• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ । ପ୍ରତିବର୍ଷ ଏହା ପ୍ରକାଶ ପାଇଥାଏ । ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଥାଏ, କେଉଁ ସବୁ ଦେଶ ବେଶ ଖୁସିରେ ଅଛନ୍ତି, ଆଉ କେଉଁ ଦେଶମାନେ ଦୁଃଖରେ । ତେବେ ଏହି ଖୁସି ଓ ଦୁଃଖୀର ଏକ ମାପ କାଠି ରହିଛି । ଏହା ଜାଣିବା ପାଇଁ ବିଶ୍ୱ ସ୍ତରରେ ଏକ ମାନଦଣ୍ଡ ସ୍ଥିର କରାଯାଇଛି । ସେହି ମାନ ଦଣ୍ଡ ଅନୁସାରେ ଯେଉଁ ଦେଶ, ସଫଳ ହେବ । ସେହି ଦେଶକୁ ଅଧିକ ଖୁସି ବୋଲି ବିବେଚନା କରାଯିବ ।

ଏହି ମାନଦଣ୍ଡରେ ରହିଛି ଦେଶରେ ଲୋକଙ୍କୁ ମିଳୁଥିବା ସ୍ୱାଧୀନତା, ସ୍ୱାସ୍ଥ୍ୟ, ଦୁର୍ନୀତି ଏବଂ ଆୟ । ତେବେ ସବୁଠାରୁ ଅଧିକ ଦୁଃଖୀ ଦେଶ ତାଲିକାର ଶୀର୍ଶରେ ରହିଛି ଆଫ୍‌ଗାନିସ୍ତାନ । ଏହି ତାଲିକାରେ ଭାରତର ସ୍ଥାନ ମଧ୍ୟ ଅତ୍ୟନ୍ତ ନିରାଶାଜନକ ।

କେଉଁ ଆଧାରରେ ଏହି ଖୁସି ରିପୋର୍ଟ ପ୍ରସ୍ତୁତ ହୋଇଥାଏ ?

ଏହି ରିପୋର୍ଟ ପ୍ରସ୍ତୁତ କରିବାରେ ମୁଖ୍ୟତଃ ୬ଟି ଦିଗ ଉପରେ ଅଧିକ ଧ୍ୟାନ ଦିଆଯାଏ । ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ, ଆୟ, ସ୍ୱାଧୀନତା, ଲୋକଙ୍କ ମଧ୍ୟରେ ଉଦାରତା ଏବଂ ଦୁର୍ନୀତି ମୁକ୍ତ । ମଣିଷ ସମାଜକୁ ଖୁସି ରହିବାକୁ ହେଲେ ଏହି ସବୁ ଜିନିଷ ନିହାତି ଆବଶ୍ୟକ । ଯେଉଁ ଦେଶରେ ଏହି ସବୁ ସୁବିଧା ରହିଛି, ସେହି ଦେଶ ଅଧିକ ମାର୍କ ପାଇବ ଏବଂ ଯେଉଁ ଦେଶରେ ଏହି ସବୁର ଅଭାବ ଦେଖାଯାଏ, ସେହି ଦେଶ କମ୍‌ ମାର୍କ ପାଇବ । ଆଉ ସେହି ଦେଶକୁ ଦୁଃଖୀ ବୋଲି ଗଣାଯିବ ।

ଆଫଗାନିସ୍ତାନ

୧୩୭ ଦେଶ ତାଲିକାରେ ସର୍ବନିମ୍ନ ସ୍ଥାନରେ ରହିଛି ଆଫଗାନିସ୍ତାନ । ତେଣୁ ଏହି ଦେଶ ବିଶ୍ୱର ସବୁଠାରୁ ଦୁଃଖୀ ଦେଶ । ତାଲିବାନ ଶାସନରେ ଆଫଗାନିସ୍ତାନ ବହୁତ କମ ଆୟ କରୁଛି, ବେଜରୋଜଗାରୀ ଅଧିକ, ଘୋର ଦାରିଦ୍ର୍ୟତା ଦେଇ ଗତି କରୁଛି । ଲୋକେ ଅନାହାରରେ ଜୀବନ ବିତାଉଛନ୍ତି । ସବୁବେଳେ ଏଠାରେ ଯୁଦ୍ଧ ହେଉଥିବାରୁ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି । ଖାଲି ସେତିକି ନୁହେଁ ଏଠାରେ ଦରଦାମ ମଧ୍ୟ ଢ଼େର ଅଧିକ ।

ଲେବାନନ୍

ଦୁଃଖୀ ଦେଶ ତାଲିକାରେ ଲେବାନନ୍ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଦେଶ ସାମାଜିକ-ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ଅସ୍ଥିରତାର ସମ୍ମୁଖୀନ ହେଉଛି । ଯାହାଫଳରେ ଲୋକମାନେ ସମାଜ ତଥା ସରକାରଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ।

ସିଏରା ଲିଓନ୍

ଏହି ଦେଶ ବିଶ୍ୱରେ ତୃତୀୟ ସ୍ଥାନରେ ରହିଥିବା ବେଳେ ଆଫ୍ରିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାକାର ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ଖରାପ । ରାଜନୈତିକ ଅସ୍ଥିରତା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ସାମାଜିକ ଅସ୍ଥିରତା ସହ ସଂଘର୍ଷ କରୁଥିବା ଏହି ଦେଶର ନାଗରିକମାନେ ସେମାନଙ୍କର ଖାଦ୍ୟ ଆବଶ୍ୟକତା ମଧ୍ୟ ପୂରଣ କରିବାରେ ସକ୍ଷମ ନୁହଁନ୍ତି।

ଜିମ୍ବାୱେ

ବିଶ୍ୱର ସବୁଠାରୁ ଅଧିକ ଦୁଃଖୀ ଦେଶ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଜିମ୍ବାୱେ । ତଥାପି ଜିମ୍ବାୱେ ଏବେ ଅନେକ ଚ୍ୟାଲେଞ୍ଜ ଦେଇ ଗତି କରୁଛି । ଯେଉଁଥିପାଇଁ ସେଠାରେ ଥିବା ଲୋକଙ୍କ ମଧ୍ୟରେ ନିରାଶା ଏବଂ ହତାଶା ଭାବ ଦେଖାଦେଇଛି ।

ଡେମୋକ୍ରାଟିକ ରିପବ୍ଲିକ୍ ଅଫ୍ କଙ୍ଗୋ

ଦୀର୍ଘ ଦିନ ଧରି ବିବାଦ, ରାଜନୈତିକ ଅସ୍ଥିରତା, ଏକଛତ୍ରବାଦୀ ଶାସନ ଏବଂ ଲୋକଙ୍କ ବାଧ୍ୟତାମୂଳକ ପଳାୟନର ସମ୍ମୁଖୀନ ହେଉଥିବା କଙ୍ଗୋ ଦେଶରେ ରହିଛି ଘୋର ଅସନ୍ତୋଷ । ଯେଉଁଥିପାଇଁ ଏହି ଦେଶ ଦୁଃଖୀ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ସବୁ ଦିଗରୁ ଚ୍ୟାଲେଞ୍ଜ ଦେଖି କଙ୍ଗୋବାସୀ ଦେଶର ପରିସ୍ଥିତିକୁ ନେଇ ଅସନ୍ତୁଷ୍ଟ ଏବଂ ନିରାଶ ଅଛନ୍ତି।

ବୋତ୍ସୱାନା

ବୋତ୍ସୱାନାରେ ମଧ୍ୟ ରାଜନୈତିକ-ସାମାଜିକ ଅସ୍ଥିରତା ଲାଗିରହିଛି । ଯେଉଁଥିପାଇଁ ଲୋକମାନେ ଅସନ୍ତୁଷ୍ଟ ରହିଛନ୍ତି । ଆଉ ଏହି କାରଣରୁ ଦୁଃଖୀ ତାଲିକାର ଷଷ୍ଠ ସ୍ଥାନରେ ରହିଛି ବୋତ୍ସୱାନା ଦେଶ ।

ମଲାୱୀ

ଜନସଂଖ୍ୟା ବୃଦ୍ଧି, ଟଙ୍ଗରା ଜମି, ଏବଂ ଜଳସେଚନର ସୁବିଧା ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଦେଶର ଲୋକେ । ତେଣୁ ଦୁଃଖୀ ତାଲିକାର ୭ ନମ୍ବର ସ୍ଥାନରେ ରହିଛି ଏହି ଦେଶ । ଏଠାକାର ଲୋକମାନଙ୍କ ପାଖରେ ଖାଦ୍ୟ ପାନୀୟର ଘୋର ଅଭାବ ରହିଛି । ଅର୍ଥନୈତିକ ସ୍ଥିତି ମଧ୍ୟ ଭାରି ଖରାପ । ସୀମିତ ସମ୍ବଳ ମଧ୍ୟରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଚାପରେ ଲୋକଙ୍କ ଜୀବନ ଅତି ଦୁର୍ବିଶହ ହୋଇପଡ଼ିଛି ।

କୋମୋରସ୍

କୋମୋରସ୍‌ର ମଧ୍ୟ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଏହି ଦେଶକୁ ‘ସତ୍ତା ପରିବର୍ତ୍ତନ’ର ଦେଶ ମଧ୍ୟ କୁହାଯାଏ । କାରଣ ଏହି ଦେଶର ଶାସନଭାର କେତେବେଳେ କାହା ହାତରେ ରହିବ ତାହା ଆକଳନ କରିବା କଷ୍ଟ । ଦିନକରେ ବି ଏଠି ସତ୍ତା ପଲଟିଯାଏ । ସାମାଜିକ-ରାଜନୈତିକ ଅସ୍ଥିରତା ହେତୁ ଏଠାକାର ଲୋକମାନେ ଅତ୍ୟଧିକ ନିରାଶାରେ ଅଛନ୍ତି । ଯେଉଁଥିପାଇଁ ଏହା ହେଉଛି ଅଷ୍ଟମ ଦୁଃଖୀ ଦେଶ ।

ତାଞ୍ଜାନିଆ

ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହେଉଥିବା ତାଞ୍ଜାନିଆ ଅସନ୍ତୁଷ୍ଟ ବା ଦୁଃଖୀ ଦେଶ ତାଲିକାର ନବମ ସ୍ଥାନରେ ରହିଛି ।

ଭାରତର ରାଙ୍କିଂ କେତେ ?

ଯଦିଓ ଭାରତ ଏହି ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ, ତଥାପି ଦେଶର ସ୍ଥିତି ଭଲ ନାହିଁ । ୧୩୭ ସୁଖି ଦେଶ ତାଲିକାରେ ଭାରତ ତଳ ଆଡ଼ୁ ଦ୍ୱାଦଶ ସ୍ଥାନରେ ରହିଛି । ବିଶ୍ୱ ସ୍ତରରେ ଏକ ଉଦୀୟମାନ ଅର୍ଥନୀତି ଭାବରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ସତ, ହେଲେ ଖୁସି ଦେଶ ତାଲିକାରେ କିନ୍ତୁ ବହୁତ ପଛରେ ।