Advertisment

ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ: ମନ୍ଦିରକୁ ଦାନ କଲେ ଜୀବନଯାକର ସଞ୍ଚିତ ଧନ

ଜୀବନବ୍ୟାପି ଭିକ୍ଷା ମାଗି ବ୍ୟାଙ୍କରେ ରଖିଥିବା ଟଙ୍କାଙ୍କୁ ସେ ପ୍ରଭୁ ଜଗନ୍ନାଥଙ୍କୁ ଦାନ କରିଛନ୍ତି।

ଅଦ୍ୟତନ ହୋଇଛି
undefined

woman beggar donates all her life savings to lord jagannath

Advertisment

କାଳିଆର ଭାବକୁ ଯିଏ ବୁଝିଛି, ସିଏ ଜାଣିଛି। ଦୀର୍ଘ ବର୍ଷ ଧରି ଭିକ୍ଷା ମାଗି ଯାହା ସଞ୍ଚିଥିଲେ, ଆଜି ସମସ୍ତ ସଞ୍ଜିତ ପୁଞ୍ଜିକୁ ଜଗନ୍ନାଥଙ୍କ ପାଖରେ ସମର୍ପି ଦେଇଛନ୍ତି ତୁଳା ବେହେରା ନାମ୍ନୀ ଜଣେ ବୃଦ୍ଧା ଭିକ୍ଷୁକ। ବୟସ ଏବେ ୬୦ରୁ ଉର୍ଦ୍ଧ୍ୱ ହେବ ଏବଂ ସେ ପ୍ରାୟ ୪୦ ବର୍ଷ ଧରି ଫୁଲବାଣୀ ସହରର ବିଭିନ୍ନ ଅଞ୍ଚଳରେ ଏବଂ ବିଭିନ୍ନ ମନ୍ଦିର ସମେତ ଜଗନ୍ନାଥ ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରି ଚଳୁଛନ୍ତି। ଅନେକ ବର୍ଷ ତଳୁ ତାଙ୍କ ସ୍ଵାମୀଙ୍କ ପରଲୋକ ହୋଇଯାଇଛି। ତାପରେ ସେ ସମ୍ପୂର୍ଣ୍ଣ ଏକାକୀ ହୋଇଯାଇଛନ୍ତି। ସଂସାରରେ ନିଜର ବୋଲି ଆଉ ତାଙ୍କର କେହି ନାହିଁ। ମନ୍ଦିର ସାମନାରେ ହିଁ ଗୋଟିଏ କୁଡିଆ ଘରେ ସେ ରହୁଛନ୍ତି। ହେଲେ ଆଜି ସେ ଯେଉଁ ଉଦାହରଣ ରଖିଛନ୍ତି, କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଚକିତ କରିଦେବ। ଜଗନ୍ନାଥ ମନ୍ଦିରକୁ ନିଜ ଜୀବନ ସାରାର ସଂଚିତ ପୁଞ୍ଜି ଏକ ଲକ୍ଷ ଏକ ଟଙ୍କା ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଦାନ କରିଛନ୍ତି।

Advertisment

କମିଟି ତରଫରୁ ସଭାପତି ସୁନାଶୀର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଏବଂ ଅନ୍ୟ ସଦସ୍ୟ ମାନେ ଏହି ଦାନ ଅର୍ଥକୁ ଗ୍ରହଣ କରିବା ସହ ତୁଳାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଜଗନ୍ନାଥ ମନ୍ଦିର ପରିସରରେ ଥିବା ପୁରୁଣା ମନ୍ଦିର, ଯାହାକି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି,ଏହି ଅର୍ଥରେ ତାର ପୁନରୁଦ୍ଧାର କରି ସେଠାରେ ସାଧୁ ସନ୍ଥ ମାନଙ୍କୁ ଆଶ୍ରୟ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ତୁଳା। ତୁଳାଙ୍କ ଏହି ମହତ କାର୍ଯ୍ୟର ସ୍ୱୀକୃତିସ୍ଵରୂପ ତାଙ୍କୁ ମନ୍ଦିର କମିଟିର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ଏଥିସହ ମନ୍ଦିର କମିଟି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଦାୟିତ୍ୱ ବହନ କରିବ ବୋଲି ସୂଚନା ଦେଇଛନ୍ତି କମିଟିର ସଦସ୍ୟ ରଜତ କୁମାର ମହାନ୍ତି।

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ବଡ଼ ଧନୀ ! ସବୁ ଦାନ କରିସାରିଲେଣି, ଏବେ ପାଖରେ କିଛି ନାହିଁ

Advertisment

ଆଜିର ସ୍ଵାର୍ଥବାଦୀ ଦୁନିଆରେ ତୁଳା ବେହେରାଙ୍କ ଏଭଳି ମହତ କାର୍ଯ୍ୟ ଏଠାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ଦାନ ଧର୍ମ କରିବା ପାଇଁ ପ୍ରେରଣା ଯୋଗାଇବ। ତେବେ ମିଳିଥିବା ସୂଚନା ଅନୁସାରେ ତୁଳାଙ୍କ ପ୍ରକୃତ ଘର ହେଲା କଟକ ଜିଲ୍ଲା ଚାଉଳିଆଗଞ୍ଜ ଅଞ୍ଚଳରେ, କଟକରେ ସେ ରହଣି ସମୟରେ କନ୍ଧମାଳ ଜିଲ୍ଲା ଦୁବଗଡ଼ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତାପରେ ଦୁହେଁ ପ୍ରେମ ବିବାହ କରି କଟକ ଛାଡ଼ି ଦୁବଗଡ ଗ୍ରାମରେ ଆସି କିଛି ଦିନ ରହିଥିଲେ ଏବଂ ଆକସ୍ମିକ ଭାବେ ପ୍ରଫୁଲ୍ଲଙ୍କର ମୃତ୍ୟୁ ହୋଇଥିଲା। ତାପର ଠାରୁ ତୁଳା ଫୁଲବାଣୀ ସହରରେ ଆସି ଚଳୁଛନ୍ତି,ପ୍ରଥମେ ପ୍ରଥମେ ସେ କୁଲି ଏବଂ କିଛି ଘରେ ଚାକରାଣୀ ଭାବେ କାମ କରି ପେଟ ପୋଷୁଥିଲେ।

ତେବେ ବଳ ବୟସ ସେଥିରେ ତାଙ୍କୁ ବାଧା ଦେବାରୁ ଭିକ୍ଷା ବୃତ୍ତିକୁ ଆପଣେଇନେଇଥିଲେ, ସେ ଭିକ୍ଷାରେ ଯାହା ରୋଜଗାର କରନ୍ତି। ସେଥିରୁ ନିଜ ଖର୍ଚ୍ଚ ପାଇଁ କିଛି ରଖି ସବୁ ବଳକା ଟଙ୍କାକୁ ଦୀର୍ଘ ବର୍ଷ ହେଲାଣି ଫୁଲବାଣୀର ଏକ ଡାକ ଘରେ ଜମା ଖାତାରେ ବାନ୍ଧୁଥିଲେ। ଡାକ ଘରେ ଟଙ୍କା ବାନ୍ଧିବାରେ ତାଙ୍କୁ ଫୁଲବାଣୀ ଜଗନ୍ନାଥ ମନ୍ଦିରର ପୂଜକ ଶଙ୍କର ପାଢୀ ସହଯୋଗ କରୁଥିଲେ। ଏହି ଜମା ଟଙ୍କା ୧ ଲକ୍ଷରୁ ଊର୍ଦ୍ଧ୍ୱ ହେବା ପରେ ତୁଳା ଏହି ଜମା ଟଙ୍କାଙ୍କୁ ଜଗନ୍ନାଥ ମନ୍ଦିରକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

Advertisment
Jagannath Temple Lord Jagannath Woman Beggar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ