• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ହାତରେ ପାଣି ଭର୍ତ୍ତି ମାଟି ପାତ୍ର ଧରି ନିଇତି ପାହାଡ ଚଢୁଛନ୍ତି ବନ କର୍ମଚାରୀଙ୍କ ସହ ଶହଶହ ଗ୍ରାମବାସୀ । ସତେ ଯେମିତି ସେମାନେ ଅନୁଭବ କରିପାରୁଛନ୍ତି ପାହାଡ ଉପରେ ଥିବା ଜୀବଜନ୍ତୁଙ୍କ ଶୋଷକୁ । ପ୍ରଚଣ୍ଡ ଖରାରେ ସେମାନଙ୍କ ଶୋଷ ମେଣ୍ଟାଇବା ପାଇଁ ଏତେ ପରିଶ୍ରମ କରୁଛନ୍ତି ଗାଁ ଲୋକେ । ତେବେ ପକ୍ଷୀମାନେ କେମିତି ଶୋଷରୁ ମୁକ୍ତି ପାଇବେ ସେନେଇ ପ୍ରୟାସ ଆରମ୍ଭ କରିଥିଲେ ଚିନ୍ମୟୀ ଦାସ । ଖାଲି ପ୍ରୟାସ ଆରମ୍ଭ କରିଥିଲେ ତାହା ନୁହେଁ ବରଂ କାମ କରିକି ବି ଦେଖାଇଲେ ।

ଅନୁଗୁଳ ଜରପଡ଼ା ରେଂଜ୍‌ରେ ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାୟକ ନେତୃତ୍ୱରେ ପ୍ରାୟ ୫୦ ଜଣ ସମାଜସେବୀ ଓ ବନ କର୍ମଚାରୀ ପାହାଡ଼ ଉପରକୁ ଚଢ଼ିଥିଲେ । ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ମହିଳାମାନେ ବି ଏହି ଯାତ୍ରାରେ ସାମିଲ ଥିଲେ । ସମସ୍ତଙ୍କ ହାତରେ ପାଣି ଠେକି ବି ଥିଲା । ପ୍ରାୟ ୨ ଶହ ଫୁଟ ପାହାଡ଼ ଚଢ଼ିବା ପରେ ପାଣି ଭର୍ତ୍ତି ଠେକିକୁ ରଖିଥିଲେ। ଆଉ ଏଇ ପାଣି ଠେକିରୁ ଏବେ ଶହଶହ ପକ୍ଷୀ ପିଉଛନ୍ତି ପାଣି ।

ଖାଲି ପାଣି ଠେକି ନୁହେଁ ବରଂ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଶପଥ ନେଇଛନ୍ତି କିନ୍ନର ଚିନ୍ମୟୀ । କେତେ ବେଳେ ଅଜଣା ଶବକୁ ସମ୍ମାନର ସହ ଦାହ କରିବା ହେଉ କିମ୍ୱା  ଅସହାୟକୁ ସାହାଯ୍ୟ କରିବା ହେଉ, ସମାଜ ସେବାରେ ସବୁବେଳେ ନିୟୋଜିତ ଥାଆନ୍ତି ଚିନ୍ମୟୀ । ଆଉ ଏତିକି ବେଳେ ଖରା ବଢିବା ସହ ପାଣି ପାଇଁ ଆଉଟୁପାଉଟୁ ହେଲେଣି ଲୋକେ। ଏତେ ଖରାରୁ ପଶୁପକ୍ଷୀ ବି ବାଦ୍ ପଡ଼ି ନାହାନ୍ତି ।

ବିଭିନ୍ନ ଜଳାଶୟ ଶୁଖିଲା ପଡ଼ିଥିବାରୁ ସେମାନଙ୍କୁ ପାଣି ଟୋପାଏ ବି ମିଳୁନି । ଏଭଳି ସ୍ଥିତିରେ ସେମାନଙ୍କୁ ପିଇବା ପାଣି ଯୋଗାଇବା ପାଇଁ ପ୍ରାୟ ୨୦୦ ଫୁଟ ପାହାଡ଼ ଚଢ଼ିଛନ୍ତି ଚିନ୍ମୟୀ ଓ ବନ କର୍ମଚାରୀ । ପକ୍ଷୀମାନେ ପିଇବା ପାଣି ପାଇଁ ଯେମିତି ଅସୁବିଧାରେ ପଡ଼ିବେ ନାହିଁ ସେଥିପାଇଁ ଠେକି ଓ ଶିକାରେ ପାଣି ରଖିଛନ୍ତି । ସେହିପରି ଜଙ୍ଗଲୀ ପ୍ରାଣୀଙ୍କ ପାଇଁ କୁଣ୍ଡରେ ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି । ହେଲେ ପାହାଡ଼ ଚଢି ପକ୍ଷୀଙ୍କ ଲାଗି ଚିନ୍ମୟୀଙ୍କ ଏମିତି ନିଆରା ପ୍ରୟାସକୁ ସବୁଆଡ଼େ ପ୍ରଶଂସା କରାଯାଉଛି ।

 

  • Reported by:
  • BIRAJA DAS