• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ମାଡ଼ି ଆସିଲା ନିଷ୍ଠୁର ମୃତ୍ୟୁ । ବନ୍ୟାଞ୍ଚଳରୁ ମୁକୁଳି ସୁରକ୍ଷିତ ସ୍ଥାନକୁ ଯାଉଥିବା ବେଳେ ବସରେ ନିଆଁ ଲାଗି ଚାଲିଗଲା ଜୀବନ । ପଡ଼ୋଶୀ ଦେଶ ପାକିସ୍ତାନରେ ଏଭଳି ଏକ ଅଘଟଣ ଘଟିଛି । ସିନ୍ଧ ଜିଲ୍ଲାର ଏକ ବସ୍‌ରେ ହଠାତ୍ ଅଗ୍ନିକାଣ୍ଡ ଘଟି ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରେ ୮ ଛୋଟ ଛୁଆ ଥିବା ଜଣାଯାଇଛି । ଏହି ଘଟଣା ପରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି ।

ବୁଧବାର ଦିନ କରାଚି ଠାରୁ ୯୦ କିଲୋମିଟର ଦୂରରେ ଥିବା ନୋରିଆବାଦ ସହରରେ ଘଟିଛି ଏହି ବଡ଼ ଅଘଟଣ । ବର୍ତ୍ତମାନ ପାକିସ୍ତାନରେ ବନ୍ୟା ଯୋଗୁ ବିଭିନ୍ନ ଅଞ୍ଚଳରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି । ଆଉ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖାଯାଉଛି । ତେବେ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପରେ କରାଚି ସ୍ଥିତ ଏକ ଆଶ୍ରୟସ୍ଥଳୀରୁ ପ୍ରାୟ ୫୦ରୁ ଅଧିକ ବନ୍ୟା ପ୍ରପୀଡିତ ଏକ ସରକାରୀ ବସ୍‌ ଯୋଗେ ଖୈରପୁର ନାଥନଶାହ ଅଭିମୁଖେ ଫେରୁଥିଲେ । ବୁଧବାର ସନ୍ଧ୍ୟାରେ ଖେରପୁର ନାଥାନଶାହା ଅଞ୍ଚଳକୁ ଯାଉଥିବା ଏହି ବସରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିବା ପାକ୍ ଅଧିକାରୀମାନେ ସୂଚନା କରିଛନ୍ତି ।

ପୋଲିସ ସୂଚନା ଅନୁସାରେ , କରାଚିରେ ନିର୍ମିତ ଆଶ୍ରୟସ୍ଥଳୀକୁ ପାଖାପାଖି ୫୦ରୁ ଅଧିକ ବନ୍ୟା ପୀଡିତଙ୍କୁ ନିଆ ଯାଉଥିଲା । ହେଲେ ବସଟି ହଠାତ୍ ନୋରିଆବାଦ- ଜାମଶୋରୋ ଏବଂ ହାଇଦ୍ରାବାଦ ନିକଟରେ ଥିବା M-9 ମୋଟରୱେରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ବସ୍‌ର ଏୟାର କଣ୍ଡିସନ ସିଷ୍ଟମରେ ତ୍ରୁଟି ଯୋଗୁ ଏତେ ବଡ଼ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ବସ୍‌ରେ ନିଆଁ ଲାଗିଥିବା ବେଳେ ବହୁ ଯାତ୍ରୀ ତଳକୁ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇ ପାରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।