• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବିଛଣାରେ ସ୍ୱାମୀ ଶୋଇଛି...ସକାଳୁ ସଂଜ ସ୍ତ୍ରୀ ସେବା କରୁଛି । ଖୁଆଇ ଦେଲେ ସେ ଖାଇବେ, ଶୁଆଇ ଦେଲେ ସେ ଶୋଇବେ । ନାକରେ ପୁଣି ଲାଗିଛି ପାଇପ୍‌ । ଆଉ ସେହି ପାଇପ୍‌ରେ ତରଳ ଖାଦ୍ୟ ଘଡିକୁ ଘଡିଏ ଦେଉଛି ସ୍ତ୍ରୀ । ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାକୁ ଯେବେ ଶପଥ କରିଥିଲେ ସେତେବେଳେ ଅଧା ରାସ୍ତାରେ ସ୍ୱାମୀଙ୍କୁ ସେ ଛାଡି ଦେବେ ବା କେମିତି ? ସେଇଥି ଲାଗି ତ...ସକାଳୁ ସଂଜ କରୁଛନ୍ତି ସେବା ।

ଭଦ୍ରକ ପୌରପାଳିକା ୨୦ ନମ୍ବର ୱାର୍ଡର ସୁରେଶ ବିଶ୍ୱାଳ । ଭଲ ଥିବା ବେଳେ ଲୂନାରେ ଗାଁକୁ ଗାଁ ବୁଲି ବିସ୍କୁଟ୍‌, ମିକ୍ସଚର, ବାଦାମ ଆଦି କେତେ କଣ ବିକ୍ରି କରୁଥିଲେ । ଆଉ ସେତିକିରୁ ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ସ୍ତ୍ରୀ ଓ ଦୁଇ ପିଲାଙ୍କ ମୁହଁରେ ଆହାର ଦେବା ସହିତ ପିଲାଙ୍କୁ ପାଠ ପଢାଉଥିଲେ । ହେଲେ ୫ ମାସ ତଳେ ସୁରେଶଙ୍କ ସୁଖର ସଂସାରରେ ଯେମିତି କାହାର ନଜର ଲାଗିଗଲା । ଆଉ ଘରର ମୂରବୀକୁ ରୋଗର କଷଣରେ ଏମିତି ଯୁଝି ଦେଲା ସେ ବିଛଣାରୁ ଉଠିବା ତାଙ୍କ ପକ୍ଷରେ କଷ୍ଟସାଧ୍ୟ ହେଲା । ସ୍ୱାମୀଙ୍କ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ଯାହା କହିଲେ ତାହା ଶୁଣିବା ପରେ ତାଙ୍କ ପାଦତଳୁ ମାଟି ଖସିଗଲା । ସ୍ୱାମୀ ଖଟିଲେ ପରିବାର ଚଳୁଥିଲା, ହେଲେ ଏବେ ତାଙ୍କୁ କ୍ୟାନସର । ଏମିତି ସ୍ଥିତିରେ କେମିତି ପରିବାର ଚଳିବ ସେହି ଚିନ୍ତାରେ ପୂରା ପରିବାର ।

 

ଘରେ ଯାହା ଯେତିକି ସମ୍ପତ୍ତି ଥିଲା ସ୍ୱାମୀଙ୍କ ଚିକିତ୍ସାରେ ସେ ସବୁ ସରିଗଲା । ହେଲେ ସ୍ୱାମୀ ସୁସ୍ଥ ହେଲେନି । ସେଇଥି ଲାଗି ତ ସୁରେଶଙ୍କର ଚିକିତ୍ସା ପାଇଁ ଏବେ ସହାୟତା ଲୋଡୁଛନ୍ତି ସ୍ତ୍ରୀ । ବନ୍ଧୁବାନ୍ଧବ ଯାହା ଯେତିକି ସାହାଯ୍ୟ କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ଘରେ ଅନ୍ୟ କେହି ରୋଜଗାରିଆ ନଥିବାରୁ ସ୍ଥିତି ପୂରା ସଙ୍ଗୀନ ହେଲାଣି । କେମିତି ପରିବାର ଚଳିବ ? କେମିତି ସ୍ୱାମୀଙ୍କର ଚିକିତ୍ସା ହେବ ସେହି ଚିନ୍ତାରେ ଦିନ କାଟୁଛନ୍ତି ସ୍ତ୍ରୀ ।

କ୍ୟାନସରର ଚିକିତ୍ସା କରିବାକୁ ହେଲେ ଭୁବନେଶ୍ୱର ଯିବାକୁ ହେବ । ହେଲେ ସେଥିଲାଗି ଯେତେ ଟଙ୍କା ଦରକାର ସେତକ ବି ତାଙ୍କ ପାଖରେ ନାହିଁ । ସେଇଥି ପାଇଁ ଭଙ୍ଗାଦଦରା ଘରେ ରହୁଛି ପୂରା ପରିବାର । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଅପରେସନ୍‌ ହେଲା, କେମୋ ବି ନେଇ ହେବ । କିନ୍ତୁ ସେତକ ପାଇଁ ପ୍ରତିଥର ଭୁବନେଶ୍ୱର ଆସିବାକୁ ପଡିବ କିନ୍ତୁ ଭଦ୍ରକରୁ ଭୁବନେଶ୍ୱର ଆସିବା ତାଙ୍କ ପାଖରେ ଟଙ୍କା ନାହିଁ । ସାହାଯ୍ୟ ଲାଗି ସୁରେଶଙ୍କ ପରିବାର ଭଦ୍ରକ ବିଧାୟକଙ୍କୁ ଭେଟିଥିଲେ । ଆଉ ପୂରା ଘଟଣା ଶୁଣିବା ପରେ ସୁରେଶଙ୍କ ପରିବାରକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ । ଯଦି ଆପଣ ଏହି ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ ।

ସୁରେଶ ବିଶ୍ବାଳ

ଶଙ୍କରପୁର

ଚନ୍ଦନ ବଜାର

ପୋଷ୍ଟ- ପୁରୁଣା ବଜାର, ଭଦ୍ରକ

ମୋବାଇଲ - 8117883058

  • Reported by:
  • Partha Sarathi nayak