କୁହନ୍ତି ଭଗବାନ ଯାହାର ଅଛନ୍ତି ତା’ର ଅବା ଆଉ କି ଡର । ସେ ସିନା ନିଜେ ହାତ ଧରି ବିପଦରୁ ବାଟ କଢ଼ାଇ ନିଅନ୍ତିନି, ହେଲେ କାହାକୁ ଦେବଦୂତଟିଏ ସଜାଇ ଆମ ନିକଟକୁ ପଠାଇ ଦିଅନ୍ତି । ଏଇ ଯେମିତି ଡ୍ରାଇଭର ସଞ୍ଜୟଙ୍କ ନିକଟରେ ପ୍ରମାଣିତ ହୋଇଛି । ଏଠି ନିଜେ ଭଗବାନ ସବୁ କଠିନ କାମକୁ ସହଜ କରିଦେଇଛନ୍ତି । ଅଭାବୀ ଦୁଃଖ ଭିତରେ ପେଟ ପାଇଁ ଦୁଇଓଳି ଦୁଇମୁଠା ଖାଇବା ଯୋଗାଡ଼ କରାଇଦେଇଛନ୍ତି । ଆଉ ଏମାନେ ଯେମିତି ପାଇଛନ୍ତି ଆଉ ଗୋଟିଏ ନୂଆ ଜନ୍ମ ।
Also Read
କଟକ ଜିଲ୍ଲା ବଡମ୍ବା ଖଇରପଙ୍ଗା ଗାଁର ସଞ୍ଜୟ କୁମାର ଦାସ । ଦିନେ ୪ ଚକିଆଠୁ ଆରମ୍ଭ କରି ୧୬ ଚକିଆ ଯାଏ ଗାଡ଼ି ଚଳାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଏବେ ସେ ଭିନ୍ନକ୍ଷମ ସାଜିଛନ୍ତି । ଶରୀରର ୭୦ ପ୍ରତିଶତ ଅଚଳ ହୋଇଯାଇଛି । ତେଣୁ ସେ କୌଣସି କାମ କରିବାକୁ ଅସମର୍ଥ । ଏମିତି କିଛି ବର୍ଷ ଧରି କଷ୍ଟ ପାଇଆସୁଛନ୍ତି ସଞ୍ଜୟ । ସାହାଯ୍ୟ ପାଇଁ ପ୍ରଶାସନଠୁ ଆରମ୍ଭ କରି ସରକାରଙ୍କୁ ଗୁହାରି ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ହେଲେ ଏବେ ଏ ଅଭାବୀ ସଞ୍ଜୟଙ୍କ ଦୁଃଖ ବୁଝିଛନ୍ତି ତାଙ୍କ ସାଥୀ ଡ୍ରାଇଭରମାନେ । ଓଡିଶା ଡ୍ରାଇଭର ମହାସଂଘ ମହାପରିବାର ଓ ବଡମ୍ବା ବ୍ଲକର ଡ୍ରାଇଭର ସାଥିମାନେ ଏକତ୍ରିତ ହୋଇ ସଞ୍ଜୟଙ୍କ ପରିବାର ପାଇଁ ଏକ ଦୋକାନ କରାଇଦେଇଛନ୍ତି । ସଞ୍ଜୟଙ୍କ ପତ୍ନୀ ଗୀତା ଦାସ ନେଇଛନ୍ତି ଦୋକାନର ଦାୟିତ୍ୱ ।
ସରକାରଙ୍କ ତରଫରୁ ସଞ୍ଜୟଙ୍କୁ ମିଳୁଛି ୧୨ ଶହ ଟଙ୍କା ଭତ୍ତା । ୮୦ ପ୍ରତିଶତ ସେ ଭିନ୍ନକ୍ଷମ ନଥିବାରୁ ୩୫ ଶହ ଟଙ୍କାରୁ ବଂଚିତ ଅଛନ୍ତି । ଏପଟେ ଡ୍ରାଇଭର ସଂଘର ଏହି ଭଳି ସାହାଯ୍ୟକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ଡ୍ରାଇଭର ମହାସଂଘ ମହାପରିବାରକୁ ଧନ୍ୟବାଦ ଦେଇଛନ୍ତି ସଞ୍ଜୟ । ସରକାରଙ୍କ ପକ୍ଷରୁ ଏକ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ଯୋଗାଇ ଦେଲେ ସଞ୍ଜୟ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇପାରନ୍ତେ ବୋଲି ସେ କହିଛନ୍ତି ।