• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗାଁ ବସ୍ତି ଘରେ ପିଲାଙ୍କର ଚାଲିଛି ପାଠ ପଢା । ଏକାଠି ବସି ନିଇତି ପଢୁଛନ୍ତି ୧୦ ରୁ ୨୦ ପିଲା । ସମସ୍ତେ ବେଶ୍‌ ଆନନ୍ଦର ସହ ପଢୁଛନ୍ତି । ଖାଲି ପାଠ ପଢୁଛନ୍ତି ତାହା ନୁହେଁ ବରଂ ପଣିକିଆ ଡାକୁଛନ୍ତି ଆଉ ଖାତାରେ ପାଠ ବି ଲେଖୁଛନ୍ତି । ହେଲେ ସେମାନଙ୍କୁ ଯିଏ ପାଠ ପଢାଉଛନ୍ତି? ତାଙ୍କ ବିଷୟରେ ଜାଣିବା ପରେ ଆପଣ ବି ତାଙ୍କୁ କରିବେ ସଲାମ୍‌ ।

କଟକ ନୂଆବଜାର ଅଂଚଳର ଯୁକ୍ତତିନି ଛାତ୍ରୀ ଶୁଭଲକ୍ଷ୍ମୀ ପୃଷ୍ଟି । ସ୍ଥାନୀୟ ବିଦ୍ୟାଧରପୁର ବସ୍ତିରେ ରହୁଛନ୍ତି ଶୁଭଲକ୍ଷ୍ମୀ । ବସ୍ତିରେ ସିନା ସେ ରହୁଛନ୍ତି, ହେଲେ ଗରିବ ପିଲାଙ୍କୁ ମଣିଷ କରି ଗଢି ତୋଳିବାକୁ ସ୍ୱପ୍ନ ଦେଖୁଛନ୍ତି । ପାଠ ପଢୁଥିବା କୁନି କୁନି ପିଲାଙ୍କ ପରିବାରର ଆର୍ଥିକ ଅବସ୍ଥା ବି ଏତେଟା ସ୍ୱଚ୍ଛଳ ନୁହେଁ ହେଲେ ପାଠ ପଢିବାକୁ ସେମାନଙ୍କର ଭାରି ଇଚ୍ଛା । ସେଇଥି ପାଇଁ ତ କଅଁଳ ଶିଶୁଙ୍କ ସ୍ୱପ୍ନକୁ ସାକାର କରିବାକୁ ଅଂଟା ଭିଡିଛନ୍ତି ଶୁଭଲକ୍ଷ୍ମୀ ।

ଟଙ୍କା ଅଭାବରୁ ଯେଉଁ ପିଲାଏ ପାଠ ପଢିପାରୁନାହାନ୍ତି କି ଟ୍ୟୁସନ ଯାଇପାରୁନାହାନ୍ତି ସେମାନଙ୍କୁ ପାଠ ପଢାଇବା ପାଇଁ ସେ ଶପଥ କରିଛନ୍ତି । ନିଜର ବି ଆର୍ଥିକ ପରିସ୍ଥିତି ଏତେ ସ୍ୱଚ୍ଛଳ ନୁହେଁ ହେଲେ ବି ବସ୍ତି ପିଲାଙ୍କ ପାଇଁ ନୂଆ ଆଶାର ଆଲୋକ ପାଲଟିଛନ୍ତି ଶୁଭଲକ୍ଷ୍ମୀ । ଆଜିକୁ ପ୍ରାୟ ତିନିବର୍ଷ ହେବ ୫୦ ରୁ ଉର୍ଦ୍ଧ୍ୱ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି ଶିକ୍ଷାଦାନ । ଆଉ ଶିକ୍ଷାଦାନରେ ବି ବାଧକ ସାଜିଥିଲା ଘର । ବସ୍ତି ଏରିଆ ହୋଇଥିବାରୁ ଘର ମିଳୁନଥିଲା ତେଣୁ ହେଲ୍ପ ଦ ହ୍ୟୁମାନିଟି ସଂଗଠନର ଅଫିସରେ ଏବେ କୁନିକୁନି ପିଲାଙ୍କୁ ପାଠ ପଢାଉଛନ୍ତି ଶୁଭଲକ୍ଷ୍ମୀ ।

ପ୍ରତିଦିନ ଅପରାହ୍ନ ୪ ଟା ବାଜିବା କ୍ଷଣି ଶୁଭଲକ୍ଷ୍ମୀ ପିଲାଙ୍କୁ ପାଠ ପଢାଇବାକୁ ନିର୍ଦ୍ଧାରିତ ଘରେ ପହଞ୍ଚି ଯାଆନ୍ତି ଶୁଭଲକ୍ଷ୍ମୀ । କେମିତି ନିଜ ସ୍ୱପ୍ନକୁ ପୂରଣ କରିବେ ? ସେନେଇ ମେହନତ ବି କରନ୍ତି । ଅନେକ ସମୟରେ ଯଦି କୌଣସି ପିଲା ଆସିନଥିବେ ସେମାନଙ୍କୁ ଘରୁ ଯାଇ ବି ଆଣନ୍ତି...ନିଜେ କଲେଜ୍‌ରେ ପାଠ ପଢୁଛନ୍ତି ସତ ହେଲେ ପିଲାଙ୍କୁ ମଣିଷ କରିବାକୁ ଅନବରତ କରୁଛନ୍ତି ପରିଶ୍ରମ ।  ଖାଲି ପିଲାଙ୍କୁ ପାଠ ପଢାଉଛନ୍ତି ତାହା ନୁହେଁ ବରଂ ଘରେ ଥିବା ଏକ ତେଜରାତୀ ଦୋକାନରେ ସେ ବିକ୍ରିବଟା ବି କରନ୍ତି । ମାତ୍ର ଯୁକ୍ତ ୩ରେ ପାଠ ପଢୁଥିବା ଜଣେ ଛାତ୍ରୀ ଏମିତି ମହାନ୍‌ କାମ ସବୁ କରୁଥିବାରୁ ଖାଲି ସ୍ଥାନୀୟ ଅଂଚଳରେ ନୁହେଁ ବରଂ ପୂରା ଜିଲ୍ଲାରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ।

  • Reported by:
  • Biswajit Acharya