିଲନାଡୁରୁ ବହୁ ସଂଖ୍ୟକ ଲୋକ ଆମେରିକା ଆସିଥିଲେ । ଆମେରିକା ପକ୍ଷରୁ ଜାରି ଏଚ- ୧ବି  ଭିସା ୮୦ ପ୍ରତିଶତରୁ ଅଧିକ ଭାରତୀୟଙ୍କୁ ହିଁ ମିଳୁଥିଲା ।

.

OTV is now on Whatsapp

Join and get latest news update delivered to you via whatsapp

Join Now