ବୟସ ବଢିଗଲେ ମଣିଷ କେତେ ଅସହାୟ ହୋଇପଡ଼େ? ଆଉ ଯଦି ପିଲାମାନେ ନପଚାରନ୍ତି ତେବେ ଦୁଃଖ କେମିତି ଦ୍ୱିଗୁଣିତ ହୋଇଯାଏ, ଗଂଜାମ ଜିଲ୍ଲାରୁ ଆସିଥିବା ଚିତ୍ର ହିଁ ତାହାର ବଡ଼ ଉଦାହରଣ । ଘର ଦୁଆର ମୁହଁରେ ଶୋଇରହିଛି ମାଆ । ପଚାରିଲେ କଣ କହୁଛି ଠିକ୍ରେ ବି ଶୁଣାଯାଉନି । ପାଟି ଖନି ମାରିଯାଉଥିବାରୁ କଥା ସ୍ପଷ୍ଟ ହେଉନି । ଦୟନୀୟ ଅବସ୍ଥାରେ ୮ ଦିନ ହେଲାଣି ପଡିଛି ବୁଢୀ ମାଆ । ଦୁଇ ପୁଅଙ୍କ କଳିରେ ଏବେ ବଳି ପଡିଯାଇଛି ମାଆ । ପକ୍ଷାଘାତ ରୋଗରେ ପଡିବା ପରେ ଆଜି ତା’ର ଏମିତି ଦୟନୀୟ ଅବସ୍ଥା ।
ଆଜି କି କାଲି ନୁହେଁ ବରଂ ୮ ଦିନ ହେଲାଣି ଘରେ ପଡିରହିଛି ବୁଢୀ ମାଆ । ଖାଇବାକୁ ଦେବାକୁ କେହି ନାହାନ୍ତି କି ପିଇବାକୁ ଦେବାକୁ କେହି ନାହାନ୍ତି । ବଡ କଷ୍ଟରେ, ଦୁର୍ଦ୍ଦିନରେ ପଡିଛି ବୁଢୀ ମାଆ । ସ୍ଥିତି ଏମିତି ହେଲାଣି ଯେ ଘରଭିତରେ ଝାଡା ପରିସ୍ରା କରିଦେଇଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ଏରିଆ । ଦୁର୍ଗନ୍ଧ ହେଉଥିବାରୁ ପଡୋଶୀମାନେ ବି ବିରକ୍ତ ହେଲେଣି । କିନ୍ତୁ କରିବାର କାହା ପାଖରେ କିଛି ଉପାୟ ନାହିଁ ।
ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ପଟାଧାର ଗାଁରୁ ଆସିଛି ଏମିତି ହୃଦୟ ବିଦାରକ ଚିତ୍ର । ଏହି ବୃଦ୍ଧା ଜଣକ ହେଉଛନ୍ତି ପଦ୍ମାବତୀ ନାୟକ । ପାରାଲିସିସ୍ ରୋଗରେ ପୀଡିତ ହୋଇ ଅଚଳ ହୋଇପଡିଛନ୍ତି ପଦ୍ମାବତୀ । ୨ ବର୍ଷ ହେଲାଣି ସ୍ୱାମୀ ତାଙ୍କୁ ଛାଡିଚାଲିଯିବା ପରେ ପଦ୍ମାବତୀଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ମାଆର ଏ ଅବସ୍ଥା ସମ୍ପର୍କରେ ସାନ ପୁଅ-ବୋହୂ ଜାଣିବା ପରେ ଗାଁକୁ ଆସି ୨ ମାସ ସେବା କଲେ, ହେଲେ ଭୁବନେଶ୍ୱରରେ ଥାଇ ବି ବଡ-ପୁଅ ବୋହୂ ଆସିଲେ ନାହିଁ । ତେଣୁ ସାନ ପୁଅ-ବୋହୂ ବି ପଳାଇଲେ । ଏବେ ଏଇ ବୁଢୀ ମାଆ ପାଖରେ କେହି ନାହାନ୍ତି । ଜାଣିଆଶ୍ଚର୍ଯ୍ୟ ହେବେ କି ପଦ୍ମାବତୀଙ୍କ ଏମିତି ଅବସ୍ଥା କଥା ଜାଣିବା ପରେ ଭାଈ-ଭାଉଜ ଆସି ସେବା କରୁଥିଲେ ହେଲେ ଭାଉଜଙ୍କ ଦେହ ହଠାତ୍ ଖରାପ ହେବାରୁ ସେ ବି ଆଉ ଆସିପାରିଲେ ନାହିଁ । ଏବେ ସତେ ଯେମିତି ମୃତ୍ୟୁକୁ ଅପେକ୍ଷା କରି ବସିଛନ୍ତି ପଦ୍ମାବତୀ ।
Also Read
ସେପଟେ ପଦ୍ମାବତୀଙ୍କ ଦୁଃଖ ଦେଖିପାରୁନାହାନ୍ତି ପଡୋଶୀ । ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରିବା ସହିତ ତାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ଏନେଇ ପୁଅ-ବୋହୂଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
- Reported by:
- Rajesh Kumar Panda