ରାସ୍ତା ସାରା ଯେଉଁଠି ଗଛ ଦେଖୁଛନ୍ତି ସେଇଠି ଶିକାରେ ପ୍ଲାଷ୍ଟିକ୍ ଦଉଡ଼ି ବାନ୍ଧି ବିଭିନ୍ନ ସରାରେ ପାଣି ରଖୁଛନ୍ତି । ଗଛ ହେଉ କି ଉଚ୍ଚାସ୍ଥାନ...ସବୁଠି ରଖୁଛନ୍ତି ପାଣି । ଏଇ ଧୁଧୁ ଖରାରେ ଯେମିତି ପକ୍ଷୀମାନେ ପାଣି ପିଇବାରେ କୌଣସି ସମସ୍ୟାର ସାମ୍ନା କରିବେ ନାହିଁ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି ବାଲେଶ୍ୱର ର ଯୁବକମାନେ ।
ଖରା ବଢୁଛି, ତାଳ ଦେଇ ତାତି ବି ବଢୁଛି l ଅସହ୍ୟ ହେଲାଣି ଗରମ l ଅତିଷ୍ଟ ହେଉଛି ଜୀବଜଗତ । ସେଥିରୁ ପଶୁପକ୍ଷୀ ମାନେ ବାଦ୍ ପଡ଼ିବେ ବା କେମିତି? ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଯେଉଁ ନୂଆ ପ୍ରୟାସ କରିଛନ୍ତି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା l ବିଦ୍ୟାଳୟର କିଛି ଛାତ୍ର, ଶିକ୍ଷକ ଓ ଶିକ୍ଷୟତ୍ରୀ ପଶୁ-ପକ୍ଷୀଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି l ବିଦ୍ୟାଳୟ ଏବେ ରଜତ ଜୟନ୍ତୀ ପାଳନ କରୁଥିବା ବେଳେ ପୂରାତନ ଛାତ୍ରମାନେ ଗାଁ, ଜଙ୍ଗଲ ଓ ରାସ୍ତା କଡରେ ପ୍ଲାଷ୍ଟିକ ପାତ୍ରରେ ପାଣି ରଖୁଛନ୍ତି । ଯେଉଁଠୁ ପାଣି ପିଇ ତୃଷ୍ଣା ମେଣ୍ଟାଉଛନ୍ତି ପଶୁପକ୍ଷୀ ।
Also Read
ଅଧିକ ପଢ଼ନ୍ତୁ: ଅସହ୍ୟ ତାତିରେ ଆଉଟୁପାଉଟୁ ଜୀବଜନ୍ତୁ : ଖରାରୁ ମୁକ୍ତି ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା
ପିଲାଙ୍କର ଏମିତି ନିଆରା ପ୍ରୟାସକୁ ନେଇ ସ୍ଥାନୀୟ ଅଂଚଳରେ କିନ୍ତୁ ଭାରି ଚର୍ଚ୍ଚା । ଆଉ ପିଲାଙ୍କୁ ସହଯୋଗ କରିବାକୁ କିଛି ଦୋକାନୀମାନେ ମଧ୍ୟ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି । ପ୍ରତିଦିନ ପାଣି ପାତ୍ରରେ କେମିତି ପାଣି ନସରିବ ସେ ଦାୟିତ୍ୱ ବି ନେଇଛନ୍ତି ସ୍ଥାନୀୟ ଅଂଚଳର କିଛି ଲୋକେ । ଏବେ ଆଧୁନିକ ଯୁଗରେ ମଣିଷ ମଣିଷକୁ ସାହାଯ୍ୟ କରୁନଥିବା ବେଳେ କିଛି ଯୁବକ ପଶୁପକ୍ଷୀଙ୍କ ଜୀବନ ବିଷୟରେ ଚିନ୍ତା କରିବା ନିଶ୍ଚୟ ପକ୍ଷେ ହୃଦୟସ୍ପର୍ଶୀ l