• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଝାଟିମାଟିର ଘର...କାନ୍ଥରୁ ମାଟି ଝରିପଡୁଛି । ପାଲଟଣା ବଡ଼ କଷ୍ଟରେ ଘରେ ରହୁଛନ୍ତି ଗୋଟିଏ ପରିବାର । ଘରର ଅବସ୍ଥା ଦେଖିବା ପରେ ସ୍ପଷ୍ଟ ଜାଣିପାରିବେ କି କେମିତି ଚଳୁଥିବେ ସେମାନେ? ହେଲେ ଉପାୟ କିଛି ନାହିଁ । ଘର ଖଣ୍ଡିଏ ପାଇଁ ଗୁହାରି କରିକରି ଥକିଗଲେ ସତ କିନ୍ତୁ ଘର ଖଣ୍ଡିଏ ପାଇଲେ ନାହିଁ । ସ୍ୱାମୀ ବଂଚିଥିବା ବେଳେ ଯାହା ଯେମିତି ଚଳିଯାଉଥିଲେ ହେଲେ ଚଳିବା ୟାଙ୍କ ଲାଗି ବଡ଼ କଷ୍ଟ ହେଲାଣି ।

କେନ୍ଦୁଝର ଘଷିପୁରା ବ୍ଲକ ଅମରକୋଲା ଗାଁର ସୁଜାତା ଦେହୁରୀ । କରୋନା କାଳରେ ସ୍ୱାମୀ ଛାଡି ଚାଲିଗଲେ । ବାସ୍‌ ଏହାପରେ ସୁଜାତାଙ୍କ ଜୀବନରେ ଭରି ହୋଇଯାଇଛି ଦୁଃଖର କଳାବାଦଲ । ସ୍ୱାମୀ ଥିବା ବେଳେ ଯେତିକି ଯାହା ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ହେଲେ ଏବେ ସ୍ଥିତି ପୂରା ସଙ୍ଗୀନ ହେଲାଣି । କୋଳରେ ତିନିତିନୋଟି ଛୁଆଙ୍କ ମୁହଁରେ ସେ କେମିତି ଆହାର ଦେବେ ସେହି ଚିନ୍ତାରେ କାଟୁଛନ୍ତି ଦିନ ।

ରୋଜଗାର କିଛି ନଥିବାରୁ ସରକାରୀ ଭତ୍ତା ଓ ଗଣ୍ଡିଏ ଚାଉଳ ଉପରେ ସେ ନିର୍ଭରଶୀଳ । ହେଲେ ସେତିକିରେ ୪ ପ୍ରାଣୀ କୁଟୁମ୍ବ କେମିତି ଚଳିବ ସେଇ ଚିନ୍ତାରେ ଦିନ କାଟୁଛନ୍ତି ସୁଜାତା । ସ୍ଥିତି ଏମିତି ହେଲାଣି ଯେ ଓଳିଏ ଖାଇଲେ ଓଳିଏ ଉପବାସରେ ରହୁଛନ୍ତି ସୁଜାତା । ଏତେ ଦୁଃଖରେ ରହୁଥିବା ପରେ ବି ତାଙ୍କୁ ମିଳୁନି ସରକାରୀ ସହାୟତା । ପ୍ରତିମାସ ଭତ୍ତା ମିଳିବାର ନିୟମ ଥିବା ବେଳେ ସୁଜାତାଙ୍କୁ ୩ ମାସ ହେଲାଣି ମିଳୁନି ଭତ୍ତା । ଆଉ ଏମିତି ସ୍ଥିତିରେ ସୁଜାତା ଛେଳି ଚରାଇ ଯାହା ଯେତିକି ରୋଜଗାର କରୁଛନ୍ତି ସେତିକିରେ ଚଳୁଛି ପୂରା ପରିବାର ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ସରକାରୀ ଯୋଜନାରେ ଖଣ୍ଡେ ଘର ପାଇବାକୁ ବ୍ଲକ୍‌ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ଗୁହାରି କରିଛନ୍ତି । ହେଲେ ତାଙ୍କ ଦୁଃଖ ଶୁଣିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ । ସେପଟେ ଗାଁ ମୁଣ୍ଡରେ କିନ୍ତୁ ବଡ଼ ଫଳକ ମରାଯାଇ ଲେଖାଯାଇଛି ଇନ୍ଦିରା ଆବାସ ତିଆରି ହେଉଛି ବୋଲି । ସତେ ଯେମିତି ସୁଜାତାଙ୍କୁ ତାହା ଉପହାସ କରୁଛି । ଗରିବ ଓ ଖଟିଖିଆଙ୍କ ଲାଗି ମାଳମାଳ ଯୋଜନା କରୁଛନ୍ତି ସରକାର । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚୁନଥିବା ଏଠାରେ ସ୍ପଷ୍ଟ ଅନୁମେୟ ।

(ଆନନ୍ଦପୁରରୁ ମୁନ୍ନା ସିଂଙ୍କ ରିପୋର୍ଟ)