• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦିନରେ ସାଇକେଲ ମରାମତି କଲେ, ରାତିରେ ଘରେ ଜଳିବ ଚୁଲି । ପେଟକୁ ଯିବ ଦାନା । ଦୋକାନୀଙ୍କୁ ଦେଖିବା ପରେ ଯିଏ ନାହିଁ ସିଏ କହିବ ଏତେ ବୟସ ହେଲାଣି...ହେଲେ ବି ଦୋକାନରେ ସେ କାହିଁକି କାମ କରୁଛନ୍ତି? ତାଙ୍କର ପୁଅ –ଝିଅ କେହି ଅଛନ୍ତି କି ନାହିଁ? ମନରେ ଏମିତି ପ୍ରଶ୍ନ ସବୁ ଆସୁଥିବ । ହେଲେ ପ୍ରକୃତ ସତ ଜାଣିଲେ ଆପଣଙ୍କ ଆଖିରୁ ଝରିଆସିବ ଲୁହ ।

ଭଦ୍ରକ ବାସୁଦେବପୁର ଗୋଠଆଡିଆ ଗାଁର ବିଜୟ ମାଇତି । ବୟସ ଅଧିକ ହେବାରୁ ଆଖିକୁ ଠିକ୍‌ରେ ଦେଖାଯାଉନି । ଭଲରେ କାମ ବି କରିପାରୁନାହାନ୍ତି । କିନ୍ତୁ ପରିସ୍ଥିତିର ଦାସ ସାମ୍ନାରେ ସେ ହାର ମାନିଛନ୍ତି । ସେଇଥି ଲାଗି ତ ସକାଳୁ ସଂଜ ଯାଏଁ କରୁଛନ୍ତି ପରିଶ୍ରମ । ୮ ଝିଅରେ ବିଜୟଙ୍କର ଗୋଟିଏ ପୁଅ । ଭାବିଥିଲେ ପୁଅ ହିଁ ବୟସର ଅପରାହ୍ନରେ ସାହାରା ହେବ...ରୋଜଗାର କରି ପରିବାର ପୋଷିବ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ।

ବାପା-ମାଆ କଷ୍ଟ କରି ମଣିଷ କରିବା ପରେ ଏବେ ବାହାରେ ପୁଅ ଭଲ ଚାକିରି କରିଛି । କୋଠାବାଡି ବି ତିଆରି କରିଛି । କିନ୍ତୁ ବାପା-ମାଆଙ୍କୁ ଟଙ୍କାଟିଏ ବି ଦେଉନାହିଁ । ନିଜେ ନଖାଇ ଯେଉଁ ପୁଅ ମୁହଁରେ ଆହାର ଦେଉଥିଲେ ଆଜି ସେହି ପୁଅ ତାଙ୍କୁ ପର କରିଦେଇଛି । ତେଣୁ ସାଇକେଲ ଦୋକାନରେ ଖଟିଲେ ଘରେ ଜଳିବ ଚୁଲି । ଜାଣି ଆଶ୍ଚର୍ଯ୍ୟ ହେବେ ପୁଅ ଘରକୁ ଟଙ୍କାଟିଏ ବି ଦେଉନି । କିନ୍ତୁ ଏହି ଦୋକାନରେ ଯେତିକି ରୋଜଗାର କରୁଛନ୍ତି ସେତିକିରେ ୭-୭ଟି ଝିଅ ବାହାଘର କଲେ ପୁଣି ସାନ ଝିଅକୁ ପାଠ ପଢାଇଲେ ।

ଜାଣିଆଶ୍ଚର୍ଯ୍ୟ ହେବେ କି, ଆଖିକୁ ଭଲରେ ଦେଖାଯାଉନି । କିନ୍ତୁ ସରକାରୀ ଯୋଜନା ତାଙ୍କ ପାଖରେ କିଛି ପହଞ୍ଚୁନି । ସହାୟତା କହିଲେ ମାତ୍ର ୫୦୦ ଟଙ୍କା ଭତ୍ତା । ସିଏ ପୁଣି ୨ ମାସ ହେଲା ମିଳିନି । ଦର୍ଶକବନ୍ଧୁ ଘରର ଅବସ୍ଥା ବି ସଙ୍ଗୀନ । କାନ୍ଥ ଫାଟି ଆଁ କରିଛି...ମଥାଣ ଭାଙ୍ଗିବା ଅବସ୍ଥାରେ । ହେଲେ ଏଯାଏଁ ଘର ବି ମିଳିନି । ସ୍ଥିତି ଏମିତି ହେଲାଣି ଯେ ଅଧାରୁ ଅଧିକ ଦିନ ଭୋକ ଉପାସରେ କଟୁଛି ଦିନ । ତେଣୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି ପରିବାର । ସେପଟେ ବିଜୟଙ୍କ ପତ୍ନୀ କହୁଛନ୍ତି, ଆମେ ନିଜେ ନଖାଇ ପୁଅକୁ ମଣିଷ କରିଥିଲୁ, କିନ୍ତୁ ସେ ଆମକୁ ଚାହିଁଲାନି । ଆମେ ଏବେ ବଞ୍ଚିବୁ କେମିତି?

 

  • Reported by:
  • Suryadoya Biswal