• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସ୍ତ୍ରୀ ଉଠାଇ ଦେଲେ ଉଠୁଛନ୍ତି, ଶୁଆଇ ଦେଲେ ଶୋଉଛନ୍ତି । ଖୁଆଇ ଦେଲେ ଖାଉଛନ୍ତି, ନହେଲେ ନାହିଁ । ଦୁଆରେ ପଡିଥିବା ଖଟିଆ ଉପରେ ଦିନ ରାତି ଶୋଇ ରହୁଛନ୍ତି ସ୍ୱାମୀ । ସାତ ଜନ୍ମର ସାଥୀ ହେବାକୁ ଶପଥ କରିଥିବାରୁ ସଂସାରର ସବୁ ଜଞ୍ଜାଳ ଭିତରେ ବି ସ୍ୱାମୀଙ୍କ ସେବାରେ ଟିକିଏ ଅବହେଳା କରିନାହାନ୍ତି ସ୍ତ୍ରୀ ।

ଖପର ଘର, ଉପରେ ପୁଣି ପାଲ ପଡିଛି । କିନ୍ତୁ ପାଲର ଅବସ୍ଥା ଏମିତି ଯେ ଖରା କି ବର୍ଷା କାହାକୁ ବି ରୋକିପାରୁନି । ଖାଲି ନାକୁ ମାତ୍ର ଘର ଉପରେ ପାଲ ପଡିଛି । ଘରର ଅବସ୍ଥା ଦେଖିଲେ ସ୍ପଷ୍ଟ ଜଣାଯିବ କି ଘର କେତେବେଳେ ଭୁଶୁଡିପଡିବ ତାହାର ଉତ୍ତର କେହି ବି ଦେଇପାରିବେ ନାହିଁ । କିନ୍ତୁ  ସେମିତି ଘରେ ରହିବା ଛଡା ତାଙ୍କ ପାଖରେ କିଛି ଉପାୟ ବି ନାହିଁ । ବିପଦ ଥିବା ପରେ ବି ସେଇ ଘରେ ପଡିରହିଛି ପୂରା ପରିବାର ।

ନୂଆପଡା ସିନାପାଲି ବ୍ଲକ୍‌ ନୂଆପଡା ଗାଁର ଜନେକ ରାମଙ୍କ ଦୁଃଖ କହିଲେ ନସରେ । ସ୍ତ୍ରୀ ଓ ୫ ପୁଅ ଝିଅକୁ ନେଇ ବେଶ୍‌ ହସଖୁସିରେ ଆଗକୁ ଗଡୁଥିଲା ସଂସାର ଗାଡି । ମୂଲମଜୁରୀ କରି ଯେତିକି ଯାହା ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ହେଲେ ଦୈବ ଜନେକଙ୍କ ଭାଗ୍ୟରେ ଦୁଃଖ ଭରିଦେଲା । କାମ କରୁ କରୁ ନଳକୂଅ ଚାନ୍ଦିନୀରେ ପଡିଯିବାରୁ ଆଉ ଚାଲିପାରିଲେନି ଜନେକ । ଭଲ କରିବା ଲାଗି ପରିବାର ଲୋକେ ତାଙ୍କୁ ମେଡିକାଲ ତ ନେଲେ ହେଲେ ଭଲ ହେଲେନି ।

ସ୍ଥିତି ଏମିତି ହେଲାଣି ଯେ ପାଦେ ଚାଲିବା ବି ତାଙ୍କ ପକ୍ଷରେ ସମ୍ଭବ ହେଉନି । ଘରର ରୋଜଗାରିଆ ବ୍ୟକ୍ତି ରୋଗରେ ପଡିବା ପରେ ଏବେ ପରିବାର ଚଳିବା ବଡ଼ କଷ୍ଟକର ହୋଇ ପଡିଛି । ବଡ ପୁଅ ବିଷ୍ଣୁ କେବେକେବେ କାମକୁ ଯାଆନ୍ତି, କିଛି ଟଙ୍କା ରୋଜଗାର କରନ୍ତି । ହେଲେ ତାହା ସମୁଦ୍ରକୁ ଶଙ୍ଖେ । ଇଚ୍ଛା ଥିଲେ ବି ସବୁଦିନ କାମ ମିଳୁନଥିବା ସେ କୁହନ୍ତି ।

ଏତେ କଷ୍ଟରେ ରହିଥିବା ଜନେକଙ୍କ ପରିବାରକୁ କିନ୍ତୁ ସରକାରୀ ସହାୟତା କିଛି ମିଳୁନି । କେବଳ ୨୫ କିଲୋ ଚାଉଳ ଦେଇ ହାତବାନ୍ଧି ବସିଛି ପ୍ରଶାସନ । ଘର ଖଣ୍ଡିଏ ଲାଗି ବାରମ୍ବାର ଗୁହାରି କରିବା ପରେ ବି କିଛି ମିଳୁନି । ବିଜୁ କାର୍ଡ ମିଳିଛି, ହେଲେ ତାକୁ କେମିତି ବ୍ୟବାହର କରାଯିବ ସେନେଇ ସେ କିଛି ଜାଣିନାହାନ୍ତି । ତେଣୁ କାର୍ଡ ଥିବା ପରେ ଲାଭ ମିଳୁନି । ସେପଟେ ଜନେକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ରର ଇନଚାର୍ଜ ଡାକ୍ତର ଅବଗତ ହେବା ପରେ ତାଙ୍କ ଘରକୁ ଟିମ୍‌ ପଠାଇ ବୁଝିବେ ବୋଲି କହିଛନ୍ତି । ସେପଟେ ବିଡିଓ ବି ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

( ଖଡିଆଳରୁ କୁନାଲ ବେହେରାଙ୍କ ରିପୋର୍ଟ )