• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମପୁରର ଖେଳ ପଡିଆରେ ବେଶ୍ ଝାଳ ବୁହାଉଛନ୍ତି ବଲିଉଡର ଜଣାଶୁଣା ସ୍କ୍ରିପ୍ଟ୍ ରାଇଟର । ଜଗିଂ, ରନିଂ ସହ ଚାଲିଛି ଫିଜିକାଲ୍ ଏକ୍ସରସାଇଜ୍ ଓ ଘଂଟା ଘଂଟା ଧରି ବ୍ୟାୟାମ । ଓଜନ କମାଇବେ, ଫିଟ୍ ରହିବେ । ଏଥିପାଇଁ ଟ୍ରେନର ସୀମାଂଚଳଙ୍କ ପ୍ରତିଟି ନିର୍ଦ୍ଦେଶ ମାନୁଛନ୍ତି, ପରିଶ୍ରମ ବି କରୁଛନ୍ତି । ସେ ହେଉଛନ୍ତି ବଲିଉଡର ପରିଚିତ ସ୍କ୍ରିପ୍ଟ ରାଇଟର ତଥା ନିର୍ଦ୍ଦେଶକ ଭିପୁଲ କେ. ରାୱଲ । ବୟସ ୫୩ ବର୍ଷ । ମୁମ୍ବାଇରୁ ବ୍ରହ୍ମପୁର ଆସିବା ବେଳେ ତାଙ୍କ ଓଜନ ୯୬ କିଲୋଗ୍ରାମ ଥିଲା । ଦୁଇ ସପ୍ତାହ ଭିତରେ ୬ କିଲୋରୁ ଅଧିକ ଓଜନ କମିଲାଣି । ପ୍ରଥମେ ଆଦୌ ଦୌଡିପାରୁନଥିଲେ, ଏବେ ୮ କିଲୋମିଟର ରନିଂ ବେଶ୍ ଆରାମରେ କରିପାରୁଛନ୍ତି ।

ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ରୁସ୍ତମ ପାଇଁ ସ୍କ୍ରିପ୍ଟ, ସ୍କ୍ରିନପ୍ଲେ ଏବଂ ଡାଏଲଗ୍ ଲେଖିଛନ୍ତି ଭିପୁଲ । ତାଙ୍କ ଲିଖିତ ଇକବାଲକୁ ବି ବେଶ୍ ପ୍ରଶଂସା କରାଯାଇଛି । ଏଥିସହ ଟୋନି, ଏ ନ୍ୟୁ ଲଭ ଷ୍ଟୋରୀ ଏବଂ ବିଜଲି ଭଳି ଫିଲ୍ମ ଏବଂ ସର୍ଟ ଫିଲ୍ମର ସେ ରାଇଟର ଓ ଡିରେକ୍ଟର । ବ୍ୟସ୍ତବହୁଳ ତଥା ଆଧୁନିକ ଜୀବନ ଶୈଳୀ ଭିତରେ ଓଜନ ବଢିଯାଇଥିଲା । ୟୁଟ୍ୟୁବ୍ ଏବଂ ସୋସିଆଲ ସାଇଟ୍‌ରେ ଓଜନ କମାଇବା ନେଇ ଏକାଧିକ ଭିଡିଓ ଦେଖିଥିଲେ ଭିପୁଲ । ବହୁ ଟ୍ରେନର ଏବଂ ଆତ୍ୟାଧୁନିକ ଜିମ୍ ବି ଯାଇଥିଲେ । ତେବେ ସୋସିଆଲ ମିଡିଆରେ ସୀମାଂଚଳଙ୍କ ଶୃଙ୍ଖଳିତ ଟ୍ରେନିଂ ଏବଂ ପ୍ରାକୃତିକ ପଦ୍ଧତି ତାଙ୍କୁ ବ୍ରହ୍ମପୁରକୁ ଟାଣି ଆଣିଥିଲା ।

ଭିପୁଲଙ୍କ ଭଳି ଅନେକ ଏବେ ସେମାନଙ୍କ ଓଜନ କମାଇ ସାରିଲେଣି । ସୀମାଂଚଳଙ୍କ ପାଖରେ ଟ୍ରେନିଂ ନେଇ ଏବେ ପୁରା ଫିଟ୍ । ୨୨ ବର୍ଷିୟ ବି ଫାର୍ମା ଛାତ୍ର ଓମ୍ ପ୍ରକାଶ ଗୌଡ ୧୧୭ କିଲୋ ଥିଲେ । ଏବେ ତାଙ୍କ ଓଜନ ୬୯ କେଜି । ୬ ମାସର ପରିଶ୍ରମରେ ୪୮ କିଲୋ କମାଇଲେଣି ଓମ୍ । ସେହିପରି କୋଲକାତାର ୧୯ ବର୍ଷିୟ ଛାତ୍ର କିରଣ ଦୀକ୍ଷିତ ବି ସୀମାଂଚଳଙ୍କ ପାଖରେ ନେଉଛନ୍ତି ଟ୍ରେନିଂ । ମାତ୍ର ଅଢେଇ ମାସ ଭିତରେ କମାଇଲେଣି ୨୨ କିଲୋ ଓଜନ ।

ସୀମାଂଚଳ ବାରିକ ହେଉଛନ୍ତି ଜଣେ ପୂର୍ବତନ ସେନା ହାବିଲଦାର । ଚାକିରି ସମୟରେ ୧୫ ବର୍ଷ ଧରି କମାଣ୍ଡୋ ଟ୍ରେନିଂ ଦେଇଛନ୍ତି । ଅବସର ପରେ ବ୍ରହ୍ମପୁରରେ ଫିଜିକାଲ ଏକାଡେମୀ ଖୋଲିଛନ୍ତି । ଯେଉଁଠି ୬ ଶହରୁ ଅଧିକ ସେନା ଆଶାୟୀଙ୍କୁ ସେ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି । ଶହ ଶହ ସାଧାରଣ ଲୋକ ବି ଫିଟ୍ ରହିବାକୁ ତାଙ୍କ ଠାରୁ ତାଲିମ ନେଉଛନ୍ତି ।