ଭାଇ ଥିଲେ ଭୟ ନାହିଁ। କେତେବେଳେ ହାତ ଧରି ବାଟ କଢେଇ ନେବ, କେତେବେଳେ ଅବାଟରୁ ଟାଣି ଆଣିବ। ବାଟ ହେଉ ବା ଅବାଟ, ଛାଇ ପରି ରହିଥିବ ଭାଇ। ଏମିତି ଭାଇ ଥିଲେ ଡର କାହାକୁ..ଭୟ ବା କାହାକୁ। କାରଣ ଭଉଣୀ ପାଇଁ ତ ସୁରକ୍ଷା କବଚଟିଏ ଭାଇ। ସେ କାନ୍ଧରେ ଭଉଣୀକୁ ବସେଇ ଜହ୍ନ ଦେଖାଏ, ହାତ ଧରି ପରୀ ରାଇଜକୁ ନେଇ ଯିବାର ପ୍ରତିଶ୍ରୁତି ବି ଦିଏ। ଭାଇର ସେ କାନ୍ଧ ବା ହାତ କୋମଳ ହୋଇପାରେ କିନ୍ତୁ ଭଉଣୀ ପାଇଁ କେବେ ଦୁର୍ବଳ ହେବ ନାହିଁ। ଦୁଇ ଭଉଣୀଙ୍କ ପାଖରେ ଏଇ କୁନି ନୀରିହ ଭାଇଟିକୁ ଦେଖିଲେ ଠିକ ଏମିତି ହିଁ ଅନୁଭବ ହେବ।
କଅଁଳ କାନ୍ଧ। କୋମଳ ମନ। ହେଲେ ଭାଗ୍ୟ ଅଜାଡି ଦେଇଛି ବିରାଟ ଦାୟିତ୍ୱ। ସ୍ୱପ୍ନ ଦେଖିବାର ବୟସ, ଜୀବନ ଗଢିବାର ବୟସ। ହେଲେ ତା ଆଖିରେ ନିଜ ପାଇଁ ସ୍ୱପ୍ନ ନାହିଁ। ଅଛି ଦୁଇ ଭଉଣୀଙ୍କ ଦାୟିତ୍ୱ। ନିଜ ଜୀବନକୁ ଉଜାଡ଼ି ଦେଇ ସେ ଆଗେଇ ଆସିଛି ଦୁଇ ଭଉଣୀଙ୍କ ଜୀବନ ଗଢିବାକୁ। ପେଟ ରୋଗରେ ବାପା ଚାଲି ଗଲେ ଅଫେରା ରାଇଜକୁ। ମା‘ ହୋଇଗଲେ ନିଖୋଜ। ବଡ ଭାଇ ବାହାହୋଇ ଶ୍ୱଶୁର ଘରେ ରହିଲେ। ଭୁଲିଗଲେ ତିନି ଭାଇଭଉଣୀଙ୍କ କଥା। ଘରେ ରହିଗଲେ ଏଇ ତିନି ଭାଇ ଭଉଣୀ। ଏମାନଙ୍କ ଜୀବନ ସଂଘର୍ଷ ଦେଖିଲେ ଆଖିରେ ଲୁହ ଆସିଯିବ । ଏ ହୃଦୟଭିଜା ଦୃଶ୍ୟ ଦେଖିବାକୁ ମିଳିବ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପୁସାଙ୍ଗିଆ ଗ୍ରାମର ମୃତ ବିକ୍ରମ ପାତ୍ରଙ୍କ ଘରେ।
Also Read
ଏହା ଭିତରେ ୫ ବର୍ଷ ବିତି ଗଲାଣି। ଏଇ ଭଙ୍ଗା ଘରେ ଶ୍ରୀତମ ପାତ୍ରର ସ୍ନେହଆଦର ଭିତରେ ବଡ ହେବାର ସ୍ୱପ୍ନ ଦେଖନ୍ତି କୁନି ଝିଅ ଶ୍ରୀୟା ଆଉ ସମ୍ପୂର୍ଣ୍ଣା । ଭାଇ ପାଖରେ ଅଳି କରନ୍ତି, ଅଝଟ ବି ହୁଅନ୍ତି। ସେମାନେ ଜାଣନ୍ତିନି ବାପା-ମା’ଙ୍କ ସ୍ନେହ କ’ଣ ? କାରଣ ବାପାଙ୍କ ମୃତ୍ୟୁ ପରେ ମା’ ସୂର୍ଯ୍ୟକାନ୍ତୀ କୁଆଡେ ଚାଲି ଯାଇଛନ୍ତି । କିଛି ପତ୍ତା ମିଳୁନି। ତେଣୁ ଏଇ ଭାଇ ପାଖରୁ ସବୁ କିଛି ପାଆନ୍ତି କୁନି ପିଲା ଦୁଇଟି । ଭାଇ ଦିନଯାକ ଖଟେ। ଯାହା କିଛି ରୋଜଗାର କରି ଆଣେ ସେଥିରେ ପରିବାର ଚଳେ। ହେଲେ ସେତିକିରେ ଭାତ ସାଙ୍ଗକୁ ତରକାରୀ ଟିକିଏ ବି ହୁଏନି। ତଥାପି ଶ୍ରୀତମ ନିଜେ ରାନ୍ଧେ। ନିଜ ହାତରେ ଦୁଇ ଭଉଣୀଙ୍କୁ ଖୁଆଇ ଦିଏ ଶ୍ରୀତମ । ଦୁଇ ଭଉଣୀଙ୍କୁ ପାଠ ପଢାଇବାକୁ ଭାରି ମନ ଭାଇର। କାରଣ ନିଜେ ମାଟ୍ରିକ ପାସ କରିଛି। ହେଲେ ବାପା-ମା’ ମଲା ପରେ ୨ ଭଉଣୀଙ୍କ ଦାୟିତ୍ୱ ନେବା ପାଇଁ ପାଠରେ ଡୋରି ବାନ୍ଧିଲା। ତେଣୁ ଭଉଣୀଙ୍କ ଆଖିରେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଅଣ୍ଟା ଭିଡିଛି ଶ୍ରୀତମ। ଏମିତି କି ଭାଇ ଦୁଇ ଭଉଣୀର ମୁଣ୍ଡ କୁଣ୍ଡାଇ ଦେବା ଠାରୁ ଆରମ୍ଭ କରି ତାଙ୍କୁ ପାଠ ପଢିବାକୁ ଉତ୍ସାହିତ କରୁଛି ।
ଯଦି କୌଣସି ଆଶ୍ରମରେ ଦୁଇ ଭଉଣୀଙ୍କୁ ଥଇଥାନ କରାଯାଇ ପାରନ୍ତା ତେବେ ଶ୍ରୀତମ କାମ କରିବାକୁ ବାହାରକୁ ଯାଇପାରନ୍ତେ। ଅଧିକ ରୋଜଗାର କରିପାରନ୍ତେ। ଶ୍ରୀୟା ସମ୍ପୂର୍ଣ୍ଣାଙ୍କ ଭାଗ୍ୟ ସୁଧାରି ପାରନ୍ତେ। ହେଲେ ଏତିକି ସରକାରୀ ସୁବିଧା ତାଙ୍କୁ ଏ ଯାଏ ମିଳିପାରିନି।
(ରିପୋର୍ଟ-ଅଜିତ ନାୟକ, ବାଲିଗୁଡ଼ା)