• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାଲିବାନ କବଜା ପରେ ଆଫଗାନିସ୍ତାନ ଅର୍ଥନୈତିକ ଏବଂ ରାଜନୈତିକ ଅସ୍ଥିରତାର ଲାଗିରହିଛି । ହମିଦ କରଜାଇ ସରକାରଙ୍କ ସହ କାମ କରିଥିବା କବୀର ହକମଲ ନିକଟରେ ଏକ ଟ୍ୱିଟ ପୋଷ୍ଟ ସେୟାର କରିଛନ୍ତି । ଦେଶରେ ଅନେକ ପ୍ରତିଭାବାନ ଲୋକ ବୃତ୍ତି ହରାଇଥିବା ସହ ଖାଇବା ଗଣ୍ଡାକ ପାଇଁ ରାସ୍ତା ଉପରକୁ ଚାଲି ଆସିଥିବା ସେ ଟ୍ୱିଟରରେ ଦର୍ଶାଇଛନ୍ତି ।

କବୀର ଜଣେ ଆଫଗାନିସ୍ତାନ ସାମ୍ବାଦିକ ମୁସା ମହମ୍ମଦୀଙ୍କ ଫଟୋ ସେୟାର କରିଛନ୍ତି। ମହମ୍ମଦୀ ବର୍ଷ ବର୍ଷ ଧରି ଗଣମାଧ୍ୟମର ଏକ ବଡ଼ ଅଂଶ ଥିବା ସେ କ୍ୟାପସନରେ ଲେଖିଛନ୍ତି । କିନ୍ତୁ ବର୍ତ୍ତମାନ ଆଫଗାନିସ୍ତାନରେ ଏପରି ଭୟଙ୍କର ଅର୍ଥନୈତିକ ସ୍ଥିତି ମଧ୍ୟରେ ସେ ନିଜର ଆବଶ୍ୟକତା ପୂରଣ ପାଇଁ ଖାଦ୍ୟ ବିକ୍ରି କରୁଛନ୍ତି । ଆଫଗାନୀ ଶାସନରେ ତାଙ୍କ ପ୍ରତିଭା କିଛି କାମରେ ଆସୁନି । କାରଣ ଗଣମାଧ୍ୟମର ସିଧାସଳଖ କଣ୍ଠରୋଧ କରାଯାଉଛି ।

ତାଲିବାନ ଶାସନରେ ଆଫଗାନିସ୍ତାନରେ ସାମ୍ବାଦିକମାନଙ୍କ ଜୀବନ କହିଲେ ନସରେ । ମୁସା ମହମ୍ମଦ ଅନେକ ଟିଭି ଚ୍ୟାନେଲରେ ଆଙ୍କର୍ ଏବଂ ସାମ୍ବାଦିକ ଭାବରେ ବର୍ଷ ବର୍ଷ ଧରି କାମ କରିଛନ୍ତି । ହେଲେ ତାଲିବାନି ଶାସନ ଆସିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଛି । ବର୍ତ୍ତମାନ ପରିବାର ଚଳାଇବା ପାଇଁ ମଧ୍ୟ ତାଙ୍କ ପାଖରେ ସମ୍ବଳ ନାହିଁ । ଆୟ କରିବାକୁ କୌଣସି ପନ୍ଥା ନଥିବା ବେଳେ କିଛି ଟଙ୍କା ରୋଜଗାର କରିବାକୁ ସେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଘରେ ସ୍ତ୍ରୀ, ପିଲାଛୁଆ, ବୁଢ଼ୀମା ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ରାସ୍ତାର ଖାଦ୍ୟ ବିକୁଛନ୍ତି । ଗଣତନ୍ତ୍ରର ପତନ ପରେ ଆଫଗାନିସ୍ତାନର ଲୋକେ ଗିରିବି ଭିତରେ ଘାଣ୍ଟି ହେଉଛନ୍ତି ।

ମୂଷା ମହମ୍ମଦୀଙ୍କ କାହାଣୀ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି । ଜାତୀୟ ରେଡିଓ ଏବଂ ଟେଲିଭିଜନର ମହାନିର୍ଦ୍ଦେଶକ ଅହମ୍ମଦୁଲ୍ଲା ୱାସିକଙ୍କ ଦୃଷ୍ଟି ଆକର୍ଷଣ କରିଛି ଏହି ପୋଷ୍ଟ । ୱାସିକ୍ ତାଙ୍କ ଟ୍ୱିଟରେ କହିଛନ୍ତି, ସେ ତାଙ୍କ ବିଭାଗରେ ପୂର୍ବତନ ଟିଭି ଆଙ୍କର୍ ଏବଂ ସାମ୍ବାଦିକଙ୍କୁ ନିଯୁକ୍ତ କରିବେ ।

ସୂଚନାଯୋଗ୍ୟ ତାଲିବାନ୍‌ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବା ପରଠାରୁ ଦେଶ ମାନବିକ ତଥା ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ବିଗତ କିଛି ମାସ ମଧ୍ୟରେ ଅନେକ ସାମ୍ବାଦିକ, ବିଶେଷକରି ମହିଳାମାନଙ୍କ ନିଜ ଚାକିରି ହରାଇଛନ୍ତି । ବିଶ୍ୱ ବ୍ୟାଙ୍କ ସୂଚନା ଅନୁସାରେ ଆଫଗାନିସ୍ତାନ ଅର୍ଥବ୍ୟବସ୍ଥାରେ ଗତ ଚାରି ମାସ ମଧ୍ୟରେ ମୁଣ୍ଡପିଛା ଆୟ ଅର୍ଥନୀତି ଏକ ତୃତୀୟାଂଶରୁ ଅଧିକ ହ୍ରାସ ପାଇଛି, ଯାହା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି ।