/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678380609.jpg)
electrical shop
ଇଲେକ୍ଟ୍ରିକାଲ ଦୋକାନ କରିଛନ୍ତି, ଯିଏ ଯେତେବେଳେ ଯାହା ମାଗିଲା ତାକୁ ଥାକରୁ ବାହାର କରି ଦେଉଛନ୍ତି । ତାଙ୍କୁ ଦେଖିଲେ ବୟସ କହିବାର ଆବଶ୍ୟକତା ହିଁ ନାହିଁ । ହେଲେ ବି ଦର୍ଶକବନ୍ଦୁ ଆମେ କହିରଖୁଛୁ ତାଙ୍କୁ ୮୦ ଟପିଲାଣି । କିନ୍ତୁ ସେ କେବେବି ଥକିନାହାନ୍ତି । ବରଂ ଦିନରାତି ଦୋକାନରେ ବସି ବେପାର କରୁଛନ୍ତି । ଯେତିକି ରୋଜଗାର ହେଲା ସେତିକିରେ ବେଶ୍ ଖୁସିରେ ପରିବାର ଚଳାଉଛନ୍ତି ।
ଜୟପୁରର ଇନ୍ଦୁମତି ନାୟକ । ସହରରେ ତାଙ୍କୁ ପ୍ରାୟ ସମସ୍ତେ ଜାଣନ୍ତି । କାରଣ ଆଜିକି କାଲିର ନୁହେଁ ବରଂ ୪୫ ବର୍ଷ ଧରି ସହର ଭିତରେ ଦୋକାନ କରିଛନ୍ତି । ଯେଉଁ ବୟସରେ ସେ ଘରେ ବସି ଥକା ମାରିବାର କଥା ସେ ବୟସରେ ସେ କିନ୍ତୁ ଖଟୁଛନ୍ତି । ପରିଣତ ସମୟରେ ବି ଥକି ଯାଇନି ହାତ-ଗୋଡ଼ କି ଅବସ ହୋଇନି ଶରୀର। ଆଜି ବି ସେ କର୍ମଠ ଓ ଚଳଚଞ୍ଚଳ । ୧୯୭୮ରୁ ଆଜି ପର୍ଯ୍ୟନ୍ତ, ଦୀର୍ଘ ୪୫ ବର୍ଷ ଧରି ଜୟପୁର ମହାତ୍ମାଗାନ୍ଧୀ ରୋଡ୍ରେ ଏକ ଇଲେକ୍ଟ୍ରିକାଲ ଦୋକାନ ଚଳାଇ ଆସୁଛନ୍ତି ଇନ୍ଦୁମତି ।
ବାହାଘରର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ସିନା ଚାଲିଗଲେ ହେଲେ ସେ ଦୁଃଖକୁ ଛାତିରେ ଜାବୁଡ଼ି ଧରି ଦୋକାନ ଚଲେଇବାକୁ ଲାଗିଲେ । ଆଜିକୁ ପ୍ରାୟ ୫ ଦଶନ୍ଧି ଧରି ସଫଳତାର ସହ ସେ ବ୍ୟବସାୟକୁ ବଞ୍ଚାଇ ବଢାଇ ନିଜେ ସ୍ବାବଲମ୍ବୀ ହେବା ସହ ଦୁଇ ପିଲାଙ୍କୁ ମଣିଷ କରିପାରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏ ବ୍ୟବସାୟ ପାଇଁ ଇନ୍ଦୁମତି କେବେ ବି କାହାରି ସାହାଯ୍ୟ କି ସହଯୋଗ ନେଇ ନାହାନ୍ତି। ଆଜି ବି ଏକା ଏକା ଦୋକାନ ସମ୍ଭାଳିବା ସହ ନିଜର ଯାବତୀୟ କାର୍ଯ୍ୟ ନିଜେ ତୁଲାଇଥାନ୍ତି ଇନ୍ଦୁମତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରିଣତ ବୟସରେ ପରିସ୍ଥିତିରେ ପଡି ସେ ସିନା ଦୋକାନ କରିଛନ୍ତି, ହେଲେ ଧର୍ମୀୟ ଭାବନାକୁ ବି ସେ ସାଥୀରେ ନେଇ ଆଗକୁ ଚାଲୁଛୁନ୍ତି । ଦୋକାନରେ ବେପାର କରିବା ସମୟରେ ବି ସମୟ ପାଇଲେ ଏମିତି ଗୀତା ଓ ଭାଗବତ ପଢିବାକୁ ସେ ମୋଟରୁ ଭୁଲନ୍ତି ନାହିଁ । ବଡ଼ କଥା ହେଲା...ମାଆଙ୍କୁ ଏତେ ବୟସ ପରେ ବି ଘରେ ରହିବାକୁ ପିଲାମାନେ କେବେ ବାଧ୍ୟ କରିନାହାନ୍ତି ବରଂ ମାଆଙ୍କ ଇଚ୍ଛାଶକ୍ତି ଓ ଅଭିଳାଷକୁ ସମ୍ମାନ ଜଣାଇଛନ୍ତି ।
ଅନେକ ସମୟରେ ଆମେ ଦେଖିଛନ୍ତି, ପରିଣତ ବୟସ ହୋଇଗଲେ ଘର, ପରିବାର, ପୁଅ-ବୋହୂ ପର କରିଦିଅନ୍ତି । ହେଲେ ଇନ୍ଦୁମତି ପରିଣତ ବୟସରେ ଥକି ପଡିନାହାନ୍ତି ବରଂ ନିଜେ ରୋଜଗାର କରି ପରିବାର ଚଳାଉଛନ୍ତି । ସତରେ ଏମିତି ମହାନ୍ ବୟସ୍କ ମହିଳାଙ୍କୁ ଶତଶତ ପ୍ରଣିପାତ ।
(ଜୟପୁରରୁ ଟି. ଗୌରୀଶଙ୍କରଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)