• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଥାରେ ଅଛି ଭାଇ ଥିବ ଯାହାର ତାକୁ ସାହାଯ୍ୟ ଲୋଡାନାହିଁ ଆଉ କାହାର । ଭାଇ ଅଛି ତ ସବୁ ଅଛି । ଆପଣ ଭାବୁଥିବେ ଆମେ ହଠାତ୍‌ ଏମିତି କାହିଁକି କହିଲୁ? ଦର୍ଶକବନ୍ଧୁ ବିନିକାରେ ଦୁଇ ଭାଇ ଏମିତି ଭାବରେ ଚଳୁଛନ୍ତି ଯାହାକୁ ନେଇ ଆମେ ଏହି କଥା କହିବାକୁ ବାଧ୍ୟ ହେଲୁ ।

ଜଣେ ଭାଇ କଥା କହିପାରୁନି, ଆଉ ଜଣଙ୍କ ମୁଣ୍ଡ କାମ କରୁନି । କିନ୍ତୁ କେହି କାହାକୁ ଛାଡିବାକୁ ନାରାଜ୍‌ । ବିଶେଷକରି ମାନସିକ ଅନଗ୍ରସର ଭାଇର ଖୁବ ଯତ୍ନ ନେଉଛି କଥା କହିପାରୁନଥିବା ଭାଇ । ଦାଣ୍ଡ ଦୁଆରେ ଭାଇ ବସୁଛି...ତାକୁ ଖାଇବାକୁ ଦେବା ସହିତ ପୂରା ଯତ୍ନ ବି କରୁଛନ୍ତି । ହେଲେ ମାନସିକ ଅନଗ୍ରସର ଭାଇ କଥା କହିପାରୁନଥିବା ଭାଇକୁ ଗାଳି ଦେଉଛି । କିଛି ଖାଇବ ନାହିଁ ବୋଲି କହୁଛି । ଅନେକ ସମୟରେ ପାଟି ବି କରୁଛି । ଅବଶ୍ୟ ତାଙ୍କ କଥାବାର୍ତ୍ତା ବୁଝି ହେଉନାହିଁ । ହେଲେ ସେ ଖାଇବ ନାହିଁ ବୋଲି ପ୍ରତ୍ୟେକ ଦିନ ଜିଦି କରେ ବୋଲି ପରିବାର ଲୋକ କହନ୍ତି ।

ଖଡିଆଳ ବରଗାଁର ବାମନ ଯୋଶୀ । ବୟସ ୪୦ ପାର ହେଲାଣି...ଜନ୍ମରୁ ସେ କଥା କହିପାରନ୍ତି ନାହିଁ । ବର୍ଷେ ହେବ ବିବାହ କରିଛନ୍ତି...କିନ୍ତୁ ବିବାହ ପରେ ବଡଭାଇର ସେବା କରିବାକୁ କିନ୍ତୁ ସେ ଆଦୌ ଭୁଲିନାହାନ୍ତି । ବଡଭାଇ ଅନ୍ତର୍ଯ୍ୟାମୀ ୨୫ ବର୍ଷ ତଳୁ ମାନିସକ ରୋଗରେ ଶିକାର ହେଲେ । ବାସ୍‌ ସେହିଦିନଠାରୁ ତାଙ୍କ ସେବାରେ ଲାଗିଛନ୍ତି ବାମନ ।

ମାନସିକ ରୋଗରେ ଶିକାର ହେବା ପରେ ତାଙ୍କୁ ଅନେକ ମେଡିକାଲରେ ଚିକିତ୍ସା କରାଯାଇଛି । ହେଲେ ଲାଭ କିଛି ହେଲାନି । ପରିବାରର ଆର୍ଥିକସ୍ଥିତି ଏତେଟା ଭଲ ନଥିବାରୁ ରୋଗ ଧୀରେ ଧୀରେ ରୋଗ ବଢିବାକୁ ଲାଗିଲା । ଏବେ ଦିନଠୁ ରାତି ଗୋଟିଏ ଜାଗାରେ ବସୁଛନ୍ତି , ରାତି ହେଲେ ଏକ ଛୋଟିଆ ଘରେ ଆଶ୍ରୟ ନେଉଛନ୍ତି । ଏମିତିକି ରାତି ସାରା ପାଟି କରିବାରେ ବ୍ୟସ୍ତ ରହୁଛନ୍ତି ଅନ୍ତର୍ଯ୍ୟାମୀ । ମୋଟ୍‌ ଉପରେ ବଡ଼ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଏଇ ଦୁଇ ଭାଇ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିବ୍ୟାଙ୍ଗଙ୍କ ଲାଗି ମାଳମାଳ ଯୋଜନା କରୁଛନ୍ତି ସରକାର । ହେଲେ ଦିବ୍ୟାଙ୍ଗ ହେବା ପରେ ବି ମାତ୍ର କିଛି ଟଙ୍କା ଭତ୍ତା ଦେଇ ଚୁପ୍‌ ବସିଛି ପ୍ରଶାସନ । ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନି କି ସରକାରୀ ଚିକିତ୍ସା ସୁବିଧା ବି ମିଳିନି । ସେପଟେ ବ୍ଲକ୍‌ ଅଧ୍ୟକ୍ଷା କହୁଛନ୍ତି ସବୁ ପ୍ରକାର ସାହାଯ୍ୟ ଏବେ ତାଙ୍କୁ ମିଳିବ ଆଉ ସ୍ୱାସ୍ଥ୍ୟ ଅଧିକାରୀ କହୁଛନ୍ତି ମାଗଣାରେ ଚିକିତ୍ସା ହେବ । ଆଜିକାଲି ଦୁନିଆରେ ଅନେକ କ୍ଷେତ୍ରରେ ଭାଇ ଭାଇର ହିଁ ଶତ୍ରୁ ହେଉଥିବାର ଦେଖାଯାଏ । କିନ୍ତୁ ଏମାନେ ଏମିତି ଦୁଇ ଜଣ ଭାଇ ଯେଉଁମାନେ ବଂଚୁଛନ୍ତି ରାମ ଓ ଲକ୍ଷ୍ମଣ ହୋଇ ।

(ଖଡିଆଳରୁ କୁନାଲ ଚରଣ ବେହେରା)