• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜଣେ ବିଧବା ମହିଳା ବଞ୍ଚିବା ପାଇଁ ସାହାଯ୍ୟ ମାଗୁଛନ୍ତି, ଗଣ୍ଡେ ଚାଉଳ ଦେବାକୁ କାକୁତିମୀନତି ବି ହେଉଛନ୍ତି । ଆଉ ନିଜର ଦୁଃଖ କହିବା ବେଳେ ଆଖିରୁ ଝରାଉଛନ୍ତି ଲୁହ । ସ୍ୱାମୀ ଯିବା ପରେ ଜୀବନ ତାଙ୍କ ପାଇଁ ଦୁର୍ବିପାକ ସଦୃଶ ହେଲାଣି । ଗଜପତି ଜିଲ୍ଲା ମୋହନା ବ୍ଲକ୍ ପାଦ୍ରୀମା ଗାଁର ଶ୍ୟାମ ବେହେରାଙ୍କ ପରିବାର । ଶ୍ୟାମଙ୍କର ମୃତ୍ୟୁ ପରେ ପିଲାଙ୍କ ମୁହଁରେ ଦାନା ଦେବାକୁ ସଙ୍ଘର୍ଷ କରୁଛନ୍ତି ପତ୍ନୀ ଆଲମି ବେହେରା । ୩ଟି ପୁଅ ଓ ଗୋଟିଏ ଝିଅକୁ ଧରି ଝାଟି ମାଟିର କୁଡିଆରେ ପଲଥିନ ଟାଣି ମୁଣ୍ଡ ଗୁଞ୍ଜିଛନ୍ତି । ଯେଉଁଠି ଖାଉଛନ୍ତି ସେଇଠି ଶୋଉଛନ୍ତି । ସ୍ଥିତି ଏମିତି ହେଲାଣି ଯେ ଘର ଉପରୁ ମଥାନ କେବେ ଅଲଗା ହୋଇଯିବ ତାହା କେହି ବି କହିପାରିବେ ନାହିଁ ।

ସ୍ୱାମୀ ଥିଲା ବେଳେ ଯାହା ଯେମିତି ଦୁଃଖ କଷ୍ଟରେ ସଂସାର ରଥ ଆଗକୁ ବଢୁଥିଲା, ହେଲେ ସେ ଚାଲିଯିବା ପରେ ସବୁ କିଛି ଓଲଟପାଲଟ ହୋଇଗଲା । ଏମାନେ ଏତେ କଷ୍ଟରେ ଚଳୁଥିବା ପରେ ବି ସରକାରୀ ରାସନକାର୍ଡ ଖଣ୍ଡେ ୟାଙ୍କ ପାଇଁ ସାତ ସପନ ସଦୃଶ ହୋଇଛି । ତେଣୁ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ କୁଲିମଜୁରୀ କାମ କରୁଛନ୍ତି ଆଲମି । ବେଳେବେଳେ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ନିଜ ପେଟରେ ଓଦା କନା ଦେଇ ଶୋଇବାକୁ ପଡୁଛି ତାଙ୍କୁ ।

ଜାଣି ଆଶ୍ଚର୍ଯ୍ୟ ହେବେ କି ଗତ ଲକଡାଉନ୍‌ ପରଠୁ ଦୁଇ ପୁଅଙ୍କ ପାଠରେ ଡୋରି ବନ୍ଧା ହୋଇଥିବା ବେଳେ ସାନ ପୁଅର ଏଯାଏଁ ସ୍କୁଲରେ ନାଁ ଲେଖା ହୋଇନି । ଆଉ ସାନ ଝିଅ ମାଆ କୋଳ ଛାଡିନି । ଏତେ ସବୁ ପରେ ବି ତାଙ୍କୁ ମିଳିପାରିନି ଖଣ୍ଡେ ବିଧବ ଭତ୍ତା । ଗୋଟିଏ ପଟେ ସରକାର କହୁଛନ୍ତି, ପ୍ରତି ହିତାଧିକାରୀଙ୍କ ପାଖରେ ମୋ ସରକାର ପହଞ୍ଚୁଛି, ସମସ୍ତଙ୍କୁ ସାହାଯ୍ୟର ହାତ ବଢାଉଛି । ହେଲେ ପ୍ରକୃତ ହିତାଧିକାରୀ କେମିତି ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସେପଟେ ଆଲମିଙ୍କ ଅବସ୍ଥା ଦେଖି ୫୦ କିଲୋ ଚାଉଳ , ଖଣ୍ଡେ ପଲିଥିନ୍‌ ଦେଇ ଆସିଛନ୍ତି ସରପଞ୍ଚ । ଆଗାମୀ ଦିନରେ କେମିତି ତାଙ୍କୁ ଭତ୍ତା ଓ ସରକାରୀ ଯୋଜନା ମିଳିବ ସେନେଇ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

 

  • Reported by:
  • Mihir Jati