• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଛୋଟିଆ ଲୁଗା ଦୋକାନ କରିଛନ୍ତି । ହେଲେ ଅନ୍ୟକୁ ସାହାଯ୍ୟ କରିବାକୁ ଶପଥ ନେଇଛନ୍ତି । ଗାଁରେ କାହାର ବି ଦୁଃଖ କଥା ଶୁଣିବା ମାତ୍ରେ ହାଜର ହୋଇଯାଆନ୍ତି ଭରତ ବାଇ । କେମିତି ତାଙ୍କୁ ସାହାଯ୍ୟ କରାଯିବ? କେମିତି ସେ ଭଲରେ ରହିବେ ସେନେଇ ପ୍ରସ୍ତୁତ କରନ୍ତି ମାଷ୍ଟର ପ୍ଲାନ୍‌ । ଖାଲି ପ୍ଲାନ ପ୍ରସ୍ତୁତ କରୁଛନ୍ତି ତାହା ନୁହେଁ ବରଂ କାର୍ଯ୍ୟକାରୀ ବି କରୁଛନ୍ତି ।

ମାଟି ଖୋଳା ଚାଲିଛି, ଇଟା ଗାନ୍ଥେଣି ହେଉଛି । ଏମିତି ଦୃଶ୍ୟ ଦେଖିବା ପରେ ଘର ତିଆରି ହେଉଥିବା ସମସ୍ତେ ଜାଣିପାରିବେ । ହେଲେ ସେହି ଘର କିଏ ତିଆରି କରୁଛନ୍ତି? କାହିଁକି ତିଆରି କରୁଛନ୍ତି? ଜାଣିବା ପରେ ତାଙ୍କୁ ସଲାମ୍‌ କରିବାକୁ ଆପଣ ବି ବାଧ୍ୟ ହେବେ । କାରଣ ଯେଉଁଠି ଘର ଖଣ୍ଡିଏ ଲାଗି ସରକାରୀ ଦପ୍ତରରେ ଚକ୍କର କାଟି କାଟି ନିରାଶ ହେଉଛନ୍ତି ଲୋକେ । ସେଇଠି ଭରତ ଭାଇ ବଢାଇଛନ୍ତି ସାହାଯ୍ୟର ହାତ । ଖାଲି ସାହାଯ୍ୟର ହାତ ବଢାଇଛନ୍ତି ତାହା ନୁହେଁ ବରଂ ଗରିବ ଓ ଖଟିଖିଆ ଲୋକଙ୍କ ଲାଗି ଗଢି ତୋଳୁଛନ୍ତି ପକ୍କାଘର ।

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଞ୍ଚାୟତ ଢିଅକୁଳା ଗାଁର ଭରତ ବାଇ । ଗାଁରେ ଘର ଥିବା ପରେ ବି ସେ ରହୁଛନ୍ତି ରାଉରକେଲାରେ । ନିଜର ଲୁଗା ଦୋକାନଟିଏ ବି ଅଛି । ପୁଅ ରାଉରକେଲାରେ ଜଣେ ହୋମିଓପାଥିକ ଡାକ୍ତର । ପରିବାର ଚଳଣି ସ୍ୱଚ୍ଛ...କିନ୍ତୁ ଅନ୍ୟକୁ ସାହାଯ୍ୟ କରିବାର ଶପଥ ନେଇଛନ୍ତି । ନିଜ ଲୁଗା ଦୋକାନରୁ ଯେତିକି ଟଙ୍କା ରୋଜଗାର ହୁଏ ସେତିକିରେ ପରିବାର ଚଳାଇବା ସହିତ ଗରିବଙ୍କ ପାଇଁ ଘଅ ତିଆରି କରନ୍ତି ଭରତ ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ଭରତ ନିଜ ପାଇଁ ଜାଗା କି ଗାଡିଟିଏ କିଣିନାହାନ୍ତି । ବରଂ ଗରିବଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଆନ୍ତି ବୋଲି ସେ କହିଛନ୍ତି । ଏମିତିକି ଗରିବଙ୍କ ପିଛା ସେ ୬୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ସେତିକିରେ ପକ୍କାଘର ନିର୍ମାଣ କରିବାକୁ ଚେଷ୍ଟା ବି କରନ୍ତି । ତେବେ ଭରତଙ୍କ ସାହାଯ୍ୟ ପାଇବା ପରେ ଖୁସିରେ ଗଦଗଦ ହିତାଧିକାରୀ । ଗାଁର ଶତ୍ରୁଘ୍ନ ବେହେରାଙ୍କ ସ୍ତ୍ରୀ କହୁଛନ୍ତି, ପୂର୍ବରୁ ଆମେ ପାଲଟାଣି ରହୁଥିଲୁ । ହେଲେ ଭରତ ଭାଇଙ୍କ ସାହାଯ୍ୟ ପରେ ଘର ଖଣ୍ଡିଏ ପାଇଲୁ । କେବଳ ଶତ୍ରୁଘ୍ନ ନୁହେଁ ବରଂ ଗାଁର ଅନେକ ଲୋକ ଭରତଙ୍କ ସାହାଯ୍ୟ ପାଇଛନ୍ତି ।

ଆଜିକା ଦୁନିଆରେ ସରକାରୀ ଆବାସ ଘର ଖଣ୍ଡିଏ ପାଇବା ଲାଗି ବାରମ୍ବାର ବାବୁଙ୍କ ପାଖକୁ ଦଉଡି ଦଉଡି ପାଦରୁ ଚପଲ ଘୋରି ହୋଇଯାଉଛି ହେଲେ ଘର ଖଣ୍ଡିଏ ମିଳୁନି । ହେଲେ ଭରତ ନିଜସ୍ୱ ଉଦ୍ୟମରେ ଗରିବଙ୍କ ଲାଗି ଯେମିତି ଘର କରୁଛନ୍ତି ତାହା ନିଶ୍ଚୟ ଚର୍ଚ୍ଚାର ବିଷୟ ।

 

 

  • Reported by:
  • Sanjeeb Nayak