• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ହାତରେ ବାଡି ଆଉ ମୁଣ୍ଡ ଉପରେ ଛତା । ଆଗରେ ଚାଲୁଛନ୍ତି ଗୋରୁ ଗାଈ, ଆଉ ପଛେ ପଛେ ଚାଲୁଛନ୍ତି ପୁଅ ଆଉ ମାଆ । ମାଆଙ୍କ ସହ ମିଶି ଜଙ୍ଗଲରେ ଗୋରୁ ଚରାଉଛନ୍ତି ଏହି ଯୁବକ ଜଣକ । ଖାଲି ସେତିକି ନୁହେଁ ସମୟ ମିଳିଲେ ବାପା ମାଆଙ୍କ ସହ ମିଶି ହଳଦୀ କ୍ଷେତରୁ ଅନାବନା ଘାସ ବାଛୁଛି ତ ଆଉ କେତେବେଳେ ଜାଳେଣି କାଠ ହାଣୁଛି । ଦେଖିବାକୁ ସିନା ଗାଉଁଲି ଗାଁର ସାଦାସିଧା ଯୁବକଟିଏ ଭଳି । ହେଲେ ତା ପ୍ରତିଭା କିନ୍ତୁ ଖୁବ ଉଚ୍ଚରେ। କାହିଁକି ନା ସେ ଏବେ ନୂଆ କରି ମେଡିକାଲ କଲେଜରେ ନାମ ଲେଖାଇଛି। 

ନା ହେଉଛି ସନାତନ ପ୍ରଧାନ । ସମୟ ମିଳିଲେ ବାପା ମାଆଙ୍କ ସହିତ ଏଭଳି ଦିନ କାଟୁଛନ୍ତି ଏହି ଡାକ୍ତରୀ ଛାତ୍ର ଜଣକ । ଘର ତାଙ୍କର କନ୍ଧମାଳ ଜିଲ୍ଲା ଦାସିଙ୍ଗବାଡି ପଞ୍ଚାୟତର ତାଡିମାହା ଗ୍ରାମରେ । ପ୍ରଥମ ପ୍ରଚେଷ୍ଟାରେ ହିଁ ସନାତନ ୨୦୨୪ ଚଳିତ ବର୍ଷ ଆୟୋଜିତ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବର୍ତମାନ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରେ ଏମବିବିଏସ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ପୁଅର ଏହି ସଫଳତା ଦେଖି ବାପା ମାଆଙ୍କ ଗର୍ବରେ ଛାତି କୁଣ୍ଡେ ମୋଟ ହୋଇଯାଉଛି ।

ଆଦିବାସୀ ଗରିବ ଘରର ପୁଅ ଡାକ୍ତର ହେବ, ସେ ନେଇ ଘରେ ଖୁସି ଯେତିକି ଆଉ ଦୁଃଖ ମଧ୍ୟ ସେତିକି । କାହିଁକି ନା ସରକାରୀ ମେଡିକାଲ କଲେଜରେ ସିନା ଆଡମିଶନ୍ ହୋଇଗଲା, ହେଲେ ଆଗକୁ ପାଠ ପଢା ଲାଗି ଖର୍ଚ୍ଚ କିଭଳି ତୁଲାଇବେ ସେ ନେଇ ଏବେ ଚିନ୍ତାରେ ଅଛନ୍ତି ଏମବିବିଏସ ଛାତ୍ର ସନାତନ ପ୍ରଧାନ । ଏନେଇ ସନାତନ ସରକାରଙ୍କ ସମେତ କେହି ତାଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

ବଣ ପାହାଡ ଘେରା ଆଦିବାସୀ ମୂଲକରେ ବସବାସ କରୁଥିବା ଅଭାବୀ ବାପା ମାଆ କେବଳ ଚାଷବାସ ଉପରେ ହିଁ ନିର୍ଭର କରିଥାନ୍ତି । ସେଥିରୁ ଯାହା ରୋଜଗାର କରନ୍ତି, ତାହା ପିଲାଙ୍କ ପାଠ ପଢାରେ ହିଁ ଖର୍ଚ୍ଚ କରିଥାନ୍ତି । ପରିବାର ଚଳାଇବା ପାଇଁ ବାପା କନେଶ୍ୱର ପ୍ରଧାନ ଓ ମାଆ ମାଧୁରୀ ପ୍ରଧାନ ହାଡଭଙ୍ଗା ପରିଶ୍ରମ କରନ୍ତି । ପୁଅ ଏବେ ଡାକ୍ତରୀ ପାଠ ପଢିବ, ସେ ନେଇ ଉଭୟ ବାପା ମାଆ କିଭଳି ପୁଅର ଖର୍ଚ୍ଚ ତୁଲାଇବେ ସେ କଥା କହିବା ବେଳେ ସେମାନଙ୍କ ଆଖିରୁ ଲୁହ ଜକେଇ ଆସୁଛି । ପୁଅର ପାଠ ପଢା ଖର୍ଚ୍ଚ ଲାଗି ସରକାର କିମ୍ବା କୌଣସି ଲୋକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ବାପା ମାଆ ଅନୁରୋଧ କରିଛନ୍ତି ।

ସନାତନ ପ୍ରଧାନ ପ୍ରଥମ ପ୍ରଚେଷ୍ଟାରେ ହିଁ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ଅନେକ ସଂଘର୍ଷ କରିଛନ୍ତି । ଗାଁରେ ମୋବାଇଲ ନେଟ୍‌ୱର୍କ ସୁବିଧା ନଥିବା ଯୋଗୁଁ ଦୀର୍ଘ ୬ କିଲୋମିଟର ଦୂରକୁ ଯାଇ ନେଟ୍ ୱାର୍କ ଆସୁଥିବା ପାହାଡ ଉପରେ ବସି ମୋବାଇଲରେ ପାଠ ପଢିଛନ୍ତି । ସାଙ୍ଗସାଥିଙ୍କ ଠାରୁ ପୁସ୍ତକ ସଂଗ୍ରହ କରି ଦିନରାତି ଏକ କରି କଠିନ ପରିଶ୍ରମ କରିଛନ୍ତି । ଆଉ ଏବେ ୧୯ ବର୍ଷର୍ ବୟସରେ ଏଭଳି ସଫଳତା ହାସଲ କରି ସନାତନ ଡାକ୍ତରୀ ପାଠ ପଢି ଡାକ୍ତର ହେବ, ସେ ନେଇ ଗ୍ରାମବାସୀ ଖୁସିହେବା ସହ ଗର୍ବ ଅନୁଭବ କରୁଛନ୍ତି ।  ସନାତନଙ୍କୁ ସରକାର ସାହାଯ୍ୟ କରିବାକୁ ସେମାନେ ଦାବି କରିଛନ୍ତି । 

ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇଥାଏ । ଏକଥାକୁ ସତ ପ୍ରମାଣିତ କରିଛନ୍ତି ଆଦିବାସୀ ପୁଅ ସନାତନ। ଅଭାବ ଅନାଟନକୁ ପଛରେ ପକାଇ ପ୍ରଥମ ଉଦ୍ୟମରେ ନିଟ୍ ପରୀକ୍ଷାରେ ପାସ୍ କରି ଏବେ ସେ ଡାକ୍ତରୀ ପାଠ ପଢିବାକୁ ଯାଉଛନ୍ତି । 

  • Reported by:
  • Ajit Kumar Nayak

OTV is now on Whatsapp

Join and get latest news update delivered to you via whatsapp

Join Now