/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665318073.jpg)
Birds Shelter
ଯୁଆଡେ ଦେଖି ସିଆଡେ ଖାଲି ଗେଣ୍ଡାଳିଆ । ଯେଉଁ ଗଛ ଦେଖିବେ ସେହି ଗଛରେ ଭର୍ତ୍ତି ହୋଇ ବସା ବାନ୍ଧିଛନ୍ତି ଗେଣ୍ଡାଳିଆ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ଶହଶହ ସଂଖ୍ୟାରେ ବସା ବାନ୍ଧିଛନ୍ତି ଗେଣ୍ଡାଳିଆ । ଏମିତି କିଛି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଷଡଙ୍ଗୀ ଅଂଚଳରେ । ଏହି ଅଂଚଳରେ ଯେଉଁ ଗଛକୁ ଦେଖିବେ ସେଇଠି ଶହଶହ ସଂଖ୍ୟାରେ କେବଳ ଗେଣ୍ଡାଳିଆ ପକ୍ଷୀ ହିଁ ଦେଖାଯିବେ । ଏହି ଗେଣ୍ଡାଳିଆମାନେ ପ୍ରତିବର୍ଷ କାହିଁ କେତେ ମାଇଲ ଦୂରରୁ ଉଡି ଆସି ଏଠାରେ ବସା ବାନ୍ଧୁଛନ୍ତି । ତେବେ ଏମାନଙ୍କୁ ବି ବେଶ୍ ଆକର୍ଷଣୀୟ ଢଙ୍ଗରେ ସ୍ୱାଗତ କରନ୍ତି ସ୍ଥାନୀୟ ଲୋକ । କାରଣ ବିଶ୍ୱାସ ରହିଛି ଏମାନେ ରହୁଥିବା ସ୍ଥାନରେ ଭଲ ବର୍ଷା ହେବ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନଙ୍କ ଆଗମନ ଦେଖି ଚାଷୀ ପୁଅ ଚାଷ କାମ ଆରମ୍ଭ କରେ । ପ୍ରତିବର୍ଷ ଜୁନ ମାସ ହେଲେ ଏମାନେ ପଳାଇ ଆସନ୍ତି ଏହି ଅଂଚଳକୁ । ଏଠାରେ ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ଜାନୁଆରୀ ମାସ ଆଡ଼କୁ କେଉଁ ଆଡ଼େ ପୁଣି ଉଡ଼ି ପଳାଉଥିବା କହିଛନ୍ତି ସ୍ଥାନୀୟ ଲୋକେ ।
ବିଦେଶାଗତ ଏହି ଗେଣ୍ଡାଳିଆ ପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି ଏହି ଅଂଚଳ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପକ୍ଷୀମାନଙ୍କ ସୁରକ୍ଷା ଲାଗି ସ୍ଥାନୀୟ ଲୋକ ବେଶ୍ ଯତ୍ନବାନ । ସେଇଥିପାଇଁ ଏହି ଅଞ୍ଚଳରେ ଡିଜେକୁ ଆଦି ସଂପୂର୍ଣ୍ଣ ଭାବରେ ବାରଣ କରଯାଇଛି । ଖାଲି ଡିଜେ ନୁହେଁ ବରଂ ଏହି ଅଂଚଳରେ ଯଦି ପକ୍ଷୀଙ୍କ ଉପରେ କିଏ ଆକ୍ରମଣ କରେ ତେବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ସ୍ଥାନୀୟ ଲୋକ ।
ଆପଣମାନେ ଜାଣି ଖୁସି ହେବେ ପକ୍ଷୀଙ୍କ ସୁରକ୍ଷା ପାଇଁ ଗାଁରେ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଗତ ବାତ୍ୟା ସମୟରେ ଗଛ ଗୁଡିକ ଉପୁଡି ପଡ଼ିବା କାରଣରୁ ଅଂଚଳର ପ୍ରତି ଘରେ ପକ୍ଷୀମାନଙ୍କୁ ରଖାଯାଇ ସେମାନଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଇଥିଲା । ସତରେ ଏମିତି ଗାଁ ଆପଣ ଅନ୍ୟ କେଉଁଠି ବି ଦେଖିନଥିବେ । ଅନେକ ସମୟରେ ଆମେ ପକ୍ଷୀ ଶିକାରୀଙ୍କୁ ଦେଖିଥାଆନ୍ତି ହେଲେ ଏହି ଗାଁର ଲୋକ ପକ୍ଷୀଙ୍କୁ ନିଜ ସନ୍ତାନ ଭାବରେ ପାଳୁଛନ୍ତି । ଆଉ ଏମାନଙ୍କୁ ବନବିଭାଗ ପକ୍ଷରୁ ସମସ୍ତ ସାହାଯ୍ୟ ବି କରାଯାଉଛି ।
(ରିପୋର୍ଟ- ରାଜଶ୍ରୀ ଶତପଥୀ, ଢେଙ୍କାନାଳ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)