• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଖପର ଘର, ମାଟି କାନ୍ଥ । ଅଧିକାଂଶ ଜାଗାରେ କାନ୍ଥ ଫାଟି ଆଁ କଲାଣି । ଠାଏଁ ଠାଏଁ ମାଟି ବି ଖସିଗଲାଣି । ହେଲେ ଏମିତି ଘରେ ନିଜ ଜୀବନକୁ ବାଜିରେ ଲଗାଇ ରହୁଛି ମଣିଷ । ଘର ବାହାର ଅବସ୍ଥାଠାରୁ ଭିତରର ଅବସ୍ଥା ଆହୁରି ଭୟାନକ୍‌ । ଅନ୍ଧାରୁଆ ଘର ଭିତରେ ଯେଉଁଠି ରୋଷେଇ ହେଉଛି ସେଇଠି ମଣିଷ ଶୋଇଛି । କେତେବେଳେ ଘର ଗଳିପଡ଼ିବ ତାହା କେହି ବି କହିପାରିବେ ନାହିଁ । କିନ୍ତୁ ଉପାୟ ବି କିଛି ନାହିଁ ।

ସୁନ୍ଦରଗଡ଼ ବଣାଇ ସହରରେ ଥିବା କଟାଖଣ୍ଡି କୁଲସାହି ଅଂଚଳର ମାସନ୍ତୀ ବାରିକ । ବାପା-ଅଜା କାଳରୁ ତିଆରି ହୋଇଥିବା ଘରେ ରହୁଛନ୍ତି । ଅତ୍ୟଧିକ ପୁରୁଣା ହେବାରୁ ଘରର ଅବସ୍ଥା ପୂରା ସଙ୍ଗୀନ ହେଲାଣି । ଖରାଶୀତରେ ଯାହା ଯେମିତି କଷ୍ଟେମଷ୍ଟେ ଏଇ ଘରେ ସିନା ରହିଯାଉଛନ୍ତି ହେଲେ ବର୍ଷା ୪ ମାସ ବଡ଼ କଷ୍ଟରେ କଟୁଛି ଦିନ ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ଭଙ୍ଗାଦଦରା ଘରେ ନିଜର ଦିବ୍ୟାଙ୍ଗ ଝିଅ ସହ ବୁଢାବୁଢୀ ବାପାମାଆଙ୍କୁ ନେଇ ରହୁଛନ୍ତି ମାସନ୍ତୀ । ସକାଳ ହେଲା ମାତ୍ରେ ମଜୁରୀ ଖଟିଲେ ଘରେ ଚୁଲିଜଳେ । ଆଉ ଏମିତି ସ୍ଥିତିରେ ଘର ଖଣ୍ଡିଏ ଲାଗି ପ୍ରଶାସନ ପାଖରେ ବାରମ୍ବାର ଦାବି କରିଛନ୍ତି ହେଲେ ଆଜିଯାଏଁ ତାଙ୍କ ଦାବି କେହି ଶୁଣିନାହାନ୍ତି । ବହୁଥର କହିବା ପରେ ଘର ଖଣ୍ଡିଏ ପାଇନଥିବାରୁ ଅଭିମାନରେ ମାସନ୍ତୀ କହନ୍ତି, ସମସ୍ତେ ଭୋଟ୍‌ ଦେଇଛନ୍ତି, ଆମେ ବି ଦେଇଛୁ । ହେଲେ ଆମକୁ କାହିଁକି ସାବତ ପୁଅ ପରି ବ୍ୟବହାର କରାଯାଉଛି ଆମେ ଜାଣୁନା । ଏବେ ତ ଖଣ୍ଡିଏ ଘର ଦେଉନ ଆଉ କଣ ମଲା ପରେ ଦେବ ବୋଲି ପ୍ରଶ୍ନ କରିଛନ୍ତି ମାସନ୍ତୀ । ତାଙ୍କ ଅସୁବିଧା ସମ୍ପର୍କରେ ଆମେ ସ୍ଥାନୀୟ ବିଡିଓଙ୍କୁ ଅବଗତ କରିଥିଲୁ । ପୂରା ଘଟଣା ଜାଣିବା ପରେ ବିଡିଓ କହିଛନ୍ତି, ଘଟଣାର ତଦନ୍ତ ହେବ । ମୂଳବାସିନ୍ଦା ହୋଇଥିଲେ ତୁରନ୍ତ ଘର ଦିଆଯିବ ।

ଗରିବ ଓ ଖଟିଖିଆଙ୍କ ଲାଗି ମାଳମାଳ ଯୋଜନା କରୁଛନ୍ତି ସରକାର । ଲୋକମାନେ କେମିତି ପକ୍କାଘରେ ରହିବେ ସେନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଏଇଠି ପ୍ରଶ୍ନ ଉଠୁଛି ଯୋଜନା କେବଳ କଣ ଥିଲା ବାଲାଙ୍କ ଲାଗି?

  • Reported by:
  • RANJIT CHOUDHURY