• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅଣ୍ଟା ନଇଁଗଲାଣି...ଆଖିକୁ ଆଉ ଦିଶୁନି । ଚମ ବି ଧୁଡୁଧୁଡୁ ହୋଇଗଲାଣି । ବୟସର ଅପରାହ୍ନରେ ପହଞ୍ଚିବା ପରେ ବି ସେମାନେ ହାର ମାନିନାହାନ୍ତି କି ଜୀବନ ଯୁଦ୍ଧରେ ଲଢିବା ବନ୍ଦ କରିନାହାନ୍ତି । ସକାଳଠୁ ସଂଜ ଏମିତି ଏକାଠି ହୋଇ ବିତାଉଛନ୍ତି ଜୀବନ ।

ଭଙ୍ଗାଦଦରା କୁଡ଼ିଆ...ତାହାରି ଭିତରେ ରହୁଛନ୍ତି ବୃଦ୍ଧ ଦମ୍ପତି । ବୟସ ଏତେ ହେଲାଣି ଯେ ଚାଲିବା ସେମାନଙ୍କ ପାଖରେ ସମ୍ଭବ ହେଉନି । ହେଲେ ନଇଁ ନଇଁ ଘରର ସବୁ ଯାକ ପାଇଟି କରୁଛନ୍ତି ସେମାନେ । ଗାଁ ମୁଣ୍ଡରେ ଥିବା ନୂଳକୂଅରୁ ନଇଁ ନଇଁ ପାଣି ଆଣୁଛନ୍ତି , ଚୁଲି ଜାଳି ରୋଷେଇ କରୁଛନ୍ତି । ଘର ଦୁଆର ମୁହଁରେ ବସି  ଖୁଆଖୁଇ ବି ହେଉଛନ୍ତି । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବି ଅନୁମାନ କରିପାରୁଥିବେ ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ଭଲପାଇବା କେତେ ଅତୁଟ ?

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତହସିଲ ସଂସାରଫାଳ ଗାଁର ଜଳଧର ଦାସ । ବୟସ ୮୫ ଡେଇଁଲାଣି । ହେଲେ ସହାୟତା ସବୁ ତାଙ୍କ ଲାଗି ଯେମିତି ସାତ ସପନ ହୋଇ ରହିଛି । ଘରର ଅବସ୍ଥା ଦେଖିଲେ ଭିତରକୁ ଯିବାକୁ ଡର ଲାଗିବ । କାନ୍ଥ ଗୁଡିକ ଯେମିତି ଫାଟି ଆଁ କରିଛି କେତେବେଳେ ଗଳି ପଡିବ ତାହା କହିବା ଅସମ୍ଭବ । ମଥାଣ ବି ଫାଟି ଆଁ କଲାଣି । ଜଳଧରଙ୍କ ମେରୁଦଣ୍ଡ ବଙ୍କା ହୋଇଯାଇଥିବା ବେଳେ ସ୍ତ୍ରୀ ସାବିତ୍ରୀଙ୍କ ଆଖିକୁ ଠିକ୍‌ରେ ବି ଦେଖାଯାଉନି । ହେଲେ ବି ମିଶିକି ରୋଷେଇ କରୁଛନ୍ତି ଆଉ ଖାଉଛନ୍ତି ।

ବୟସର ଅପରାହ୍ନରେ ପହଞ୍ଚିବା ପରେ ବି ସେମାନଙ୍କର ସେବା କରିବାକୁ କେହି ନାହାନ୍ତି । ସହାୟତା କହିଲେ ମାସକୁ ଭତ୍ତା ବାବଦରେ ୫୦୦ ଟଙ୍କା ଆଉ ୫ କିଲୋ ଚାଉଳ । ଥରେ ଚିନ୍ତା କରନ୍ତୁ ଏତିକିରେ ସେମାନେ ଚଳିବେ କେମିତି ? ବାରମ୍ବାର ଗୁହାରି ପରେ ବି ତାଙ୍କ ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ତେଣୁ ଘର ଖଣ୍ଡିଏ ଲାଗି ଦମ୍ପତି କରୁଛନ୍ତି ଗୁହାରି ।

ଜାଣି ଆଶ୍ଚର୍ଯ୍ୟ ହେବେ କି ସେମାନେ ଏତେ ଅଭାବ ଭିତରେ ରହିଥିବା ପରେ ବି କେବେ ଉଭୟଙ୍କ ଭିତରେ ଝଗଡା ହୋଇନି କି କେତେବେଳେ କଥା କଟାକଟି ହୋଇନି । ସେମାନଙ୍କ ପାଖରେ କିଛି ନାହିଁ ସତ କିନ୍ତୁ ପରିସ୍ଥିତିର ଦାସ ହୋଇ ବଞ୍ଚିଛନ୍ତି...ଆଉ ସମାଜକୁ ବାର୍ତ୍ତା ଦେଇ କହୁଛନ୍ତି, ମନବଳ ଦୃଢ ଥିଲେ ସବୁ ପରିସ୍ଥିତିର ଆମେ ସାମ୍ନା କରିପାରିବା । ସତରେ ଏମିତି ଦମ୍ପତିଙ୍କୁ ଶହେ ସଲାମ୍‌ । 

 

 

  • Reported by:
  • PRABIR KUMAR NAYAK