• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାଟି କାନ୍ଥ...ଅଧାରୁ ଅଧିକ ସ୍ଥାନ ଫାଟି ଆଁ କଲାଣି । ଘରର ଅବସ୍ଥା ଦେଖିଲେ ଭିତରକୁ ଯିବାକୁ ଡର ଲାଗିବ । କିନ୍ତୁ ଏମିତି ଭଙ୍ଗା ଘରେ ନିଜର ୬ ପିଲାଙ୍କୁ ନେଇ ରହୁଛି ଜଣେ ମାଆ । ସ୍ୱାମୀ ଥିବାବେଳେ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ହେଲେ ସ୍ୱାମୀଙ୍କ ଅବର୍ତ୍ତମାନରେ ଏବେ ଏକାଏକା ସଂସାର ଚଳାଇବା କେତେ ଯେ କଷ୍ଟ ତାହା କେବଳ ସେ ହିଁ ଜାଣନ୍ତି ।

ଗଜପତି ନୂଆଗଡ ବ୍ଲକ୍ ଅନୁଗୁର ଗାଁର ସଞ୍ଜୟ ବୀର । ପତ୍ନୀ ସବିତା...୪ ଝିଅ ଓ ୨ ପୁଅଙ୍କୁ ନେଇ ବେଶ ହସଖୁସିରେ ଚାଲୁଥିଲା ସଂସାର ରଥ । ସଂଜୟ ଯେତିକି ଟଙ୍କା ରୋଜଗାର କରୁଥିଲେ ସେତିକିରେ ସମସ୍ତଙ୍କ ମୁହଁରେ ଆହାର ଦେଉଥିଲେ । କିନ୍ତୁ ତାଙ୍କର ଦେହାନ୍ତ ହେବା ପରେ ଏବେ ପରିବାର ଉପରେ ଦୁଃଖର କଳାବାଦଲ ମାଡି ଆସିଛି । ୬ ପିଲାଙ୍କ ମୁହଁରେ ଆହାର କେମିତି ଦେବେ ସେଇ ଚିନ୍ତାରେ ସକାଳୁ ସଂଜ ଯାଏଁ କଟୁଛି ଦିନ ।

ସ୍ଥିତି ଏମିତି ହେଲାଣି ଏଇ ପିଲାଙ୍କ ମୁହଁରେ ଆହାର ଦେବାକୁ କୁଲିକାମ କରିବାକୁ ଏବେ ବାଧ୍ୟ ହେଉଛନ୍ତି ସବିତା । ମୁଣ୍ଡରେ କାଠ ମୁଣ୍ଡାଇ ଦୁଆର ଦୁଆର ବୁଲି କରୁଛନ୍ତି ବିକ୍ରି । ଆଉ ଏଥିରୁ ଯାହା ଯେତିକି ରୋଜଗାର ହୁଏ ସେତିକିରେ ପରିବାର ଚଳୁଛି । ଯୋଉଦିନ ରୋଜଗାର ହେଲା ସେଦିନ ପିଲାଙ୍କ ପେଟରେ ଦାନା ପଡିଲା ଆଉ ଯେଉଁଦିନ ରୋଜଗାର ନହେଲା ସେଦିନି ଭୋକ ଉପାସରେ ଦିନ କଟିଲା ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ଏତେ ଅଭାବ ପରେ ବି ସବିତାଙ୍କୁ ମିଳୁନି କୌଣସି ସରକାରୀ ସହାୟତା । ଖାଲି ମାସକୁ ମିଳୁଛି ଯାହା ୫ କିଲୋ ଚାଉଳ । ସ୍ୱାମୀ ଯିବା ପରେ ବି ଭତ୍ତା ପାଇଁ ବାରମ୍ବାର ଗୁହାରି କରିବା ପରେ ବି ତାଙ୍କୁ ଏଯାଏଁ ମିଳିନି ଭତ୍ତା । ଦୁଃଖ ଏତିକିରେ ସରିନି ବରଂ ଏଇ ୬ ପିଲାଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ମଧ୍ୟ । କିନ୍ତୁ ତାଙ୍କୁ ବି ମିଳିନି ସରକାରୀ ସହାୟତା । ସେପଟେ ସବିତାଙ୍କ ଦୁଃଖ ଦେଖିବା ପରେ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଅଙ୍ଗନବାଡ଼ି କର୍ମୀ କହିଛନ୍ତି, ସବିତାଙ୍କ ପିଲାଙ୍କ ଅସହାୟ ସମ୍ପର୍କରେ ସୁପର ଭାଇଜରଙ୍କୁ ଜଣାଇଛନ୍ତି ।

ଅନ୍ୟପଟେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହୁଛନ୍ତି, ଖୁବଶୀଘ୍ର ଶିଶୁମାନଙ୍କୁ ଉଦ୍ଧାର କରି ପାଠପଢା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦିଆଯିବ । ଦର୍ଶକବନ୍ଧୁ ଗରିବ ଓ ଅସହାୟଙ୍କ ଲାଗି ମାଳମାଳ ଯୋଜନା କରୁଛନ୍ତି ରାଜ୍ୟ ସରକାର । ହେଲେ ଏଯାଏଁ ସବିତାଙ୍କ ପାଖରେ ପହଞ୍ଚୁନି ସରକାରୀ ସହାୟତା ।

 

  • Reported by:
  • Mihir Jati