• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୁଅ ଫଟୋକୁ ଧରି ଦୁଆର ମୁହଁରେ ବସି ମାଆ । କେତେବେଳେ ଆଉଁଷି ଦେଉଛି ତ ପୁଣି କେତେବେଳେ ଗେଲ କରିଦେଉଛି । ପୁଣି ବାହୁନି ବାହୁନି କାନ୍ଦୁଛି । ଆଉ କହୁଛି ଧନ ତୁ କୁଆଡେ ଗଲୁରେ? କେମିତି ଅଛୁରେ? କେବେ ମୋ କୋଳକୁ ଫେରିବୁରେ? ହେଲେ ମାଆ କୋଳକୁ ପୁଅ ଫେରୁନି କି ମାଆ ଆଖିରୁ ଲୁହ ଶୁଖୁନି ।

ମାଆ ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ଛତିଶଗଡ ଯାଇଥିଲା ପୁଅ । ଭେଣ୍ଡିଆ ରୋଜଗାର କରିବାକୁ ଯାଇଥିବାରୁ ପରିବାର ଲୋକ ଭାବିଥିଲେ ଦୁଇ ପଇସା ଦେବ, ଭଲରେ ଗଣ୍ଡେ ଖାଇବୁ। ଘର ଖଣ୍ଡିଏ କରିବୁ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । କାରଣ ଦାଦନ ଯିବା ଦିନଠାରୁ ମାଆ ପାଖକୁ ଟିକେ ଫୋନ୍‌ କରିନି ପୁଅ ଚାମ୍ପା ଏକା । ଘରୁ ବି ଫୋନ୍‌ କଲେ ଉଠାଉନାହିଁ । ୧୦ ମାସ ୧୦ ଦିନ ଯେଉଁ ପୁଅକୁ ଗର୍ଭରେ ରଖି ଦୁନିଆର ଆଲୋକ ଦେଖାଇଥିଲା । ସେହି ପୁଅ ଯେବେ ମାଆ ସହ କଥା ହେଉନି କି ତା’ ଭଲମନ୍ଦ ମାଆ ଜାଣିପାରୁନି ସେତେବେଳେ ସେ ଧୈର୍ଯ୍ୟ ଧରିବ ବା କେମିତି?

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡାର ଏତୱାରୀ ଏକ୍କା । ମାସେ କି ୨ ମାସ ନୁହେଁ ବରଂ ବର୍ଷେ ହେଲାଣି ପୁଅ ଚାମ୍ପା ଏକ୍କାର ମିଳୁନି ଖୋଜଖବର । ସେଇଥି ଲାଗି ତ ପୁଅକୁ ଝୁରି ଝୁରି କବାଟ ବନ୍ଧରେ ବସି କାନ୍ଦୁଛନ୍ତି ଏତୱାରୀ ଏକ୍କା । ଏଇ ମାଆର ଦୁଃଖ ଏତେ ଯେ କହିଲେ ବି ସରିବନି । ୩ ବର୍ଷ ପୂର୍ବରୁ ସ୍ୱାମୀଙ୍କୁ ହରାଇଥିଲେ । ସ୍ୱାମୀ ଯିବା ପରେ ପୁଅ ମୁହଁକୁ ଚାହିଁ ବଞ୍ଚୁଥିଲେ । ହେଲେ ସେହି ପୁଅର ଏବେ ଅତାପତ୍ତା ନାହିଁ । ବୟସ ଏତେ ହେଲାଣି ଯେ ରୋଜଗାର କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ସରକାରୀ ସହୟତାକୁ ଏବେ ଅପେକ୍ଷା ।

ଏତେ କଷ୍ଟରେ ରହୁଥିବା ପରେ ବି ବୁଢୀ ମାଆକୁ ମିଳିପାରିନି କୌଣସି ସରକାରୀ ସହାୟତା । ଘର ଖଣ୍ଡିଏ ଲାଗି ବାରମ୍ବାର ପ୍ରଶାସନ ପାଖରେ ନେହୁରା ହେବା ପରେ ବି ମିଳୁନି ଘର । ଏତେ କଷ୍ଟରେ ରହୁଥିବା ବେଳେ ପୁଅ ନିଖୋଜ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଆଜିଯାଏଁ ପୋଲିସ ହାତ ଖାଲି । ସେପଟେ ଘଟଣାକୁ ନେଇ ବିଡିଓ କହୁଛନ୍ତି, ଚମ୍ପା ଏକ୍କା କେଉଁଠାରେ ଅଛନ୍ତି ତାହାର ତଦନ୍ତ କରାଯିବା ସହିତ ଫେରିବାର ବ୍ୟବସ୍ଥା କରାଯିବ ।

ରାଜ୍ୟରେ କାମ ମିଳୁନଥିବାରୁ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି ଶହଶହ ଯୁବକ । ହେଲେ ଅଧିକାଂଶ ଯୁବକଙ୍କର ମିଳୁନି କୌଣସି ପତ୍ତା । ଯାହାକୁ ନେଇ ଏବେ ପୂରା ଜିଲ୍ଲାରେ ଅସନ୍ତୋଷ ତେଜିବା ସହିତ ତୁରନ୍ତ ତାଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି ।

 

  • Reported by:
  • Rakesh Kumar Sahoo