• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପିଲାଟି ଦିନରୁ ଦୁଇଜଣ ଭାରି ସାଙ୍ଗ । ଏକାଠି ଖାଆନ୍ତି, ଏକାଠି ପଢନ୍ତି...ଏକାଠି ବି ସ୍କୁଲ ଯାଆନ୍ତି । କେହି କାହାକୁ ଛାଡି ଦଣ୍ଡେ ରହିପାରନ୍ତି ନାହିଁ । ହେଲେ ଦୁଃଖର କଥା ସେ ଦୁଇ ସାଙ୍ଗଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ । ସିଏ ଚାଲିପାରନ୍ତିନି କି କୁଆଡେ ଯାଇପାରନ୍ତିନି । ଆଉ ଏମିତି ସ୍ଥିତିରେ ଜଣେ ସାଜିଛି ଅନ୍ୟ ଜଣଙ୍କର ସାହାରା । କୁନି ବୟସ ସିନା ହେଲେ କାମ ଏମିତି କରୁଛି ଯେ ଦେଖିବା ଲୋକ ବି ତାଜୁବ ହୋଇଯାଉଛି ।

ସୁନ୍ଦରଗଡ କୋଇଡାର ଜେସିକା ଓ ମାଂଗରୀ । ପିଲାଟି ଦିନରୁ ସେମାନେ ଭାରି ସାଙ୍ଗ । କିନ୍ତୁ ଦୁଃଖର କଥା ଜେସିକା ଜଣେ ଦିବ୍ୟାଙ୍ଗ । ଚାଲିବୁଲି ପାରିବା ତା’ ପକ୍ଷରେ ସମ୍ଭବ ନୁହେଁ । ହେଲେ ସାଙ୍ଗର ପ୍ରତି ମୁହୂର୍ତ୍ତରେ ସାଥ୍‌ ଦେଉଛି ସାଙ୍ଗ । କାନ୍ଧରେ ବସାଇ ସ୍କୁଲ ନେଉଛି ତ ଆଉ କେତେବେଳେ ଟ୍ରାଏସାଇକେଲରରେ ବସାଇ ବୁଲାଇ ଆଣୁଛି ସାଙ୍ଗ । ଏତେ କମ୍‌ ବୟସରେ ବି ତାଙ୍କ ବନ୍ଧୁତ୍ୱକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଭାରି ଚର୍ଚ୍ଚା ।

କୋଇଡା କୁସୁମୁଣ୍ଡି ଗାଁରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଛନ୍ତି । ଜେସିକା ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ମାଂଗରୀ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି । ହେଲେ ଉଭୟଙ୍କ ଘର ପାଖାପାଖି ହୋଇଥିବାରୁ ପିଲାଟି ଦିନରୁ ଏମାନେ ଜୀବନ ଦିଆନିଆ ସାଙ୍ଗ । ହେଲେ ମାଂଗରୀ ସ୍କୁଲ ପଳାଇବା ପରେ ଭାରି ଏକାଏକା ଲାଗେ ଜେସିକାକୁ । ସିଏ ବି ସ୍କୁଲରେ ପଢିବ, ଖେଳିବ...ଏମିତି କେତେ କଣ ସ୍ୱପ୍ନ ଦେଖେ । କିନ୍ତୁ ଗୋଡ ସାଥ୍‌ ଦିଏନାହିଁ ।

ସାଙ୍ଗର ଅସହାୟତା ସମ୍ପର୍କରେ ଜାଣିଲେ ବି କଣ କରିବ? କେମିତି କରିବ ସେନେଇ ଚିନ୍ତା କରେ । ବାସ୍ ଏତିକି ବେଳେ ନିଜ କାନ୍ଧରେ ଏମିତି ବସାଇ ସ୍କୁଲ ନେବାକୁ ଚିନ୍ତା କଲା ମାଂଗାରୀ । ଖାଲି ଚିନ୍ତା କଲା ତାହା ନୁହେଁ ବରଂ କାମରେ କରିକି ଦେଖାଇଲା । ଏବେ ଉଭୟ ପ୍ରତିଦିନ ଏମିତି ସାଙ୍ଗ ହୋଇ ଯାଉଛନ୍ତି ସ୍କୁଲ ।

ଜାଣିଆଶ୍ଚର୍ଯ୍ୟ ହେବେ କି ଆଜିକା ସ୍ୱାର୍ଥପର ଦୁନିଆରେ ଜେସିକାଙ୍କୁ କାନ୍ଧରେ ବସାଇ ପ୍ରାୟ ୧ କିମିରୁ ଅଧିକ ରାସ୍ତା ନେଉଥଲା ମାଂଗାରୀ । ହେଲେ ସରକାରଙ୍କ ପକ୍ଷରୁ ତିନିଚକିଆ ସାଇକେଲ୍‌ ମିଳିବା ପରେ ଉଭୟ ସାଙ୍ଗ ହୋଇ ଯାଉଛନ୍ତି ସ୍କୁଲ । ସେପଟେ କୁଆଡେ ଯଦି ବୁଲିବାକୁ ପ୍ଲାନ୍‌ ହେଲା ମାଂଗାରୀଙ୍କୁ ବେଶ୍‌ ଭଲରେ ସଜେଇ ଦିଅନ୍ତି । ଆଉ ସାଙ୍ଗ ହୋଇ ବୁଲିବାକୁ ବାହାରିଯାଆନ୍ତି ।

ଦୁହିଁଙ୍କ ମଧ୍ୟରେ ଏମିତି ବନ୍ଧୁତା ରହିଛି ଯେ ଆଖିରେ ନଦେଖିଲେ ବିଶ୍ୱାସ ହେବନାହିଁ । ପିଲାଟି ଦିନରୁ ୟାଙ୍କର ଦୋସ୍ତିକୁ ସ୍କୁଲଠାରୁ ଘର..ସମସ୍ତେ ପ୍ରଶଂସା କରିବା ସହିତ ସାଙ୍ଗ ହେବ ତ ଏମିତି ବୋଲି କହୁଛନ୍ତି ।

 

  • Reported by:
  • Sunil Panda