/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685745452.jpg)
lights diya with hopes of missing son’s return
ତୁଳସୀ ଗଛ ମୂଳରେ ଘିଅ ଦୀପ ଜାଳୁଛି...ବରଗଛରେ ଚନ୍ଦନ ସହ ସିନ୍ଦୂର ଲଗାଇ ପୂଜା କରୁଛି । ଭୋଗ ଦେଇ ମାଆ ବୃନ୍ଦାବତୀ ପାଖରେ ନେହୁରା ହେଉଛି । କାନ୍ଦି କାନ୍ଦି କହୁଛି ମାଆଲୋ ମୋ ପୁଅକୁ ଫେରାଇ ଆଣ । ତତେ ମୁଁ ଆଉ କିଛି ମାଗୁନି । ୧୧ ବର୍ଷର ପୁଅ ନିଖୋଜ ହେବା ପରେ ପୁଅକୁ ପାଇବା ଲାଗି ପୂଜାର୍ଚ୍ଚନା କରୁଛନ୍ତି ଜଣେ ମାଆ ।
ଖେଳୁଥିଲା ବୁଲୁଥିଲା...ବାପ-ମାଆଙ୍କର ଥିଲା ସେ ଗେହ୍ଲା ପୁଅ । ବୟସ ମାତ୍ର ୧୧...କିନ୍ତୁ ଖେଳୁଖେଳୁ ସେ କୁଆଡେ ପଳେଇ ଗଲା ଯେ ଖୋଜି ଖୋଜି ନୟାନ୍ତ ହେଲେଣି ବାପା । କିନ୍ତୁ ପୁଅର ମିଳୁନି ସନ୍ଧାନ । ଆଉ ପୁଅକୁ ନପାଇବା ପରେ ପରିବାର ସହ ଗାଁ ଲୋକ...ସମସ୍ତଙ୍କ ଆଖିରେ ଲୁହ । ନଈ ପଠାକୁ ଲାଗି ମନୋଜଙ୍କ ଘର । ଭଙ୍ଗା ଦଦରା ଘରେ ବାପା-ମାଆଙ୍କ ସହ ମନୋଜ ରହୁଥିଲେ ।
ଖରାଛୁଟି ଥିବାରୁ ନଈ ପଠାକୁ ସବୁବେଳେ ଖେଳିବାକୁ ଯାଆନ୍ତି ମନୋଜ । ସେଦିନ ଥିଲା ୨୪ ତାରିଖ । ସବୁଦିନ ପରି ନଈ ପଠାକୁ ଖେଳିବାକୁ ଯାଇଥିଲା ମନୋଜ । ହେଲେ ଘରକୁ ଫେରିନଥିଲେ । ସଂଧ୍ୟା ହେବା ପରେ ଘରକୁ ନଫେରିଥିବାରୁ ବାପା-ମାଆ ପୁଅକୁ ଖୋଜିଥିଲେ କିନ୍ତୁ ପାଇନଥିଲେ । ପୁଅ ନିଖୋଜ ଥିବାରୁ ଥାନାରେ ଏନେଇ ମାମଲା ବି ରୁଜୁ କଲେ ।
୨୪ ତାରିଖରୁ ୩ ତାରିଖ ହେଲାଣି । କିନ୍ତୁ ଘରକୁ ଫେରିନାହାନ୍ତି ମନୋଜ । ତେଣୁ ପୁଅ କେମିତି ଘରକୁ ଫେରିବ ସେନେଇ ଏମିତି ତୁଳସୀ ମୂଳରେ ପୂଜାର୍ଚ୍ଚନା କରୁଛି ମାଆ । ସେପଟେ ଗାଁ ଲୋକ କହୁଛନ୍ତି, ମନୋଜ ବେଶ ଶାନ୍ତ ସ୍ୱଭାବର ଥିଲେ । ସମସ୍ତଙ୍କ ସହ ଭଲରେ ମିଶୁଥିଲେ । ବୋଧହୁଏ ତାଙ୍କୁ କିଏ ନେଇଯାଇଛି...ସେଇଥି ଲାଗି ସେ ଘରକୁ ଫେରିପାରୁନାହାନ୍ତି ।
ତେବେ ପୂରା ଘଟଣାରେ କିଶନନଗର ଆଇଆଇସି କହୁଛନ୍ତି, ପୋଲିସ ପକ୍ଷରୁ ମନୋଜଙ୍କୁ ଖୋଜା ଚାଲିଛି । ଏଯାଏଁ ସନ୍ଧାନ ମିଳିନି, ହେଲେ ପୁଅ ଘରକୁ ଫେରିନଥିବାରୁ ଏମିତି ପୂଜାର୍ଚ୍ଚନା କରୁଛି ମାଆ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)