• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତୋଷଖାନା ଦୁର୍ନୀତି ମାମଲାରେ ପାକିସ୍ତାନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ(Imran Khan)ଙ୍କ ଉପରେ ସଙ୍କଟର ବାଦଲ । ଜେଲ ଯିବେ ନା ଛାଡ଼ ପାଇବେ ? ଏନେଇ ଅନିଶ୍ଚିତତା ଜାରି ରହିଛି । ତେବେ ଆଜି ଇମ୍ରାନ୍‌ ଖାନ୍‌ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ସମୟରେ ତାଙ୍କ କାରକେଡକୁ ଇସଲାମାବାଦ ଟୋଲ ପ୍ଲାଜା ନିକଟରେ ଅଟକାଇ ଦିଆଯାଇଛି । ଅନ୍ୟପକ୍ଷରେ ଇମ୍ରାନ ଖାନ ଇସଲାମାବାଦ ଅଭିମୁଖେ ବାହାରିଗଲା ପରେ ପୋଲିସ ତାଙ୍କ ଲାହୋର ବାସଭବନ(  Lahore Residence ) ଭିତରକୁ କବାଟ ଭାଙ୍ଗି ପଶିଛି । ବୁଲଡୋଜରରେ କବାଟ ଭଙ୍ଗା ଯାଇଛି । ତେବେ ଏହି ସମୟରେ ପୋଲିସ ଏବଂ ପିଟିଆଇ କର୍ମୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ମଧ୍ୟ ହୋଇଛି ।

ଇସଲାମାବାଦ ଯିବାବେଳେ ଇମ୍ରାନ ଖାନ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ଭିଡିଓରେ ଇମ୍ରାନ ଖାନ କହିଛନ୍ତି, ମୁଁ ଇସଲାମାବାଦରେ ପହଞ୍ଚିବା ପରେ ସେ ମୋତେ ଗିରଫ କରିନେବେ । ମୋର ଗିରଫ 'ଲଣ୍ଡନ ଯୋଜନା'ର ଏକ ଅଂଶ । ନୱାଜ ସରିଫଙ୍କ ନିର୍ଦ୍ଦେଶରେ ମୋତେ ଗିରଫ କରାଯାଉଛି ବୋଲି ସେ କହିଛନ୍ତି ।

ଏପଟେ ଇମ୍ରାନଙ୍କ ଲାହୋର ଘର ବାହାରେ ସ୍ଥିତି ବେଶ୍‌ ଉତ୍ତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ଜମାନ ପାର୍କ ଘରର ଛାତରୁ ପୋଲିସ ଉପରେ ଗୁଳି କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଏହାର ଜବାବରେ ପୋଲିସ ସେଠାରେ ଉପସ୍ଥିତ ଥିବା ପିଟିଆଇ କର୍ମଚାରୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି ।

ଅନ୍ୟପଟେ ଆଜି ଅଳ୍ପକେ ବର୍ତ୍ତି ଯାଇଛନ୍ତି ଇମ୍ରାନ ଖାନ୍। ତାଙ୍କ କାର୍‌କେଡ୍‌ରେ ସାମିଲ ହୋଇଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ପରସ୍ପର ମଧ୍ୟରେ ଧକ୍କା ହୋଇଛି କାର୍ । ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ତେବେ ଇମ୍ରାନ ଖାନ୍ ସୁରକ୍ଷିତ ଥିବା କୁହାଯାଉଛି । ତାଙ୍କ ଗାଡିର ମଧ୍ୟ କୌଣସି କ୍ଷତି ହୋଇନାହିଁ ।

ସୂଚନାଯୋଗ୍ୟ ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ଥିବା ବେଳେ ବିଦେଶରୁ ପାଇଥିବା ପ୍ରାୟ ସାଢ଼େ ୧୪ କୋଟି ଟଙ୍କାର ଉପହାରକୁ ତୋଷଖାନାରୁ ମାତ୍ର ୨ କୋଟି ୧୫ ଲକ୍ଷ ଟଙ୍କା ବିନିମୟରେ କିଣିଥିବା ଅଭିଯୋଗ ହୋଇଛି । ପରେ ସେ ଏହାକୁ ଚଢ଼ା ଦରରେ ବିକ୍ରି କରିଦେଇଥିବା ବି ଆରୋପ ଲାଗିଛି । ଶେହବାଜ ସରିଫ୍ ସରକାରର ସାଂସଦ ମାନେ ପାକିସ୍ତାନ ନାସନାଲ ଆସେମ୍ଲିରେ ଏହି ପ୍ରସଙ୍ଗ ଉଠାଇବା ପରେ, ଇମ୍ରାନଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରାଯାଇଛି । ତେବେ ଏହି ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ୍ ଖାନଙ୍କୁ ଗିରଫ କରିବାକୁ ଯାଇ ବାରମ୍ବାର ନାକେଦମ୍ ହେଉଛିପାକିସ୍ତାନ ପୋଲିସ ।

ଗତଥର ଇମ୍ରାନ୍ ପାଚେରୀ ଡେଇଁ ଲୁଚିପଳାଇବାରୁ ପୋଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଥିବା ଚର୍ଚ୍ଚା ହୋଇଥିଲା । ଇମ୍ରାନଙ୍କୁ ସୁରକ୍ଷା ଦେବା ଲାଗି ଢାଲ ସାଜିଛନ୍ତି ତାଙ୍କର ହଜାର ହଜାର ସମର୍ଥକ। ଇମ୍ରାନଙ୍କୁ ଗିରଫ ହେବାରୁ ରକ୍ଷା କରିବାରେ ଗିଲ୍ ଗିଟ୍-ବାଲିଚିସ୍ତାନ ଫୋର୍ସକୁ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ମାରିୟମ ଔରଙ୍ଗଜେବ୍ ।