• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ଭାଗ୍ୟରେ ଯଦି ଦୁଃଖ ଲେଖା ଅଛି ତାହାଲେ କେହି ତା’ଠାରୁ ବର୍ତ୍ତିପାରିବେନି । ଠିକ୍‌ ଏମିତି କିଛି ଘଟିଛି ଗଜପତି ମୋହନା ଗୋଠକେଳିର ସନ୍ତୋଷଙ୍କ ସହ । ପିଲାଟି ଦିନରୁ ସେ ଦୃଷ୍ଟି ଶକ୍ତି ହରାଇଥିବା ବେଳେ ତାଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ବି କାମ କରୁନି । ଖାଲି ସେତିକି ନୁହେଁ ପିଲା ବେଳେ ମାଆ ଥିଲେ, ଆଉ ତାଙ୍କର ଯତ୍ନ ନେଉଥିଲେ । ହେଲେ ଟିକେ ବଡ଼ ହେଲା ବେଳକୁ ମା ଚାଲିଗଲେ ।

ତାପରେ ବାପା କି ଭାଇ କେହି ପଚାରିଲେନି । ଏବେ ବାରଦୁଆର ସୁଣ୍ଢିପିଣ୍ଡା ହେଉଛନ୍ତି ସନ୍ତୋଷ । ଯୋଉଠି ପାଇଲେ ସେଇଠି ପେଟି ପକାଇ ଶୋଇ ପଡୁଛନ୍ତି । ପୁଣି ସକାଳ ହେଲେ ଦୋକାନ ଆଗରେ ବୁଲୁଛନ୍ତି । ଯିଏ ଯାହା ଦେଲା ସେତିକିରେ ପେଟ ପୁରାଇବାକୁ ଚେଷ୍ଟା କରୁଛି । ହେଲେ ସେତିକିରେ ପେଟ ପୁରିବ ବା କେମିତି ? ସନ୍ତୋଷ ହେଉଛି ୨୦ ବର୍ଷର ଭେଣ୍ଡିଆ ପୁଅ । ତାର ଏତେ ଦୁଃଖ ଯେ, ଯିଏ ଦେଖୁଛି ତା’ ପାଟିରୁ ଆଃ ପଦେ ବାହାରି ପଡୁଛି ।

ସବୁଠୁ ବଡ କଥା ହେଲା, ଏବେ ଶୀତ ଆସିଲାଣି । ଅସହ୍ୟ ଶୀତରେ ଥରିବ ସାରା ଓଡିଶା । ଆଉ ଶୀତରେ ଥରିବ ବି ସନ୍ତୋଷ । ଦିବ୍ୟାଙ୍ଗଙ୍କ ପାଇଁ ମାଳମାଳ ଯୋଜନା କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତ ହିତାଧିକାରୀ କେତେ ଏହାର ଲାଭ ପାଉଛନ୍ତି ତାହା ସନ୍ତୋଷକୁ ଦେଖିଲେ ସ୍ପଷ୍ଟ ବାରି ହେଉଛଇ । ତେବେ ସନ୍ତୋଷଙ୍କ ଏପରି ଅବସ୍ଥା ଦେଖି କେହି କେହି ଆଶ୍ରୟ ଦେଉଛନ୍ତି ତ ଆଉ କିଏ ଖାଇବାକୁ ଦୁଇ ମୁଠା ଦେଉଛନ୍ତି ।

ହେଲେ ସନ୍ତୋଷଙ୍କ ବିଷୟରେ ଗଣମାଧ୍ୟମ ସାମ୍ନାରେ କିନ୍ତୁ ମୁହଁ ଖୋଲି ନାହାନ୍ତି ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ । ତେଣୁ ଏବେ ସମୟ କହିବ ସନ୍ତୋଷଙ୍କ ପାଖରେ କେବେ ପହଞ୍ଚିବ ସରକାରୀ ସହାୟତା ?

(ରିପୋର୍ଟ- ମିହିର ଜତି, ମୋହନା)