• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନିସ୍ତବ୍ଦ ରାତି...କିଟିକିଟି ଅନ୍ଧାର ଭିତରେ ଭାରି ଜୋରରେ ବଡ଼ଦାଣ୍ଡରେ ଗଡ଼ୁଥିଲା ଏକ ଟ୍ରଲି । ପୁଣି ଟ୍ରଲି ଉପରେ ଜଣେ ବ୍ୟକ୍ତି ଚାଦର ଘୋଡ଼ାଇ ହୋଇ ଶୋଇଥିଲେ । କିଛି ଏମିତି ଦୃଶ୍ୟ ଦେଖିବା ପରେ ହଠାତ୍‌ କିଛି ବୁଝିପାରିନଥିଲେ କେହି । ଏତେ ରାତିରେ କିଏ ଟ୍ରଲିରେ ଯାଉଛି? କୁଆଡ଼େ ଯାଉଛି ଓ କାହିଁକି ଯାଉଛି? ଏନେଇ ମନରେ ଉଙ୍କି ମାରୁଥିଲା ଅନେକ ଅସାମାହିତ ପ୍ରଶ୍ନ । ହେଲେ ଦୃଶ୍ୟ ପଛରେ ଯେଉଁ ବେଦନା ଦାୟକ କାହାଣୀ ରହିଥିଲା ତାହା ଜାଣିବା ପରେ ଆପଣଙ୍କର ମନେ ପଡ଼ିଯିବ କୃଷ୍ଣ ଓ ସୁଦାମଙ୍କ ବନ୍ଧୁତ୍ୱର କଥା । 

ପରିବାର ପଚାରିଲାନି...ପରିଣତ ବୟସରେ ପର କରିଦେଲେ । ହେଲେ ଆପଣାର କରିନେଲା ବନ୍ଧୁ । ଖାଲି ଆପଣାର କଲା ତାହା ନୁହେଁ ବରଂ ଜୀବନ ଦାନ ବି ଦେଲା । ପୁରୀରୁ ଆସିଥିବା ଏଇ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ଶ୍ରୀକ୍ଷେତ୍ରରେ ରହୁଥିବା ଏଇ ଦୁଇ ବନ୍ଧୁଙ୍କ ନିଆରା ସଂପର୍କ କଥା ଯିଏ ଜାଣୁଛି ସିଏ ବି ସଲାମ କରୁଛି ।

ଦୁଇ ବନ୍ଧୁ ହେଉଛନ୍ତି ଦେବେନ୍ଦ୍ରନାଥ ପାରମାଣିକ ଓ ଚୈତନ୍ୟ ଦାସ୍‌ । ଉଭୟଙ୍କ ମଧ୍ୟରେ ସଂପର୍କ ଖୁବ କମ୍‌ ଦିନର । ହେଲେ ଭାରି ନିବିଡ଼ । ସେଇଥି ଲାଗି ତ ସାଙ୍ଗର ଦେହ ଖରାପ କଥା ଶୁଣିବା ମାତ୍ରେ ଟ୍ରଲିରେ ସାଙ୍ଗକୁ ବୋହି ନେଲେ ମେଡ଼ିକାଲ । ଟ୍ରଲିରେ ଅଚେତ ଥିବା ବୃଦ୍ଧ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ୮୫ ବର୍ଷୀୟ ବୃଦ୍ଧ ଦେବେନ୍ଦ୍ରନାଥ ପାରମାଣିକ ଏବଂ ଟ୍ରଲି ଚଲାଉଥିବା ବ୍ୟକ୍ତି ବୃଦ୍ଧ ଜଣକ ହେଉଛନ୍ତି ସ୍ଥାନୀୟ ଅଂଚଳର ୬୨ ବର୍ଷୀୟ ବେଦାନ୍ତ ଚୈତନ୍ୟ ଦାସ । ପଶ୍ଚିମବଙ୍ଗର ନିବାସୀ ଦେବେନ୍ଦ୍ରଙ୍କ ସ୍ତ୍ରୀ ଚାଲିଯିବା ପରେ ପରିବାର ତାଙ୍କୁ ପଚାରିନଥିଲେ । ସେଇଥି ଲାଗି ତ ଘର ଛାଡ଼ି ଶ୍ରୀକ୍ଷେତ୍ର ପଳାଇ ଆସିଥିଲେ ଦେବେନ୍ଦ୍ର । ପରେ ବେଦାନ୍ତଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା ।

ବେଳାଭୂମିରୁ ସାଙ୍ଗ ହୋଇଥିବା ବେଳେ ବେଦାନ୍ତଙ୍କ ସାମ୍ନାରେ ନିଜର ଦୁଃଖ ବଖାଣିଥିଲେ ଦେବେନ୍ଦ୍ର । ପରେ ବେଦାନ୍ତଙ୍କ ପାଖରେ ଆଶ୍ରୟ ନେଇଥିଲେ । କିନ୍ତୁ ବୟସାଧିକ କାରଣରୁ ରାତିରେ ହଠାତ୍‌ ତାଙ୍କର ଦେହ ଖରାପ ହୋଇଗଲା । ଆଉ ଅଧ ରାତିରେ ସାଙ୍ଗର ଦେହ ଖରାପ ହେବା ପରେ ପୂରା ବ୍ୟସ୍ତ ହୋଇପଡ଼ିଲେ ବେଦାନ୍ତ ଆଉ ମେଡ଼ିକାଲରେ ଭର୍ତ୍ତି ବି କଲେ । ଏବେ ପକ୍ଷଘାତରେ ଶିକାର ହୋଇ ଦେବେନ୍ଦ୍ର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ପରିବାର ଯେବେ ପର କରିଦେଲା ସେବେ ସାଙ୍ଗ ହିଁ ନିଜର କରିନେଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଭାରି ଚର୍ଚ୍ଚା...ଲୋକେ କହୁଛନ୍ତି ବନ୍ଧୁ ହେବ ତ ଏମିତି ।

  • Reported by:
  • PRADEEP MAHANTY