• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଓଡ଼ିଶାର ସର୍ବ କନିଷ୍ଠ ଜୁନିୟର ଆଡଭାନ୍ସଡ୍ ଓପନ ୱାଟର୍‌ ସ୍କୁବା ଡାଇଭର ହେଲେ ଓଡ଼ିଆ ଝିଅ ତିସ୍ୟା। ତାହା ପୁଣି ଓମାନ ଉପସାଗରରେ। ଦୁବାଇରେ ରହୁଥିବା ତିସ୍ୟା ପାଣିଗ୍ରାହୀ ୭୦ ଫୁଟ ସ୍କୁବା ଡାଇଭିଙ୍ଗ କରି ଏକ ନିଆରା ରେକର୍ଡ କରିଛନ୍ତି। ସମ୍ବଲପୁରରେ ଜନ୍ମ ଓ ଦୁବାଇରେ ପରିବାର ସହ ରହୁଥିବା ଓଡିଆ ଝିଅ ତିସ୍ୟା ପାଣିଗ୍ରାହୀ ନିଜର ୧୨ତମ ଜନ୍ମଦିନ (ଜୁନ ୮) ଅବସରରେ ଏଭଳି ଦୁଃସାହସିକ ଜଳକ୍ରୀଡ଼ା କରିଛନ୍ତି।

ଜୁନ୍ ୮ ରେ ଓମାନ ଉପସାଗରରେ ୭୦ ଫୁଟ ସ୍କୁବା ଡାଇଭ କରିଥିଲେ ଏବଂ ଜୁନ୍ ୯ରେ ଓଡିଶାର ସର୍ବ କନିଷ୍ଠ ଜୁନିଅର ଆଡଭାନ୍ସଡ୍‌ ଓପନ୍ ୱାଟର୍‌ ସ୍କୁବା ଡାଇଭରର ଲାଇସେନ୍ସ ପାଇଛନ୍ତି।

ଏହି ଆଡଭାନ୍ସଡ୍ ଲାଇସେନ୍ସ ପାଇଁ କେବଳ ୧୨ ବର୍ଷ ବୟସରେ ହିଁ ଆବେଦନ କରାଯାଇ ଥାଏ କିନ୍ତୁ ତିସ୍ୟାଙ୍କୁ ଯେଉଁ ଦିନ ୧୨ବର୍ଷ ବୟସ ହେଲା ସେହିଦିନ ଏହି ଦୁଃସାହସିକ ଜଳକ୍ରୀଡ଼ା କରି ଲାଇସେନ୍ସ ପାଇଛନ୍ତି ତିସ୍ୟା । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ପୂର୍ବ ଉପକୂଳରେ ଥିବା ମାର୍ଟିନି ରକ୍ ଡାଇଭ୍ ସାଇଟ୍‌ର ସମୁଦ୍ରରେ ୭୦ ଫୁଟ ଗଭୀରତାକୁ ଯାଇ ସେ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ସ୍କୁବା ଡାଇଭ ସମୟରେ ସାଥିରେ ଥିଲେ ତାଙ୍କ ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ। ପ୍ରିୟଦର୍ଶୀ ନିଜେ ମଧ୍ୟ ୨୦୧୨ରୁ ଜଣେ ସ୍ୱୀକୃତିପ୍ରାପ୍ତ ସ୍କୁବା ଡାଇଭର ଅଟନ୍ତି।

ତିସ୍ୟା ଏହି ପାଠ୍ୟକ୍ରମର ଧାର୍ଯ୍ୟ ୫ଟି ଡାଇଭ୍ ସଫଳତାର ସହିତ ସମାପ୍ତ କରିବା ପରେ ଜୁନ୍ ୯ ତାରିଖ ଦିନ ପିଏଡିଆଇ (ପ୍ରଫେସନାଲ୍ ଆସୋସିଏସନ୍ ଅଫ୍ ଡାଇଭିଂ ଇନ୍‌ଷ୍ଟ୍ରକଟର୍ସ) ପକ୍ଷରୁ ତାଙ୍କୁ ଜୁନିୟର ଆଡ୍‌ଭାନ୍ସଡ୍ ଓପନ୍ ୱାଟର୍‌ ସ୍କୁବା ଡାଇଭର ଲାଇସେନ୍ସ ପାଇଛନ୍ତି।

Tisya’s Scuba diving in a 70-feet water ୭୦ ଫୁଟ ପାଣି ତଳେ ପାଳିଲେ ଜନ୍ମଦିନ

ପିଏଡିଆଇ ହେଉଛି ବିଶ୍ୱର ସର୍ବବୃହତ ସ୍କୁବା ଡାଇଭିଂ ଟ୍ରେନିଂ ଏବଂ ସାର୍ଟିଫିକେସନ୍ ସଂସ୍ଥା। ୧୯୬୬ ମସିହାରେ ଆମେରିକାର ଇଲିନୋଇସ୍‌ରେ ଏହି ସଂସ୍ଥା ପ୍ରତିଷ୍ଠା ହୋଇଥିଲା। ଏହା ୧୮୬ଟି ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟ କରେ, ଯେଉଁଥିରେ ୬୬୦୦ ରୁ ଅଧିକ ଡାଇଭ୍ ସେଣ୍ଟର୍ ଏବଂ ରିସୋର୍ଟର ଏକ ବିଶ୍ୱସ୍ତରୀୟ ନେଟ୍‌ୱାର୍କ ଅଛି।

ଇଣ୍ଟରାକ୍ଟିଭ୍ ଶିକ୍ଷା ମାଧ୍ୟମରେ ଇ-ଲାର୍ନିଙ୍ଗ ସହିତ ପାଠ୍ୟକ୍ରମ ଆରମ୍ଭ ହୁଏ। ତା’ପରେ ସ୍କୁବା ଡାଇଭ୍‌ ସମ୍ପର୍କରେ ପ୍ରଶିକ୍ଷକମାନେ ସ୍କୁବା ଡାଇଭର୍‌ଙ୍କ ସହିତ ପ୍ରତ୍ୟେକ ଡାଇଭ୍ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରନ୍ତି। ଏଥିପାଇଁ ୧୮ ମିଟର / ୬୦ ଫୁଟ ଗଭୀର ପାଣିରେ ସ୍କୁବା ଡାଇଭ୍‌ ଏବଂ ଏକ ଅଣ୍ଡର ୱାଟର୍‌ ନେଭିଗେସନ୍ ଡାଇଭ୍ ବାଧ୍ୟତାମୂଳକ।

ଏହା ବ୍ୟତୀତ ତାଙ୍କୁ ଏକ ତାଲିକାରୁ ତାଙ୍କ ପସନ୍ଦ ଅନୁଯାୟୀ ୩ଟି ଡାଇଭ୍ ବାଛିବାକୁ ପଡିଥାଏ। ପାଣି ଭିତରେ ସମୁଦାୟ ୩ ଘଣ୍ଟାରୁ ଅଧିକ ସମୟ ବିତାଇବାକୁ ପଡିଥାଏ (ଏହି ୫ଟି ଡାଇଭରେ)। ତିସ୍ୟା ଅଲ୍‌ ବୁମ୍ ଡାଇଭିଂ, ଅଲ୍‌ ଆକା, ଫୁଜାଇରା, ୟୁଏଇରେ ୨ଦିନ ମଧ୍ୟରେ ପାଠ୍ୟକ୍ରମ ଶେଷ କରିଥିଲେ। ଅଲ୍‌ ବୁମ୍ ଡାଇଭିଂ ହେଉଛି ୟୁଏଇର ସବୁଠୁ ବଡ ଡାଇଭିଂ ସ୍କୁଲ୍।

ତିସ୍ୟା କହିଛନ୍ତି ଯେ "ମୁଁ ସ୍କୁବା ଡାଇଭିଂକୁ ଉପଭୋଗ କରେ ଏବଂ ଜଳ ଜଗତ ମୋତେ ଆକର୍ଷିତ କରେ। ଜୁନିଅର ଓପନ୍ ୱାଟର ଡାଇଭର୍ ହୋଇଥିବାରୁ ମୋତେ ୧୨ ମିଟର / ୪୦ ଫୁଟ ପର୍ଯ୍ୟନ୍ତ ବୁଡ଼ିବାକୁ ଅନୁମତି ଦିଆଗଲା। ତଥାପି, ମୁଁ ଅଧିକ ଅନୁସନ୍ଧାନ କରିବାକୁ ଏବଂ ବୟସ୍କମାନଙ୍କ ପରି ବୁଡ଼ିବାକୁ ଆଗ୍ରହୀ ଥିଲି, ଯେଉଁମାନେ ୧୮ମିଟର / ୬୦ ଫୁଟ ପର୍ଯ୍ୟନ୍ତ ବୁଡ଼ିପାରନ୍ତି। ମୋତେ ୧୨ବର୍ଷ ହେବା ସମୟକୁ ମୁଁ ଅପେକ୍ଷା କରିଥିଲି। ଯାହା ଦ୍ୱାରା ମୁଁ ଜୁନିଅର ଆଡଭାନ୍ସଡ୍ ପାଠ୍ୟକ୍ରମ କରିପାରିବି ଏବଂ ୨୧ମିଟର / ୭୦ ଫୁଟ ପର୍ଯ୍ୟନ୍ତ ବୁଡ଼ି ପାରିବି।"

ତିସ୍ୟାଙ୍କ ସ୍କୁବା ଡାଇଭିଂର ଏହି ସଫଳତାରେ ଖୁସି ଜାହିର କରିଛନ୍ତି ବାପା ପ୍ରିୟଦର୍ଶୀ। ସେ କହିଛନ୍ତି ଯେ "ମୁଁ ଖୁସି ଯେ ତିସ୍ୟା ସ୍କୁବା ଡାଇଭ୍‌ ପ୍ରତି ଆଗ୍ରହୀ ଏବଂ ଏହାକୁ ବହୁତ ଉତ୍ସାହର ସହିତ ଅନୁସରଣ କରୁଛନ୍ତି। ତାଙ୍କ ସହ ସ୍କୁବା ଡାଇଭ୍‌ କରି ଜଳ ଜଗତକୁ ଅନୁସନ୍ଧାନ କରିବା ଏବଂ ଏହାକୁ ଉପଭୋଗ କରିବା ଏକ ବଡ଼ ଅନୁଭବ।"

ୟୁଏଇରେ ରହୁଥିବା ମୋରୋକୋ ନାଗରିକ ତଥା ପ୍ରଶିକ୍ଷକ ୟୋସେଫ୍‌ ଗ୍ରୋଚି ଅଲ୍‌ ବୁମ୍ ଡାଇଭିଂରେ ତିସ୍ୟାଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ୟୋସେଫ୍‌ ଜଣେ ଓପନ ୱାଟର୍‌ ସ୍କୁବା ଡାଇଭିଂ ପ୍ରଶିକ୍ଷକଭାବେ ପ୍ରତିଷ୍ଠିତ। ୟୋସେଫ୍‌ କହିଛନ୍ତି ଯେ "ଏତେ ଛୋଟ ପିଲାକୁ ଏକ ଆଡ୍‌ଭାନ୍ସ କୋର୍ସରେ ଦେଖିବା ମୋ ପାଇଁ ଖୁସିର ମୁହୂର୍ତ୍ତ ଥିଲା। ମୁଁ ତାଙ୍କୁ ସ୍କୁବା ଡାଇଭିଙ୍ଗ ସମ୍ପର୍କରେ ଅଧିକ ତାଲିମ ଦେଇ ଖୁସି ହେଲି, ଏବଂ ସେ ଖୁବ ଶୀଘ୍ର ତାଲିମ ଗ୍ରହଣ କରିବାରେ ସମର୍ଥ ହୋଇଛନ୍ତି। ସେ ମୋତେ ସ୍କୁବା ଡାଇଭିଙ୍ଗ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ, ତାଙ୍କ ସହ ଡାଇଭ୍‌ କଲାବେଳେ ମୁଁ ଏସବୁ ଉପଭୋଗ କରୁଥିଲି। ​​ ସେ ଜଣେ ଭଲ ଆଚରଣକାରୀ ଝିଅ, ଯିଏ ଅନେକ ଜିନିଷ ଜାଣିବାକୁ ଆଗ୍ରହୀ। ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା।"

ଓଡିଶାର ପ୍ରତିଷ୍ଠିତ ସ୍କୁବା ଡାଇଭର୍‌ ସବୀର ବକ୍ସ ଯିଏକି ସ୍କୁବା ଡାଇଭିଂ ଏକ୍ସପର୍ଟ ଭାବରେ ଜଣାଶୁଣା ଏବଂ ସମୟ ସମୟରେ ତିସ୍ୟାଙ୍କ ବାପାଙ୍କୁ ପରାମର୍ଶ ଦେଇଥା’ନ୍ତି, ସେ ମଧ୍ୟ ତିସ୍ୟାର ସଫଳତାରେ ଖୁସି ଜାହିର କରିଛନ୍ତି। ସବୀର ବକ୍ସ ଅଭିନନ୍ଦନ ବାର୍ତ୍ତା ଦେଇ କହିଛନ୍ତି "ତିସ୍ୟା ଆମକୁ ଏପରି ଦୁଃସାହସିକ କାର୍ଯ୍ୟ କରି ଗର୍ବିତ କରିଛି। ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ।"

ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ କଟକର ସୌମିତ୍ରି ନନ୍ଦଙ୍କ ଝିଅ ଓ ସ୍ୱର୍ଗତଃ ଶ୍ରୀବଲ୍ଲଭ ପାଣିଗ୍ରାହୀ ଏବଂ ସ୍ୱର୍ଗତଃ ସୁନନ୍ଦା ପାଣିଗ୍ରାହୀଙ୍କ ନାତୁଣୀ ହେଉଛନ୍ତି ତିସ୍ୟା। ଶ୍ରୀବଲ୍ଲଭ ପାଣିଗ୍ରାହୀ ତାଙ୍କ ସମୟରେ ଜଣେ ପ୍ରମୁଖ ରାଜନେତା ଥିଲେ। ସେ ଓଡିଶାରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ ଏବଂ ୩ ଥର ଲୋକସଭା ସାଂସଦ ମଧ୍ୟ ରହିଥିଲେ। ସେହିପରି ଶ୍ରୀମତି ସୁନନ୍ଦା ପାଣିଗ୍ରାହୀ ଜଣେ ଶିକ୍ଷାବିତ୍ ଥିଲେ ଏବଂ ସମ୍ବଲପୁରର ମହିଳା ମହାବିଦ୍ୟାଳୟରେ ଇଂରାଜୀ ବିଭାଗରୁ ରିଡର୍‌ ଭାବେ ଅବସର ନେଇଥିଲେ। ସମ୍ବଲପୁରର ପୂର୍ବତନ ବିଧାୟକ ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀଙ୍କ ବି ନାତୁଣୀ ହେବେ ତିସ୍ୟା।

୨୦୨୦ରେ ଯେତେବେଳେ ତିସ୍ୟା ପିଏଡିଆଇ ଜୁନିଅର୍‌ ଓପନ୍ ୱାଟର୍‌ ସ୍କୁବା ଡାଇଭର୍ ଲାଇସେନ୍ସ ହାସଲ କରିଥିଲେ, ସେତେବେଳେ ସେ ଓଡିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍‌ ଥିଲେ। ତିସ୍ୟା ବହୁତ କମ ବୟସରେ ତାଙ୍କ ପିତାଙ୍କ ଅଣ୍ଡର୍‌ ୱାଟର୍‌ ଭିଡିଓ ଏବଂ ଫୋଟୋଗୁଡ଼ିକର ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କୁ ଏ ସବୁ ବେଶ ଆକର୍ଷିତ କରିଥିଲା। ଗତବର୍ଷ ସମୁଦ୍ରର ୪୦ଫୁଟ ତଳୁ ତିସ୍ୟା ଓ ତାଙ୍କ ବାପା ‘ନୂଆଁଖାଇ’ ପର୍ବରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି କୀର୍ତ୍ତିମାନ ବହୁ ଲୋକପ୍ରିୟ ହୋଇପାରିଥିଲା ​​ଏବଂ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା।