• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସକାଳ ହେବା କ୍ଷଣି ନିଇତି ଗାଈ ଚରାଇବାକୁ ବାହାରି ପଡୁଛି କୁନି ପିଲାଟି । ଖାଲି ଗାଈ ଚରାଉଛି ତାହା ନୁହେଁ ବରଂ କଅଁଳ କାନ୍ଧରେ କାଠ ବୋହି ବୋହି ଘରକୁ ନେଉଛି । ଘରେ କାଠ ପହଞ୍ଚିଲେ ଚୁଲି ଲାଗିବ...ରୋଷେଇ ହେବ । ଯେଉଁ ବୟସରେ ବୁଲିବା, ଖେଳିବା ସହିତ ପାଠ ପଢିବାର କଥା ସେହି ବୟସରେ ଚରାଉଛି ଗାଈ । ପାଠ ପଢିବାକୁ ମନରେ ପ୍ରବଳ ଇଚ୍ଛା ହେଲେ ଆର୍ଥିକ ପ୍ରତିବନ୍ଧତା କାରଣରୁ ଆଜି ସିଏ ପଢିପାରୁନି ପାଠ ।

ଗଜପତି ମୋହନା ବ୍ଲକ୍ ବଡମଳାଇ ଗାଁର ଏ ହେଉଛି ବାବୁଲା ଦଳାଇଙ୍କ ପୁଅ ବଳିଆ ଦଳାଇ । ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ମ ଶ୍ରେଣୀ ପାସ କରିଛି । ଇଚ୍ଛା ଥିଲା ବଡ କ୍ଲାସ୍‌କୁ ଯିବ, ଭଲ ପାଠ ପଢିବ । ହେଲେ ସବୁ ସ୍ୱପ୍ନ ତା’ର ସ୍ୱପ୍ନରେ ହିଁ ରହିଯାଇଛି । ଗାଁଠାରୁ ହାଇସ୍କୁଲ ଦୂର ହେଉଥିବାରୁ ଏକ ଆବାସିକ ବିଦ୍ୟାଳୟରେ ବଳିଆର ନାଁ ଲେଖାଇବାକୁ ବହୁ ଚେଷ୍ଟା କରିଥିଲେ ପରିବାର ଲୋକେ । ହେଲେ ହଷ୍ଟେଲ୍‌ରେ ସିଟ୍‌ ମିଳିଲା ନାହିଁ । ତେଣୁ ଦୂର ସ୍କୁଲରେ ପାଠ ପଢାଇବାକୁ ପରିବାର ପାଖରେ ଟଙ୍କା ନାହିଁ । ସ୍କୁଲ ନଯିବା କାରଣରୁ ନିଇତି ସକାଳୁ ଗାଈ ଚରେଇବାକୁ ଯାଉଛି ବଳିଆ । ସେପଟେ ମାଆ କହୁଛନ୍ତି ଆରଥରକୁ ପଇସାପତ୍ର ଯୋଗାଡ ହେଲେ ବଳିଆକୁ ପାଠ ପଢାଇବୁ...ଯଦି ନହୁଏ ବାହାରେ ଯାଇ କାମ କରିବ ।

ପରିବାରର ଆର୍ଥିକ ଅବସ୍ଥା ଏତେ ଶୋଚନୀୟ ଯେ ପୁଅର ପାଠ ପଢିବାକୁ ଇଚ୍ଛା ଥିଲେ ବି ପରିବାର ପାଖରେ ତାହା ସମ୍ଭବ ହୋଇପାରୁନାହିଁ । ତେଣୁ ଇଚ୍ଛା ଥିଲେ ବି ବଳିଆ ପଢିପାରୁନି ପାଠ । ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି । ହେଲେ ଯୋଜନା ଯୋଜନା ବାଟରେ ରହିଛି । ଯାହାର ଉଦାହରଣ ବଳିଆ..ତେବେ ବଳିଆକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାର କହିଛନ୍ତି , ବଳିଆକୁ କିଭଳି ସ୍କୁଲରେ ନାମ ଲେଖା ଯିବା ସେ ନେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ।

 

  • Reported by:
  • Mihir Jati