• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସମ୍ବଲପୁର ଜିଲ୍ଲା ବୁଢାରଜାରେ ରହୁଥିବା ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ଏବଂ ଅଧ୍ୟାପିକା ମଞ୍ଜରୀ ନନ୍ଦଙ୍କ ଏକମାତ୍ର ପୁଅ ସାଇଶରଣ ନନ୍ଦଙ୍କର ଦେହାନ୍ତ ହେବା ପରେ ପରିବାର ସଦସ୍ୟ ତାଙ୍କର ଚକ୍ଷୁଦାନ ଓ ଅଙ୍ଗଦାନ କରିଥିଲେ । ପୂର୍ବରୁ ସାଇଶରଣ ନନ୍ଦଙ୍କ ଜେଜେବାପା ସ୍ୱର୍ଗତଃ ଭାଗବତ ପ୍ରସାଦ ନନ୍ଦଙ୍କର ମଧ୍ୟ ଶରୀର ଦାନ କରାଯାଇଥିଲା । ଆଉ ଏବେ ସାଇଶରଣଙ୍କର ଚକ୍ଷୁ ସମେତ ସର୍ବାଙ୍ଗ ଦାନ କରାଯାଇଛି ।

ଜୀବନରେ କେବେ କଥା କହି ନଥିବା ଭୋଲୁ ଶେଷରେ ଅନୁରୋଧ ଟିଏ କରିଛି। ତା'ର ଅନୁରୋଧକୁ ଲେଖିଛନ୍ତି ନିଜେ ମା ମଞ୍ଜରୀ ନନ୍ଦ....

ସବୁବେଳେ ସାଇଶରଣ ସାଇଶରଣ ଗୀତ ଗାଇ ଆଉଁସି ଦେଉଥିଲେ । ମୁଁ କାନ୍ଦୁଥିଲେ ଚୁପ ହୋଇ ଯାଉଥିଲି । ତେଣୁ ଏବେ ମଧ୍ୟ ତାଙ୍କ ପାଖରେ ଶୋଇଛି । ମୋ ବାପା, ମାଆ ତାଙ୍କ ପରେ ମତେ ମଧ୍ୟ ତୁମକୁ ଦେଇଦେଲେ । ମୋ ମାଆ ସବୁବେଳେ ମୋତେ ଖୁଆଇଲା ବେଳେ ମୋ ବାବୁର ଆଖି ବହୁତ ସୁନ୍ଦର ବୋଲି କହି ମତେ ଗେଲ କରୁଥିଲେ ।

କିନ୍ତୁ ଆଉ କେହି ମୋ ଆଖିରେ ଦୁନିଆକୁ ଦେଖୁ ବୋଲି ମୋ ଆଖି ମଧ୍ୟ ଦେଇ ଦେଲେ । ମତେ ସେଥିପାଇଁ ବହୁତ ଖୁସି ଲାଗିଲା । କାରଣ ମୁଁ ଆଉ କାହା ଆଖିରେ ବଞ୍ଚି ରହିବାର ସୁଯୋଗ ପାଇବି । ଆଉ ମୋ ବାପା ମାଆ ଖୁସି ହେବେ । ମୁଁ ଅନୁରୋଧ କରୁଛି ମତେ ନିଅ, ମୋ ଶରୀରର ବାକି ଅଂଶକୁ ତନ୍ନତନ୍ନ କରି ପଢ, ଅନୁଧ୍ୟାନ କର, ପରୀକ୍ଷା କର ଯେପରିକି ଆଉ କାହାରି ମୋ ପରି ଅବସ୍ଥା ନ ହେଉ ।

କାରଣ ମୋ ବାପା ମାଆଙ୍କ ପରି ସମସ୍ତେ ସକ୍ଷମ ହୋଇ ପାରିବେ ନାହିଁ ଏତେ ସେବା କରିବା ପାଇଁ । ବାପା ମାଆ ତ ଆହୁରି ସେବା କରିବା ପାଇଁ ଚାହୁଁଥିଲେ ମୁଁ କିନ୍ତୁ ଶିଲ୍ପି ନାନୀ ହାତରୁ ପାଣି ଟିକେ ପିଇ ଚୁପଚାପ ଚାଲି ଆସିଲି । କାହାରିକୁ ନ ଜଣେଇ । ବାପା ମାଆ ମଧ୍ୟ ଜାଣି ପାରିଲେ ନାହିଁ । ସେ ଦୁନିଆରେ ତ ମୁଁ କାହାରି ଉପଯୋଗରେ ଆସି ପାରିଲି ନାହିଁ ତେଣୁ ଯେତେ ପାରିବ ମତେ ବ୍ୟବହାର କର ଏବଂ ମୋର ରୋଗର ସମାଧାନ ବାହାର କରି ଦିଅ ।

ଯେପରିକି କାହାରି ବାପା ମାଆଙ୍କୁ ଶୁଣିବାକୁ ନ ପଡୁ ଯେ ଏହା ତୁମର ପୂର୍ବ ଜନ୍ମର କର୍ମଫଳ ବୋଲି । ମୋ ବାପା ମାଆ ତ ଜାଣିଶୁଣି ମୋତେ ଏପରି ଜନ୍ମ କରିନଥିଲେ । କାରଣ ପ୍ରତ୍ୟେକ ବାପା ମାଆ ସବୁ ବେଳେ ଚାହାନ୍ତି ତାଙ୍କର ସନ୍ତାନ ସବୁ ପ୍ରକାର ରୋଗ ବ୍ୟାଧିରୁ ମୁକ୍ତ ରହୁ । ସବୁବେଳେ ଖୁସି ରହୁ ।

ତାକୁ କୌଣସି କଷ୍ଟ ନ ହେଉ ବୋଲି ପାରୁପର୍ଯ୍ୟନ୍ତ ଚେଷ୍ଟା କରନ୍ତି । ମାଆ ସବୁବେଳେ ଭଗବାନଙ୍କ ପାଖରେ ଅଭିଯୋଗ କରନ୍ତି ତମେ ମୋତେ ଏପରି ପୁଅଟେ କାହିଁକି ଦେଲ, ଯାହାର କଷ୍ଟର ସମାଧାନ ତମ ପାଖରେ ମଧ୍ୟ ନାହିଁ । ସେ ତାଙ୍କର ନିଜ କଷ୍ଟ ପାଇଁ କାନ୍ଦନ୍ତିନି । ମୋ କଷ୍ଟ ପାଇଁ କାନ୍ଦନ୍ତି । ମୋ ବାପା ମାଆ ରାତିସାରା ମୋ ପାଇଁ ଶୋଇ ନ ପାରିଲେ ମଧ୍ୟ ସକାଳୁ ଉଠି ନିଜ କାମରେ ଏପରି ଲାଗି ପଡ଼ନ୍ତି ଯେ କେହି ଜାଣି ମଧ୍ୟ ପାରନ୍ତିନି ମୁଁ ରାତିସାରା ସେମାନଙ୍କୁ ଶୁଆଇ ଦେଇନାହିଁ ।

କିନ୍ତୁ ମୁଁ ବି କଣ କରିବି? ମତେ କଷ୍ଟ ହୁଏ ବୋଲି ମୁଁ କାନ୍ଦେ । ଭଗବାନଙ୍କ ହାତରେ ସିନା ନାହିଁ କିନ୍ତୁ ସେମାନଙ୍କ ହାତରେ ଅଛି । ମୋ ପରି ସନ୍ତାନଟେ ନ ହେବା ପାଇଁ ମୋତେ ହିଁ ପରୀକ୍ଷା କର । ମୋତେ ପଢ । ମୋର ଏତିକି ଅନୁରୋଧ, ଏପରି ସମାଧାନ ବାହାର କର ଯେ କୌଣସି ବାପା, ମାଆଙ୍କୁ ଏପରି କଷ୍ଟ ନ ହେଉ ।

କାରଣ ମୁଁ ଶୋଇ ଶୋଇ ମୋ ବାପା ମାଆଙ୍କ ଅବସ୍ଥା ୧୯ ବର୍ଷ ଧରି ଦେଖିଛି । ତାଙ୍କ ଅନ୍ତରର କୋହ ସବୁବେଳେ ହୃଦୟଙ୍ଗମ କରିପାରିଛି । ଦୟାକରି ମୋର ଏତିକି ଅନୁରୋଧ ରକ୍ଷା କର । ମୁଁ ବି ତ ସବୁବେଳେ ଚାହୁଁଥିଲି, ଅନ୍ୟମାନଙ୍କ ପରି ମୁଁ ମଧ୍ୟ ବଡ଼ ହୋଇ ମୋ ବାପା ମାଆଙ୍କ ସେବା କରିବି ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ । କିନ୍ତୁ ମୋର ଚିନ୍ତା ନାହିଁ । ମୋର ଶିଲ୍ପି ନାନୀ ଅଛି । ଆହୁରି ବହୁତ ଦାଦା, ନାନୀମାନେ ଅଛନ୍ତି ।

ମୋ ମାଆ ସେମାନଙ୍କୁ ପାଠ ପଢାଇଛନ୍ତି । ମାଠୁ ଯେତିକି ଗାଳି ଖାଆନ୍ତି ସେତିକି ସେମାନେ ଭଲ ପାଆନ୍ତି । ମାଡ଼ାମ, ସାର ବୋଲି ଡାକନ୍ତି କିନ୍ତୁ ମାଆ ବାପା ପରି ଭଲ ପାଆନ୍ତି । ମାଆ ବାପାର କଷ୍ଟ ସେମାନେ ସହି ପାରନ୍ତି ନାହିଁ । ମାଆ ବାପା ତ ସବୁବେଳେ ଗର୍ବ କରନ୍ତି ଆମର କେତେ ଝିଅ, କେତେ ପୁଅ । ମୁଁ ଶୋଇ ଶୋଇ ସବୁ ଶୁଣେ ଏବଂ ଖୁସି ହୁଏ ।

OTV is now on Whatsapp

Join and get latest news update delivered to you via whatsapp

Join Now