/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689264070.jpg)
Woman seeks govt help , divyang girl
ଖଟରେ ଦିବ୍ୟାଙ୍ଗ ଝିଅ ଶୋଇଛି, ମାଆ ତାକୁ ଗେଲ କରି ପକାଉଛି । ଖୁଆଇ ଦେଉଛି, ଶୁଆଇ ଦେଉଛି ପୁଣି କେତେ କଣ କହିଦେଉଛି । ହେଲେ ବିଧିର ବିଧାନ ବଡ଼ ବିଚିତ୍ର । ଖଟରେ ସିନା ଝିଅ ଶୋଇଛି ହେଲେ ନା ସେ କିଛି ବୁଝିପାରୁଛି ନା କିଛି କହିପାରୁଛି । ବରଂ ନିଜ ଭାଷାରେ ସେ କିଛି କହିଯାଉଛି...ଏମିତି ଦୃଶ୍ୟ ଯେତିକି ହୃଦୟବିଦାରକ ସେତିକି ବେଦନାଦାୟକ ମଧ୍ୟ ।
ଦିନେ ଗାଁକୁ ଶାଢି ବିକ୍ରି କରିବାକୁ ଆସିଥିଲା ଫେରିବାଲା...ଥରେ ନୁହେଁ ବରଂ ବାରମ୍ବାର ଗାଁକୁ ଆସିବା ପରେ ତାଙ୍କର ପ୍ରେମ ହୋଇଯାଇଥିଲା ମମତାଙ୍କ ସହ । ବାସ୍ ଏହି ପ୍ରେମ ଯେ ଦିନେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଗଢିଦେବ ସେ କଥା କିଏ ବା ଜାଣିଥିଲା? ଖାଲି ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଗଢିଦେଲା ତାହା ନୁହେଁ ବରଂ ସଂସାର ଗଢିବାକୁ ସେମାନେ ବି ସ୍ୱପ୍ନ ଦେଖିଲେ...ଆଉ ତା’ରି ଭିତରେ ଗର୍ଭବତୀ ହେଲେ ମମତା ।
ସେଦିନ ଥିଲା ଅକ୍ଟୋବର ୨୯ ତାରିଖ, ୧୯୯୯ ମସିହା । ସଂଧ୍ୟା ବେଳକୁ ସୁ ସୁ ଗର୍ଜନ କରି ମାଡି ଆସିଥିଲା ବତାଶ । ବାସ୍ ଏହି ବତାଶ ହିଁ ମମତାଙ୍କ ଜୀବନକୁ ଜାଳିପୋଡି ଛାରଖାର କରିଦେଲା । ବାତ୍ୟାରେ ସ୍ୱାମୀ କୁଆଡେ ପଳାଇଗଲେ ଯେ ପଳାଇଗଲେ ଆଉ ଫେରିବାର ନା ଧରିଲେନି । ହେଲେ ସେତେବେଳକୁ ୩ ମାସର ଗର୍ଭବତୀ ହୋଇସାରିଥିଲେ ମମତା । ସ୍ୱାମୀ ଛାଡି ଚାଲିଯିବା ପରେ ସେ କିନ୍ତୁ ହାର ମାନିନଥିଲେ ବରଂ ଝିଅକୁ ଜନ୍ମ ଦେଇଥିଲେ, ସଂସାରର ଆଲୋକ ଦେଖାଇଥିଲେ । କିନ୍ତୁ ସେ ଜାଣିନଥିଲେ ଝିଅ ଦିବ୍ୟାଙ୍ଗ ହୋଇ ଜନ୍ମ ହେବ ବୋଲି ।
ଏହାରି ମଧ୍ୟରେ ୨୫ ବର୍ଷ ବିତିଲାଣି । କିନ୍ତୁ ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି କାମାକ୍ଷାନଗରର ମମତା । ବରଂ ନିଜର ପ୍ରେମର ସନ୍ତାନକୁ ପାଳିପୋଷି ମଣିଷ କରିବା ସହିତ ନିଜେ ମୂଲମଜୁରୀ କରି ପରିବାର ପୋଷୁଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କି ଏତେ କଷ୍ଟରେ ରହୁଥିବା ପରେ ବି ସରକାରୀ ସାହାଯ୍ୟ ତାଙ୍କ ଲାଗି ୭ ସପନ ହୋଇ ରହିଛି । ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୫ କିଲୋ ଚାଉଳ ସହ ୫ ଶହ ଟଙ୍କା ଭତ୍ତା । ନିଜେ ସିନା ଏତକ ପାଉଛନ୍ତି ହେଲେ ଘରେ ଶୋଇଥିବା ଏହି ଦିବ୍ୟାଙ୍ଗ ଝିଅକୁ କିନ୍ତୁ କିଛି ମିଳୁନି ।
ଏମିତି ଦୁଃଖ ସମୟରେ ଗାଁ ଲୋକ ଯାହା ଯେମିତି ମମତାଙ୍କୁ ସାହାଯ୍ୟ କରୁଛନ୍ତି ହେଲେ ସେତିକ ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ତେବେ ଏନେଇ ଆମେ ଉପଜିଲ୍ଲାପାଳକୁ ଅବଗତ କରିବା ପରେ ତୁରନ୍ତ ମମତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ସହିତ ଉନ୍ନତମାନର ଚିକିତ୍ସା କରାଇବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)