• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୀବନର କଷଟିରେ ଚାପି ହୋଇ ଯାଇଛି ନିରୀହ ନିଷ୍ପାପ ଶିଶୁଙ୍କର ଭାଗ୍ୟ । ଆଗ୍ନେୟ ଉଦଗୀରଣ ଜ୍ୱାଳାରେ ଜଳୁଛି ଭୋକିଲା କ୍ଷୁଧାର ଆତୁର ଉଦର । ଦୁଃଖିନୀ ମାଆର କୋହ ଭରା ଲୁହ କହି ଦେଉଛି କଷ୍ଟପୂର୍ଣ୍ଣ ଜୀବନର ଅସହ୍ୟ ବେଦନା । ସତରେ କେତେ ଯନ୍ତ୍ରଣା ସେ ମୁହୂର୍ତ୍ତ ? ବାପ ଛେଉଣ୍ଡ ୪ ଶିଶୁକନ୍ୟାକୁ ଧରି ଜୀବନ ଜିଇଁବା ପାଇଁ ରାହା ଖୋଜୁଛି ଦୁଃଖିନୀ ମାଆ ।

ମମତା ନାୟକ । ଘର- ଢେଙ୍କାନାଳ କଙ୍କଡାହାଡ଼ ଚାନ୍ଦପୁର ଗାଁ । ସ୍ୱାମୀ ଓ ୪ ଝିଅଙ୍କୁ ନେଇ ବେଶ୍‌ ଭଲରେ ଚାଲିଥିଲା ସଂସାର ରଥ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଅଜଣା ରୋଗରେ ସ୍ୱାମୀ ଚାଲିଯିବା ପରେ ମମତାଙ୍କ ଉପରେ ମାଡ଼ି ବସିଥିଲା ଦୁଃଖର କଳାପାହାଡ । ସ୍ଥିତି ଏମିତି ହେଲା ଯେ ଭଲରେ ଗଣ୍ଡାଏ ଖାଇବାକୁ ବି ପାଇଲେ ନାହିଁ । ନିଜ ପେଟରେ ସିନା ଓଦା କନା ଦେଇ ରହିଯିବେ ହେଲେ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ସେ କଣ କରିବେ, କିଛି ବାଟ ପାଇଲେନି । ସେଥିପାଇଁ ତ ପିଲାଙ୍କ ମୁହଁକୁ ଚାହିଁ ସବୁ ଦୁଃଖ ଭୁଲି ଆଗକୁ ବଢିଛନ୍ତି ମମତା ।

ମମତା ଏବେ ପରଦୁଆରେ ମୂଲ ଲାଗିବା ସହିତ ବିଲରେ କାମ ବି କରୁଛନ୍ତି । ଆଉ ସେଥିରୁ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଉଛନ୍ତି । ସେପଟେ ୪ ଚାରି ଜଣ ପିଲାଙ୍କୁ କେମିତି ଖାଇବାକୁ ଦେବେ ? କେମିତି ପାଠ ପଢାଇବେ ସେଇ ଚିନ୍ତାରେ ସବୁବେଳେ ମମତା ।

ସରକାରୀ ସାହାଯ୍ୟ କହିଲେ, ମିଳୁଛି ମାତ୍ର ୧୫ କିଲୋ ଚାଉଳ । ସେତିକିରେ ପରିବାର ଚଳିବ ବା କେମିତି ? ସେପଟେ ସାନ ଝିଅ ଅଙ୍ଗନବାଡିରେ ପଢୁଛି । ଏମିତି ସ୍ଥିତିରେ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ନିବେଦନ କରୁଛନ୍ତି ମମତା । ଏପଟେ ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ସରକାରଙ୍କ ପକ୍ଷରୁ ମମତାଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ସହ ପିଲାଙ୍କ ପାଠ ପଢାରେ ପ୍ରଶାସନ ସହଯୋଗ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ତେବେ ସରକାରୀ ସହାୟତା ମମତାଙ୍କ ପାଖରେ କେବେ ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା।

(ରିପୋର୍ଟ- ବିଦ୍ୟାଧର ବରାଳ, କାମାକ୍ଷାନଗର)