• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନଦୀକୂଳିଆ ଗାଁ ହେଉଛି ସିଙ୍ଗାପୁର ମାଟି । ସିଙ୍ଗାପୁରକୁ ସମସ୍ତେ ଯବାନ୍‌ଙ୍କ ଗାଁ କୁହନ୍ତି । କାରଣ ଜଣେ କି ଦୁଇ ଜଣ ନୁହଁନ୍ତି ବରଂ ଏହି ଗାଁର ୩୦ରୁ ଉର୍ଦ୍ଧ୍ୱ ଯବାନ୍ ଆଜି ବି ସେନା ବାହିନୀରେ କାର୍ଯ୍ୟରତ ଅଛନ୍ତି । ଆଉ ୩ ଜଣ ଏହି ଗାଁର ଦେଶମାତୃକା ଲାଗି ପ୍ରାଣ ବି ଦେଇଛନ୍ତି । ତେଣୁ ଏହି ଗାଁକୁ ସମସ୍ତେ ସହିଦର ଗାଁ କୁହନ୍ତି ।

ଗାଁ ଲୋକଙ୍କ କହିବା ଅନୁସାରେ, ମାତ୍ର ୨୩ ବର୍ଷରେ ୨୦୦୫ ମସିହାରେ ଉଗ୍ରପନ୍ଥୀଙ୍କ ଗୁଳିରେ ସହିଦ୍ ହୋଇଥିଲେ ଯବାନ୍ ଅନିରୁଦ୍ଧ ବରାଳ । ସେହିପରି ୧୭ ଏପ୍ରିଲ ୨୦୧୬ରେ ଦାର୍ଜିଲିଂରେ ସହିଦ୍‌ ହୋଇଥିଲେ ନାରାୟଣ ପ୍ରଧାନ । ଏହାସହ ଗାଁର ଦେବେନ୍ଦ୍ର ମଲ୍ଲିକ ମଧ୍ୟ ସହିଦ୍‌ ହୋଇଛନ୍ତି । ଆଜି ବି ସହିଦ୍‌ଙ୍କୁ ଝୁରେ ସିଙ୍ଗାପୁର ମାଟି । ଅଗଷ୍ଟ ୧୫ ହେଉ କି ଜାନୁଆରୀ ୨୬ କିମ୍ବା ଜନ୍ମଦିନ ଓ ତିରୋଧନା ଦିବସରେ ସହିଦ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ହୁଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆଉ ସହିଦ୍‌ଙ୍କ ଲାଗି ଗର୍ବ କରେ ପ୍ରତିଟି ବ୍ୟକ୍ତି ।

ଏବେ ନୁହେଁ ବରଂ ସ୍ୱାଧୀନତା ସମୟରୁ ଏହି ଗାଁକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । କାରଣ ସ୍ୱାଧୀନତା ସଂଗ୍ରାମରେ ଏହି ଗାଁର ଅନେକ ସଂଗ୍ରାମୀ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ । ସ୍ୱାଧିନ ଭାରତରେ ଆଜି ବି ସେହି ଯୋଦ୍ଧାଙ୍କ ରକ୍ତ ପ୍ରବାହିତ ହେଉଛି ଏହି ଗାଁର ଯୁବପିଢିଙ୍କ ମଧ୍ୟରେ । ପରିଣାମ ସ୍ୱରୂପ କମ୍ ବୟସର ଯୁବକମାନେ ମଧ୍ୟ ସେନା ବାହିନୀରେ ସାମିଲ୍ ହେବାକୁ ଆଗ୍ରହ ପ୍ରକାଶ କରନ୍ତି ।

ବର୍ତ୍ତମାନ ବି ଗାଁରେ ୩୦ ଯବାନ୍‌ ଓ ୩ ସହିଦ ପରିବାର ରହୁଛନ୍ତି ଆଉ ଗାଁ ମୁଣ୍ଡରେ ସହିଦ ସ୍ତମ୍ଭ ବି ତିଆରି କରିଛନ୍ତି ।ସେନାରେ ସାମିଲ ହେବାକୁ ପ୍ରତିଟି ଯୁବପିଢିଙ୍କ ମଧ୍ୟରେ ଉତ୍କଣ୍ଠା ଥାଏ । ଇଏ ଏମିତି ଏକ ମାଟି ଯେଉଁଠି ଦେଶମାତୃକାର ସେବା କରିବାକୁ ସର୍ବାଧିକ ଯୁବକଙ୍କୁ ମିଳିଛି ସୁଯୋଗ ।

 

  • Reported by:
  • Gulam