• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଜା ବାଜୁଛି, ଦୁଲଦୁଲି ବି ବାଜୁଛି । ଡିଜେ ଗୀତର ତାଳେ ତାଲେ ଗାଁ ପିଲାଙ୍କ ଅଣ୍ଟା ବି ଦୋହଲୁଛି । ଖାଲି ଏତିକି ନୁହେଁ ବରଂ ଗାଁକୁ ଫେରିଥିବା ଯବାନଙ୍କର ବନ୍ଦାପନା ବି କରାଯାଉଛି । ୨୨ ବର୍ଷ ପରେ ଦେଶ ସେବା କରି ଗାଁକୁ ଫେରିବା ବେଳେ ଏମିତି ସ୍ୱାଗତ ଓ ସମ୍ବର୍ଦ୍ଧନାର ଆୟୋଜନ କରିଥିଲେ ଗାଁ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ପାଟଣାଗଡ଼ ବିନ୍ଧନ ପଥର ଗାଁରେ । ଯବାନ କହ୍ନେଇ ଲାଲ୍‌ ଦେଶ ସେବାରୁ ଅବସର ନେଇ ୨୨ ବର୍ଷ ପରେ ଗାଁକୁ ଫେରିଛନ୍ତି । ସେ ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଥିଲେ । ଆଉ ସେ ଗାଁକୁ ଫେରିବାର ଖବର ପାଇବା ମାତ୍ରେ ଗାଁ ଲୋକେ ତାଙ୍କୁ ସ୍ୱାଗତ କରିବା ପାଇଁ ଆରମ୍ଭ କରିଥିଲେ ପ୍ରସ୍ତୁତି । ଯବାନଙ୍କୁ ପାଛୋଟି ନେବା ପାଇଁ ପୂରା ଦମ୍‌ରେ ଲାଗିପଡିଥିଲେ ଗାଁର ପିଲାଠୁ ବୁଢ଼ା ।

କହ୍ନେଇ ଆସିବା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ପୂରା ବ୍ଲୁ ପ୍ରିଣ୍ଟ । ଆଉ ଧୁମ୍‌ଧାମ୍‌ରେ ତାଙ୍କୁ କରାଯାଇଥିଲା ସ୍ୱାଗତ । ଆଧୁନିକ ଗୀତରୁ ଆରମ୍ଭ କରି ଆଧ୍ୟାତ୍ମିକ ଝାଂଜ ମୃଦଙ୍ଗ ପର୍ଯ୍ୟନ୍ତ ସବୁ ଏଇ ଶୋଭାଯାତ୍ରାର ଥିଲା ଆକର୍ଷଣ । ଯିଏ ଯେମିତି ପରିଲା ସେମିତି ଜଣାଇଲା ସ୍ୱାଗତ । ଏତେ ବିଶାଳ ଶୋଭାଯାତ୍ରା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କହ୍ନେଇ ଲାଲ୍‌ । ଖାଲି ଆଶ୍ଚର୍ଯ୍ୟ ହୋଇଥିଲେ ତାହା ନୁହେଁ ବରଂ ଗାଁ ଲୋକଙ୍କ ଏମିତି ସ୍ୱାଗତକୁ ଅତି ନମ୍ର ଭାବରେ ସ୍ୱୀକାର ବି କରିଥିଲେ ।

ଶୋଭାଯାତ୍ରା ଚାଲିଥିବା ବେଳେ କିଛି ଲୋକ ଯବାନଙ୍କ ପାଦ ଧୋଇଥିଲେ । ଯାହାକୁ ଦେଖି ଯବାନଙ୍କ ଆଖରେ ଲୁହ ଭରିଯାଇଥିଲା । କଣ୍ଠ ବାସ୍ପରୋଧ ହୋଇଥିଲା । ଏହି ଦୃଶ୍ୟ ସମସ୍ତଙ୍କୁ ଅଭିଭୂତ ଆଉ ଆନନ୍ଦିତ କରିଥିଲା । ଏଥିରୁ ସ୍ପଷ୍ଟ ବାରି ହେଉଥିଲା ଗାଁ ଲୋକଙ୍କ ମନରେ କିଭଳି ରହିଛି ଦେଶପ୍ରେମ । ଆଉ ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ତାଙ୍କ ହୃଦୟରେ କେତେ ଉଚ୍ଚ ସ୍ଥାନ ରହିଛି ।

ନିଜର ୨୨ ବର୍ଷ ଚାକିରି କାଳରେ କହ୍ନେଇ ଲାଲ ଜମ୍ମୁ କାଶ୍ମୀର, ଶ୍ରୀନଗର, ଏଲଓସି ଭଳି ବିଭିନ୍ନ ସ୍ଥାନରେ ରହି ଦେଶ ପାଇଁ କାମ କରିଛନ୍ତି । ତେବେ ଗାଁକୁ ଫେରିବା ପରେ ଗ୍ରାମବାସୀଙ୍କ ସ୍ୱାଗତ ସମର୍ଦ୍ଧନାକୁ ଦେଖି ବହୁତ ଖୁସି ଅନୁଭବ କରିଛନ୍ତି କହ୍ନେଇ ଏବଂ ଗାଁର ସମସ୍ତେ ମୋ ପରିବାର ଭଲି ଲାଗୁଥୁବା କହିଛନ୍ତି । ସତରେ ଜଣେ ଯବାନଙ୍କୁ ନିଜ ଗାଁରେ ଏମିତି ସ୍ୱାଗତ କରାଯିବା ନିଶ୍ଚୟ ନିଆରା ।

(ରିପୋର୍ଟ- କରୁଣାକର ବୁଡେକ, ପାଟଣାଗଡ)