• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ରୀୟ ଆମେରିକା (Central American) ସ୍ଥିତ ଏକ ଦେଶ ଏଲ୍‌ ସଲଭାଡୋର ( El Salvador)ରେ ବଡ଼ ଅଘଟଣ । ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଦଳାଚକଟା ହେବାରୁ ୧୨ ଜଣଙ୍କ ଜୀବନ ଚାଲିଯାଇଛି । କେବଳ ଏତିକି ନୁହେଁ ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଦୁଇ ସ୍ଥାନୀୟ ଟିମ୍‌ ଏଲିଆଞ୍ଜା ଏଫସି ଏବଂ କ୍ଲବ୍ ଡିପୋର୍ଟିଭୋ ଏଫ୍‌ଏଏସ୍‌ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା ।

ଷ୍ଟାଡିୟମର ଏକ ପ୍ରବେଶ ଦ୍ୱାରରେ ଉଭୟ ଟିମ୍‌ର ପ୍ରଶଂସକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେବା ପରେ ଦଳାଚକଟା ଆରମ୍ଭ ହୋଇଥିଲା । ଏହି ଷ୍ଟାଡିୟମ୍ ରାଜଧାନୀର ଉତ୍ତର-ପୂର୍ବରେ ପ୍ରାୟ ୨୫ ମାଇଲ୍ (୪୧ କିଲୋମିଟର) ଏବଂ ମଧ୍ୟ ଆମେରିକାର ସବୁଠାରୁ ବଡ ଷ୍ଟାଡିୟମ୍ ମଧ୍ୟରୁ ଅନ୍ୟତମ । ଷ୍ଟାଡିୟମ୍‌ରେ ଏକାବେଳେ ୪୪,୦୦୦ ରୁ ଅଧିକ ଦର୍ଶକ ବସି ମ୍ୟାଚ୍‌ର ମଜା ନେଇପାରିବେ ।

ଅଘଟଣ ପରେ ଷ୍ଟାଡିୟମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇ ପଡ଼ିଥିବା ୧୦୦ ଜଣ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଷ୍ଟାଡିୟମର ଗେଟ୍‌ ଭାଙ୍ଗିପଡ଼ିବା ଫଳରେ ଲୋକମାନେ ଦୌଡ଼ିଦୌଡ଼ି କରିଥିଲେ । ଫଳରେ ଦଳାଚକଟା ହୋଇଥିବା କୁହାଯାଉଛି ।

ଫିଫାର ବୟାନ୍‌:

ଏହି ଘଟଣା ପରେ ଫିଫା ପକ୍ଷରୁ ସମବେଦନା ବ୍ୟକ୍ତ କରାଯାଇଛି । ଏଥିପାଇଁ ଆର୍ଜେଣ୍ଟିନାରେ ହେବାକୁ ଥିବା ଅଣ୍ଡର -୨୦ ବିଶ୍ୱକପ୍‌ରେ ଚାରିଟି ମ୍ୟାଚ୍ ପୂର୍ବରୁ ଏକ ମିନିଟ୍‌ର ନିରବତା ପାଳନ କରାଯିବ । ଏଲ ସାଲଭାଡୋରରେ ଘଟିଥିବା ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ପୀଡିତଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମଧ୍ୟ ଗଭୀର ସମବେଦନା ଜଣାଇଛନ୍ତି ଫିଫା ସଭାପତି । ଫୁଟବଲ ମ୍ୟାଚର ପ୍ରତିଯୋଗୀ ଏବଂ ପ୍ରଶଂସକଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଏକ ବିବୃତ୍ତିରେ କହିଛନ୍ତି ।

ଅନ୍ୟପଟେ ଏହି ଘଟଣାର ତଦନ୍ତ କରାଯିବା ସହିତ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ଏଲ ସାଲଭାଡୋରର ରାଷ୍ଟ୍ରପତି ନାୟିବ ବୁକେଲେ କହିଛନ୍ତି ।

ସୂଚନାଯୋଗ୍ୟ ଗତ ବର୍ଷ ଇଣ୍ଡୋନେସିଆର ପୂର୍ବ ଜାଭାର ଏକ ଷ୍ଟାଡିୟମ୍‌ରେ ଫୁଟବଲ ମ୍ୟାଚବେ ଳେ ‌ଦଳାଚକଟାରେ ୧୩୫ ଜଣଙ୍କର ମୃତ୍ୟୁ ହୋଇଥିଲା ।